India Apparel Exports: ମେନୁଫେକ୍ଚରିଂ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ବିଭିନ୍ନ କମ୍ପାନୀ ଚୀନ+୧(ଚୀନ ବ୍ୟତୀତ ଅନ୍ୟ ଏକ ଦେଶରେ ବ୍ୟବସାୟ ଖୋଜିବା ରଣନୀତି) ରଣନୀତି ଆପଣାଇବା ପାଇଁ ବିକଳ୍ପ ଖୋଜୁଥିବା ବେଳେ ଭାରତ ଏହାର ଫାଇଦା ଉଠାଇପାରୁନି। କାରଣ ପୋଷାକ ବଜାରକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଦେଖିଲା ପରେ ଭାରତୀୟ ନିରାଶ ହୋଇପାରନ୍ତି।

ବିଶ୍ୱ ପୋଷାକ ରପ୍ତାନି ବଜାରରେ ଚୀନର ପ୍ରଭାବ କ୍ରମେ କ୍ରମେ କମିବା ଭାରତ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି। ହେଲେ ଭାରତ ଏହି ସୁଯୋଗର ଲାଭ ନେବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କର କେତେ ଯୋଜନା କେତେ ପ୍ରୋତ୍ସାହନ ସତ୍ତ୍ୱେ ଭାରତୀୟ ପୋଷାକ ରପ୍ତାନୀ ବଢ଼ିବା ବଦଳରେ ବରଂ କମିଛି। ପିଏଲ କ୍ୟାପିଟାଲର ଟେକ୍ସଟାଇଲ୍ ସେକ୍ଟର ରିପୋର୍ଟ ଅନୁସାରେ, ୨୦୨୫ରେ ବିଶ୍ୱ ପୋଷାକ ରପ୍ତାନିରେ ଭାରତର ଅଂଶ ପ୍ରାୟ ୩ ପ୍ରତିଶତରେ ସ୍ଥିର ରହିଛି।

ରିପୋର୍ଟ ଅନୁସାରେ, ୨୦୧୦ରେ ବିଶ୍ୱ ପୋଷାକ ରପ୍ତାନିରେ ଚୀନର ଅଂଶ ୩୬.୯ ପ୍ରତିଶତ ଥିବା ବେଳେ ୨୦୨୫ରେ ଏହା ୨୭.୩ ପ୍ରତିଶତକୁ ଖସି ଆସିଛି। ଅର୍ଥାତ୍ ଚୀନର ଅଂଶ ପ୍ରାୟ ୧୦ ପ୍ରତିଶତ ପଏଣ୍ଟ କମିଛି। ଅନ୍ୟପକ୍ଷରେ, ଭାରତର ଅଂଶ ୨୦୧୦ର ୩.୨ ପ୍ରତିଶତ ଥିଲା। ହେଲେ ୨୦୨୫ରେ ଏଥିରେ ସାମାନ୍ୟ ହ୍ରାସ ପାଇ ୩ ପ୍ରତିଶତ ହୋଇଛି। ଯାହା ଅତ୍ୟନ୍ତ ନିରାଶାଜନକ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ସମୟରେ ବାଂଲାଦେଶ ଏବଂ ଭିଏତନାମ୍ ବିଶ୍ୱ ପୋଷାକ ବଜାରରେ ନିଜର ଅଂଶ ବଢ଼ାଇଛନ୍ତି। ଉଭୟ ଦେଶର ମିଳିତ ଅଂଶ ୨୦୧୦ରେ ପ୍ରାୟ ୭ ପ୍ରତିଶତ ଥିବା ବେଳେ ୨୦୨୫ରେ ଏହା ୧୩ ପ୍ରତିଶତରୁ ଅଧିକ ହୋଇଛି। ଏଥିରେ ଆଶ୍ଚର୍ଯ୍ୟର କଥା ହେଲା ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା। ଭାରତ ସହ ସମ୍ପର୍କ ଖରାପ ଯୋଗୁ ଦେଶର କପଡ଼ା ଇଣ୍ଡଷ୍ଟ୍ରୀ ପ୍ରଭାବିତ ହୋଇଥିଲା। ଏହା ସତ୍ତ୍ୱେ ବି ବାଂଲାଦେଶ ଭାରତ ତୁଳନାରେ ଭଲ ପ୍ରଦର୍ଶନ କରିଛି। ହେଲେ ଏତେବଡ଼ ବିଶାଳ ମାର୍କେଟ୍ ଥାଇବ ଭାରତ ଏହାର ପାଇଦା ଉଠାଇପାରୁ ନାହିଁ।

