ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଗତ ଜୁଲାଇ ୧୩ ତାରିଖରେ ବହୁ ଆଡ଼ମ୍ବର ସହକାରେ ଉଦଘାଟିତ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେକୁ ନେଇ ଏବେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦଘାଟନର ମାତ୍ର ୧୨ ଦିନ ନପୂରୁଣୁ, ବର୍ଷା ଯୋଗୁଁ ଏହି ନବନିର୍ମିତ ଏକ୍ସପ୍ରେସୱେର ଏକ ବଡ଼ ଅଂଶରେ ଗଭୀର ଫାଟ ସୃଷ୍ଟି ହେବା ସହ ରାସ୍ତା ଧସିଯାଇଛି।

 ପ୍ରାୟ ୪,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି 'ଲକ୍ଷ୍ନୌ-କାନପୁର ଗ୍ରୀନଫିଲ୍ଡ ନ୍ୟାସନାଲ ଏଲିଭେଟେଡ ଏକ୍ସପ୍ରେସୱେ'କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଜୁଲାଇ ୧୩ ରେ ଉଦଘାଟନ କରିଥିଲେ। ଜୁଲାଇ ୨୫ ତାରିଖରେ ଉନ୍ନାଓ ନିକଟସ୍ଥ କୋରାରୀ ଗ୍ରାମ ପାଖରେ ଏକ୍ସପ୍ରେସୱେର ପ୍ରାୟ ୫ ରୁ ୭ ମିଟର ପରିମିତ ଅଞ୍ଚଳରେ ବଡ଼ ବଡ଼ ଫାଟ ଦେଖାଦେବା ସହ ରାସ୍ତା ଧସି ଯାଇଥିବା ଦେଖିବାକୁ ମିଳିଥିଲା।

ସମାଜବାଦୀ ପାର୍ଟି ନେତା ମଧୁସୂଦନ ଯାଦବ ଏହି ରାସ୍ତା ଦେଇ ଯାତ୍ରା କରିବା ସମୟରେ ଫାଟଗୁଡ଼ିକର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ ଏହି ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଏହା ବଡ଼ ଧରଣର ଦୁର୍ଘଟଣାର କାରଣ ହୋଇପାରେ ବୋଲି ଦାବି କରିଛନ୍ତି।

ଭିଡିଓ ଭାଇରାଲ ହେବା ଏବଂ ଘଟଣା ସାମ୍ନାକୁ ଆସିବା ପରେ ନିର୍ମାଣକାରୀ ସଂସ୍ଥା ଓ ପ୍ରଶାସନ ତୁରନ୍ତ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHAI) ର ବରିଷ୍ଠ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ନିର୍ମାଣ ତ୍ରୁଟି ସମ୍ପର୍କରେ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦେଇନାହାନ୍ତି। ମାତ୍ର ୧୨ ଦିନ ଭିତରେ ୪,୨୦୦ କୋଟି ଟଙ୍କାର ଏକ ଭବ୍ୟ ପ୍ରକଳ୍ପରେ ଏପରି ଫାଟ ସୃଷ୍ଟି ହେବା ନିର୍ମାଣର ଗୁଣବତ୍ତା ଏବଂ ତଦାରଖ ବ୍ୟବସ୍ଥାର ପୋଲ୍‌ ଖୋଲିଦେଇଛି।