India’s Exports to China: ଦୀର୍ଘଦିନ ଧରି ଚାଲି ଆସିଥିବା ଭାରତ-ଚୀନ୍ ବାଣିଜ୍ୟ ସମୀକରଣରେ ଚୀନ୍ ଅଧିକ ରପ୍ତାନୀ କରୁଥିଲା ଆଉ ଭାରତ ଆମଦାନୀ କରୁଥିଲା। ଫଳରେ ଚୀନ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ବିଶ୍ୱର ଅନ୍ୟ ଦେଶ ତୁଳନାରେ ବହୁ ଅଧିକ ଥିଲା। ଏବେ ବି ଯଦିଓ ଚୀନ ସହ ଭାରତର ବାଣିଜ୍ୟିକ ନିଅଣ୍ଟ ରହିଛି, ତଥାପି ଦୁଇ ଦେଶର ଦୀର୍ଘକାଳୀନ ବାଣିଜ୍ୟିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଲାଣି।

ସରକାରୀ ତଥ୍ୟ ଅନୁସାରେ, ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ୫ ମାସ, ଅର୍ଥାତ୍ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚୀନ୍କୁ ଭାରତର ରପ୍ତାନି ପ୍ରାୟ ୪୦ ପ୍ରତିଶତ ବଢ଼ିଛି। ଏହାର ସିଧା ଅର୍ଥ ଭାରତ ଏବେ ଉତ୍ପଦାନରେ ଓ ରପ୍ତାନୀରେ ଚୀନ ସହ ଟକ୍କର ଦେବାକୁ ବାହାରିଲାଣି।

ବ୍ରିକ୍ସ ସମ୍ମିଳନୀ ୨୦୨୬ରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାରି ମଧ୍ୟରେ ଭାରତର ରପ୍ତାନିକୁ ନେଇ ଆସିଥିବା ନୂଆ ତଥ୍ୟ ଗୁରୁତ୍ୱ ବହନ କରୁଛି। ବିଶେଷକରି ଚୀନ ସମେତ ପ୍ରମୁଖ ବ୍ରିକ୍ସ ଦେଶଗୁଡ଼ିକୁ ଭାରତର ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି।

ଚୀନକୁ ଭାରତର ରପ୍ତାନିରେ ୩୯% ବୃଦ୍ଧି

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୫ ମାସ, ଅର୍ଥାତ୍ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ, ବ୍ରିକ୍ସର ୫ଟି ଦେଶକୁ ଭାରତର ରପ୍ତାନିରେ ପ୍ରାୟ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ଏହି ସମୟରେ ଭାରତର ରପ୍ତାନି ପ୍ରାୟ ୧୯.୯ ବିଲିୟନ ଡଲାରରେ ପହଞ୍ଚିଛି।

ସେହିପରି କେବଳ ଚୀନକୁ ଭାରତର ରପ୍ତାନିକୁ ଦେଖିଲେ, ଏଥିରେ ପ୍ରାୟ ୩୯ ପ୍ରତିଶତ ବୃଦ୍ଧି ହୋଇଛି। ଚୀନକୁ ଭାରତର ରପ୍ତାନି ପ୍ରାୟ ୯.୬ ବିଲିୟନ ଡଲାରରେ ପହଞ୍ଚିଛି। ଦୀର୍ଘଦିନ ଧରି ଭାରତ-ଚୀନ ବାଣିଜ୍ୟରେ ଚୀନରୁ ଭାରତକୁ ଆମଦାନି ଭାରତୀୟ ରପ୍ତାନିଠାରୁ ଅଧିକ ରହିଆସିଛି। ତେଣୁ ଚୀନକୁ ରପ୍ତାନି ବୃଦ୍ଧି ଏହି ବାଣିଜ୍ୟ ସମୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ।

Also Read- ମାର୍କେଟ୍ ହରାଉଛି ଚୀନ, ଚେଷ୍ଟା କରି ବି ଫାଇଦା ନେଇପାରୁନି ଭାରତ: ଦେଶରେ କପଡା ରପ୍ତାନୀ ମାତ୍ର ୩%ରେ ସ୍ଥିର