ଚୀନରୁ ହଟୁଥିବା ୫୦-୬୦ ବିଲିୟନ ଡଲାରର ବ୍ୟବସାୟ

ପିଏଲ କ୍ୟାପିଟାଲ ରିପୋର୍ଟରେ ଆହୁରି କହିଛି, ‘ଚାଇନା ପ୍ଲସ୍ ୱାନ୍’ ରଣନୀତି ଯୋଗୁ ଚୀନର ରପ୍ତାନି ପ୍ରଭୁତ୍ୱରେ ପ୍ରାୟ ୯.୬ ପ୍ରତିଶତ ପଏଣ୍ଟର ହ୍ରାସ ଘଟିଛି। ଫଳରେ ପ୍ରାୟ ୫୦ରୁ ୬୦ ବିଲିୟନ ଡଲାରର ବ୍ୟବସାୟିକ ଭଲ୍ୟୁମ୍ ବିଶ୍ୱର ନୂଆ ସୋର୍ସିଂ ବଜାର ପାଇଁ ଉପଲବ୍ଧ ହୋଇଛି। ଏହି ପରିବର୍ତ୍ତନରୁ ଏପର୍ଯ୍ୟନ୍ତ ବାଂଲାଦେଶ ଓ ଭିଏତନାମ୍ ଅଧିକ ଲାଭ ପାଇଛନ୍ତି। କମ୍ ଉତ୍ପାଦନ ଖର୍ଚ୍ଚ, ଭଲ ବାଣିଜ୍ୟିକ ଚୁକ୍ତି ଏବଂ ଏକୀକୃତ ମାନୁଫାକ୍ଚରିଂ ବ୍ୟବସ୍ଥା ଏହି ଦୁଇ ଦେଶକୁ ବିଶ୍ୱ ପୋଷାକ ଶିଳ୍ପରେ ଆଗକୁ ବଢ଼ାଇଛି।

ଭାରତ କାହିଁକି ପଛରେ?

ରିପୋର୍ଟରେ କୁହାଯାଇଛି ଯେ ଭାରତର ପୋଷାକ ଶିଳ୍ପରେ ଏପର୍ଯ୍ୟନ୍ତ ଏଭଳି ଏକୀକୃତ ଶିଳ୍ପ ହବ୍ର ଅଭାବ ରହିଛି, ଯେଉଁଠାରେ ଫାଇବର୍, ଫ୍ୟାବ୍ରିକ୍ ଏବଂ ଫ୍ୟାଶନ୍ ଉତ୍ପାଦନ ଏକାଠି ହୋଇପାରିବ। ଏହା ସହିତ ଭାରତରେ ପୁଞ୍ଜି ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ ଅଧିକ। ଏହି କାରଣରୁ ବିଶ୍ୱ ପୋଷାକ ରପ୍ତାନିରେ ଭାରତର ଅଂଶ ବିଶେଷ ବଢ଼ିପାରି ନାହିଁ।

Also Read- ନିଜ ନାଁର ସିମ୍ ଅନ୍ୟକୁ ଦେଲେ ଫସିବେ! ଜରିମାନା ସହ ଜେଲ୍ ଯିବେ

ତେବେ ଭାରତର ସ୍ଥିତି ବଦଳାଇବା ପାଇଁ ଏବେ ଅନେକ ପ୍ରୟାସ ଚାଲିଛି। ସ୍ଥିତି ବି ଅନୁକୂଳ ରହୁଛି। ଚୀନ ଠାରୁ ବିଶ୍ୱ ସପ୍ଲାଇ ଚେନ୍କୁ ବିବିଧ କରିବାର ପ୍ରୟାସ, ସରକାରଙ୍କ ପିଏଲ୍ଆଇ ଯୋଜନା, ପିଏମ ମିତ୍ର ପାର୍କ ଏବଂ ବିଭିନ୍ନ ଦେଶ ସହ ଭାରତର ବାଣିଜ୍ୟିକ ଚୁକ୍ତି ଦେଶର ଟେକ୍ସଟାଇଲ୍ ଓ ପୋଷାକ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି।

