ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ ପାଇଁ ଶନିବାର ବିସିସିଆଇ ଟିମ୍ ଘୋଷଣା କରିଛି । ଟିମ୍‌ର କ୍ୟାପ୍ଟେନ୍ସି ଆୟୁଷ ମାତ୍ରେଙ୍କୁ ଦିଆଯାଇଛି । ଅନ୍ୟପଟେ ବିହାନ ମାଲହୋତ୍ରାଙ୍କୁ ଉପଅଧିନାୟକ କରାଯାଇଛି । ଏହି ଟିମ୍‌ରେ ବିସ୍ଫୋଟକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଆସନ୍ତା ବର୍ଷ ଆରମ୍ଭରେ ତିନି ଦିନିକିଆ ମ୍ୟାଚର ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ।

ଅଣ୍ଡର-୧୯ ବିଶ୍ୱକପ ଆୟୋଜନ ଜାନୁଆରୀ ୧୫ରୁ ଫେବ୍ରୁଆରୀ ୬ ଯାଏ ଜିମ୍ୱାୱେ ଓ ନାମିବ୍ୟାରେ ଖେଳାଯିବ । ୧୬ ଟିମ୍‌କୁ ଚାରି ଗ୍ରୁପରେ ଭାଗ କରାଯାଇଛି । ପାଞ୍ଚ ଥର ଅଣ୍ଡର-୧୯ ବିଶ୍ୱକପ ବିଜେତା ଭାରତୀୟ ଟିମକୁ ଗ୍ରୁପ ବି'ରେ ନ୍ୟୁଜିଲାଣ୍ଡ, ଆମେରିକା ଓ ବାଂଲାଦେଶ ସହ ସାମିଲ କରାଯାଇଛି । ଭାରତ ନିଜର ଅଭିଯାନ ଜାନୁଆରୀ ୧୫ରେ ଆମେରିକା ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ । ଏହା ପରେ ଟିମ୍ ଜାନୁଆରୀ ୧୭ରେ ବାଂଲାଦେଶ ଓ ଜାନୁଆରୀ ୨୪ରେ ନ୍ୟୁଜିଲାଣ୍ଡକୁ ସାମନା କରିବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ହରାରେରେ ଖେଳାଯିବ ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆ ତିନି ଦିନିକିଆ ମ୍ୟାଚ୍ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଅଣ୍ଡର-୧୯ ଦିନିକିଆ ବିଶ୍ୱକପ ପୂର୍ବରୁ ଏହି ସିରିଜ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିସିସିଆଇ ଘୋଷଣା ଅନୁସାରେ, ଆୟୁଷ ମାତ୍ରେ ଓ ବିହାନ ମାଲହୋତ୍ରା ଏହି ସିରିଜରେ ଖେଳିବେ ନାହିଁ । ଦୁହିଁଙ୍କ ହାତରେ ଆଘାତ ଲାଗି ଥିବାରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ କ୍ୟାପ୍ଟେନ ଓ ଆରୋନ ଜର୍ଜଙ୍କୁ ଉପଅଧିନାୟକ କରାଯାଇଛି ।

ଦ.ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍- ବୈଭବ ସୂର୍ଯ୍ୟବଂଶୀ (କ୍ୟାପ୍ଟେନ), ଆରୋନ ଜର୍ଜ (ଉପଅଧିନାୟକ), ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ (ଉଇକେଟ୍ କିପର), ହରବଂଶ ସିଂହ (ଉଇକେଟ୍ କିପର), ଆର.ଏସ.ଅମ୍ୱରିଶ, କନିଷ୍କ ଚୌହାନ, ଖିଲାନ ଏ.ପଟେଲ, ମହମ୍ମଦ ଏନାନ, ହେନିଲ ପଟେଲ, ଡି.ଦୀପେଶ, କିଷନ କୁମାର ସିଂହ, ଉଧବ ମୋହନ, ଯୁବରାଜ ଗୋହିଲ, ରାହୁଲ କୁମାର ।

ଅଣ୍ଡର-୧୯ ବିଶ୍ୱକପ ପାଇଁ ଭାରତୀୟ ଟିମ୍- ଆୟୁଷ ମାତ୍ରେ (ଅଧିନାୟକ), ବିହାନ ମଲହୋତ୍ରା (ଉପଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଆରୋନ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ (ଉଇକେଟ୍ କିପର), ହରବଂଶ ସିଂହ (ଉଇକେଟ୍ କିପର), ଆର.ଏସ.ଅମ୍ୱରିଶ, କନିଷ୍କ ଚୌହାନ, ଖିଲାନ ଏ.ପଟେଲ, ମହମ୍ମଦ ଏନାନ, ହେନିଲ ପଟେଲ, ଡି.ଦୀପେଶ, କିଷନ କୁମାର ସିଂହ, ଉଧବ ମୋହନ ।