ହେଲେ ଏହି ରପ୍ତାନୀ ବୃଦ୍ଧିରେ ଇଲେକ୍ଟ୍ରୋନିକ୍ସ ଏବଂ ଇଞ୍ଜିନିୟରିଂ ସାମଗ୍ରୀର ବଡ଼ ଭୂମିକା ରହିଛି। ଉଲ୍ଲେଖଯୋଗ୍ୟ, ଏହି ସବୁ କ୍ଷେତ୍ର ଚୀନ୍ର ପାରମ୍ପରିକ ରପ୍ତାନି ଶକ୍ତିର ଅଂଶ। ବିଶେଷଜ୍ଞଙ୍କ ମତରେ, ଚୀନ୍କୁ ଭାରତର ରପ୍ତାନି ବୃଦ୍ଧି ଏକ ଅତ୍ୟନ୍ତ ନିମ୍ନ ଆଧାରରୁ ହୋଇଛି ଏବଂ ଏଆଇ ଓ ଡାଟା ସେଣ୍ଟର ନିର୍ମାଣ କାର୍ଯ୍ୟ ଯୋଗୁ ସୃଷ୍ଟି ହୋଇଥିବା ଚାହିଦା ଏଥିରେ ଭୂମିକା ନେଇଛି। ତେବେ ଏହି ବୃଦ୍ଧିକୁ କେବଳ ସାମୟିକ ଚାହିଦା ଭାବେ ଦେଖିବା ପରିବର୍ତ୍ତେ ଏହା ଭାରତ-ଚୀନ୍ ବାଣିଜ୍ୟ ସମ୍ପର୍କରେ ଏକ ଦୀର୍ଘକାଳୀନ ପରିବର୍ତ୍ତନର ସଙ୍କେତ ହୋଇପାରେ।

ଚୀନ୍କୁ PCBA ରପ୍ତାନିରେ ୪୦ ଗୁଣାରୁ ଅଧିକ ବୃଦ୍ଧି

ଚୀନ୍କୁ ଭାରତର ମୋଟ ରପ୍ତାନିରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପୂର୍ବରୁ ହିଁ ଆଉ ଏକ ପରିବର୍ତ୍ତନର ଏହି ସଙ୍କେତ ଦେଇ ସାରିଥିଲା। କାରଣ ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତର PCBA (ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଆସେମ୍ବଲି) ରପ୍ତାନି ଚୀନ୍କୁ ୪୦ ଗୁଣାରୁ ଅଧିକ ବଢ଼ି ୧.୫ ବିଲିୟନ୍ ଡଲାରରେ ପହଞ୍ଚିଥିଲା। ବର୍ଷକ ପୂର୍ବରୁ ଏହା ମାତ୍ର ୩୬ ମିଲିୟନ୍ ଡଲାର ଥିଲା। ଭାରତର ମୋଟ PCBA ରପ୍ତାନିର ପ୍ରାୟ ୮୦ ପ୍ରତିଶତ ଚୀନ୍କୁ ଯାଇଥିଲା। ଏହି ସମୟରେ ଭାରତର ସମୁଦାୟ PCBA ରପ୍ତାନି ୨୦ ଗୁଣାରୁ ଅଧିକ ବଢ଼ି ୧.୯ ବିଲିୟନ୍ ଡଲାରରେ ପହଞ୍ଚିଥିଲା।

ଏହି ତଥ୍ୟରୁ ଅନୁମାନ କରାଯାଉଛି ଯେ, ଚୀନର କମ୍ପାନୀଗୁଡ଼ିକ ନିଜ ଦେଶରେ ଅଧିକ ମୂଲ୍ୟଯୁକ୍ତ ଓ ଜଟିଳ ଉତ୍ପାଦନ କାର୍ଯ୍ୟ ଉପରେ ଧ୍ୟାନ ଦେଉଥିବାବେଳେ ସରଳ ଇଲେକ୍ଟ୍ରୋନିକ୍ ଆସେମ୍ବଲି ପାଇଁ ଭାରତକୁ ଉତ୍ସ ଭାବେ ବ୍ୟବହାର କରିବା ଆରମ୍ଭ କରୁଥାଇପାରନ୍ତି।