FY26ରେ ଭାରତର ଟେକ୍ସଟାଇଲ୍ ରପ୍ତାନି ୩୭ ବିଲିୟନ ଡଲାର

ଭାରତର ଟେକ୍ସଟାଇଲ୍ ଓ ପୋଷାକ ରପ୍ତାନି ଆର୍ଥିକ ବର୍ଷ ୨୦୨୬ରେ ପ୍ରାୟ ୩୭ ବିଲିୟନ ଡଲାର ରହିଛି। ଏଥିରେ ରେଡିମେଡ୍ ଗାର୍ମେଣ୍ଟସ୍ର ଅଂଶ ସର୍ବାଧିକ, ଯାହା ପ୍ରାୟ ୪୪ ପ୍ରତିଶତ। ୨୦୨୫ରେ ବିଶ୍ୱ ଟେକ୍ସଟାଇଲ୍ ଓ ପୋଷାକ ରପ୍ତାନିରେ ଭାରତର ଅଂଶ ପ୍ରାୟ ୪ ପ୍ରତିଶତ ଥିଲା।

ପିଏଲ କ୍ୟାପିଟାଲ ଅନୁସାରେ, ଚୀନରୁ ବ୍ୟବସାୟ ହଟିବାର ସମସ୍ତ ଲାଭ ଭାରତର ସମସ୍ତ ଟେକ୍ସଟାଇଲ୍ କମ୍ପାନୀ ସମାନ ଭାବେ ପାଇବେ ନାହିଁ। ବିଶ୍ୱର ବଡ଼ ବ୍ରାଣ୍ଡଗୁଡ଼ିକ ଏବେ କମ୍ ସଂଖ୍ୟକ ଏବଂ ବଡ଼ ସପ୍ଲାୟରଙ୍କ ସହ ବ୍ୟବସାୟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।

କ୍ରେତାମାନେ ଏଭଳି ସପ୍ଲାୟର ଖୋଜୁଛନ୍ତି, ଯେଉଁମାନେ ବଡ଼ ପରିମାଣରେ ଉତ୍ପାଦନ କରିପାରିବେ, ସମୟରେ ଯୋଗାଣ ଦେଇପାରିବେ, ଉତ୍ପାଦର ଟ୍ରେସେବିଲିଟି(ହିସାବକିତାବ) ରଖିପାରିବେ, ଇଏସ୍ଜି ମାନଦଣ୍ଡ ପାଳନ କରିପାରିବେ ଏବଂ ଏକାଧିକ ଦେଶରେ ସପ୍ଲାଇ ଚେନ୍କୁ ସୁଦୃଢ଼ ରଖିପାରିବେ।

ସ୍କେଲ୍ ଓ ଟେକ୍ନୋଲୋଜି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ

ଭାରତୀୟ ପୋଷାକ ଶିଳ୍ପରେ ଏବେ ମଧ୍ୟ ଅନେକ ସମସ୍ୟା ରହିଛି। ଯେମିତିକି ବିଖଣ୍ଡିତ ଉତ୍ପାଦନ କ୍ଷମତା, ଅଧିକ ସମୟ ଲାଗିବା, ମ୍ୟାନ୍-ମେଡ୍ ଫାଇବର୍ କ୍ଷେତ୍ରରେ ସୀମିତ କ୍ଷମତା ଏବଂ ଟେକ୍ନୋଲୋଜୀ ଆପଣାଇବାରେ ମନ୍ଥରତା ଆଦି ସମସ୍ୟା ରହିଛି। ଚୀନ, ଭିଏତନାମ୍ ଓ ବାଂଲାଦେଶ ତୁଳନାରେ ଏହି କ୍ଷେତ୍ରଗୁଡ଼ିକରେ ଭାରତକୁ ଆହୁରି ଉନ୍ନତି କରିବାକୁ ପଡ଼ିବ।

ତେଣୁ ଆଗାମୀ ଦିନରେ ଟେକ୍ସଟାଇଲ୍ ଓ ପୋଷାକ କ୍ଷେତ୍ରରେ ବଡ଼, ସଂଗଠିତ ଏବଂ ଦ୍ରୁତ କାର୍ଯ୍ୟକାରୀ କରିପାରୁଥିବା କମ୍ପାନୀଗୁଡ଼ିକ ହିଁ ଅଧିକ ସୁଯୋଗ ପାଇପାରନ୍ତି। ବଡ଼ ଉତ୍ପାଦନ କ୍ଷମତା, ଦ୍ରୁତ ଡେଲିଭରି ଏବଂ ଏକୀକୃତ ସପ୍ଲାଇ ଚେନ୍ ଭାରତୀୟ ପୋଷାକ ଶିଳ୍ପକୁ ବିଶ୍ୱ ବଜାରରେ ଆହୁରି ପ୍ରତିଯୋଗୀ କରିବାରେ ମୁଖ୍ୟ ଭୂମିକା ନେଇପାରେ।