ତେବେ ଏହି ତଥ୍ୟକୁ ନେଇ କିଛି ଅସାମଞ୍ଜସ୍ୟତା ରହିଛି। ଚୀନ୍ର କଷ୍ଟମ୍ସ ତଥ୍ୟରେ ଭାରତରୁ ପିସିବି ଆମଦାନି ତଥ୍ୟ ସହିତ ମେଳ ଖା ଯେଉଁ ବୃଦ୍ଧି ହୋଇଥିବା କୁହାଯାଉଛି, ଧରଣର ବୃଦ୍ଧି ଦେଖାଯାଉ ନାହିଁ। କିଛି ସାମଗ୍ରୀ ସ୍ମାର୍ଟଫୋନ୍ ଓ ଟେଲିକମ୍ ଉପକରଣ ଭଳି ଅନ୍ୟ ବର୍ଗରେ ରେକର୍ଡ ହୋଇଥାଇପାରେ। ଭିନ୍ନ ଦେଶର ବାଣିଜ୍ୟ ବର୍ଗୀକରଣ ପ୍ରଣାଳୀ ଅଲଗା ଥିବାରୁ ଏହି ବୃଦ୍ଧିର ପ୍ରକୃତ କାରଣ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରିବା କଷ୍ଟକର।

Also Read- ନିଜ ନାଁର ସିମ୍ ଅନ୍ୟକୁ ଦେଲେ ଫସିବେ! ଜରିମାନା ସହ ଜେଲ୍ ଯିବେ

ବ୍ରିକ୍ସ ଦେଶକୁ ରପ୍ତାନିରେ ବଡ଼ ବୃଦ୍ଧି

ଚୀନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ରୁଷିଆ ଭଳି ପ୍ରମୁଖ ବ୍ରିକ୍ସ ଦେଶଗୁଡ଼ିକୁ ଭାରତର ରପ୍ତାନି ମଧ୍ୟ ବଢ଼ିଛି। ଏପ୍ରିଲ-ଅଗଷ୍ଟ ଅବଧିରେ ଏହି ୪ଟି ଦେଶକୁ ଭାରତ ପ୍ରାୟ ୧୯.୯ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଛି। ଗତବର୍ଷ ସମାନ ଅବଧିରେ ଏହି ରପ୍ତାନି ପ୍ରାୟ ୧୪.୯ ବିଲିୟନ ଡଲାର ଥିଲା। ଭାରତର ମୋଟ ରପ୍ତାନିରେ ଏହି ୪ଟି ବ୍ରିକ୍ସ ଦେଶର ଅଂଶ ମଧ୍ୟ ବଢ଼ିଛି। ଗତବର୍ଷ ଏହି ଅଂଶ ପ୍ରାୟ ୮.୧ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଏହା ୯.୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ବ୍ରିକ୍ସ ଦେଶଗୁଡ଼ିକୁ ଭାରତର ରପ୍ତାନି ବଢ଼ିବା ଦ୍ୱାରା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ବଜାର ବିସ୍ତାରର ସୁଯୋଗ ସୃଷ୍ଟି ହୋଇପାରେ। ବିଶ୍ୱ ବାଣିଜ୍ୟରେ ଟାରିଫ୍ ଓ ବାଣିଜ୍ୟିକ ଅନିଶ୍ଚିତତା ବଢ଼ୁଥିବା ସମୟରେ ନୂଆ ବାଣିଜ୍ୟିକ ସହଭାଗୀତା ଭାରତ ପାଇଁ ବିକଳ୍ପ ବଜାର ଖୋଲିପାରେ।

ବିଶେଷକରି ଚୀନକୁ ଭାରତର ରପ୍ତାନି ବଢ଼ିବା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଅସନ୍ତୁଳନକୁ କିଛି ମାତ୍ରାରେ କମାଇବାରେ ସହାୟକ ହୋଇପାରେ। ଏହା ସହିତ ଭାରତୀୟ ମାନୁଫାକ୍ଚରିଂ କ୍ଷେତ୍ର ପାଇଁ ଅଧିକ ରପ୍ତାନି ସୁଯୋଗ ଏବଂ ନୂଆ ବଜାର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ମୋଟାମୋଟି ଭାବେ, ବ୍ରିକ୍ସ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟିକ ସମ୍ପର୍କରେ ରପ୍ତାନିର ଏହି ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ଧାରାକୁ ଦର୍ଶାଉଛି।