ନୂଆଦିଲ୍ଲୀ: ଅନେକ କ୍ଷେତ୍ରରରେ ଆମେ ନିଜ ନାଁରେ ସିମ କାର୍ଡ ନେଇ ପରିବାର ବର୍ଗ ଓ ସାଂଗସାଥିକୁ ବ୍ୟବହାର କରିବାକୁ ଦେଇଥାଉ। ହେଲେ ଏବେ ଆଉ ସେସବୁ ଚଳିବନି। ନିଜ ଡକ୍ୟୁମେଣ୍ଟରେ ସିମ୍ କାର୍ଡ ନେଇ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ।

କେବଳ ସେତିକି ନୁହେଁ ନିଜ ନାଁରେ ସିମ୍ ନେଇ କାହାକୁ ବିକ୍ରି କରିବା, ଭଡ଼ାରେ ଦେବା କିମ୍ବା ସାଇବର ଠକେଇ ପାଇଁ ବ୍ୟବହାର କରିବା ଏଣିକି ମହଙ୍ଗା ପଡ଼ିପାରେ। ଦୂରସଂଚାର ବିଭାଗ ଗତ ୨୧ ସେପ୍ଟେମ୍ବରରେ ଏନେଇ ନୂଆ ଆଡଭାଇଜରି ଜାରି କରିଛି। ନକଲି ପରିଚୟପତ୍ରରେ ସିମ୍ କିଣିବା କିମ୍ବା ବିକ୍ରି କରିବା, ମୋବାଇଲର IMEI ନମ୍ବରରେ ହେରଫେର କରିବା ଭଳି କାର୍ଯ୍ୟ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା ଯାଏ ଜରିମାନା ହୋଇପାରେ।

ସରକାର ସମସ୍ତ ମୋବାଇଲ୍ ଉପଭୋକ୍ତାଙ୍କୁ ନିଜ ନାଁରେ କେତୋଟି ସିମ୍ ଚାଲୁଛି, ତାହା ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ଏଥିପାଇଁ ସଞ୍ଚାର ସାଥୀ ପୋର୍ଟାଲ କିମ୍ବା ଆପ୍ ମାଧ୍ୟମରେ ନିଜ ଆଇଡିରେ ଅଜଣା ମୋବାଇଲ୍ ନମ୍ବର ସକ୍ରିୟ ଅଛି କି ନାହିଁ, ତାହା ତୁରନ୍ତ ଚେକ୍ କରିପାରିବେ।

Also Read- TRAIର ବଡ଼ ପଦକ୍ଷେପ ! ବିନା ଡାଟାର ରିଚାର୍ଜ ପ୍ଲାନ ଆଣିବେ ଟେଲିକମ୍ କମ୍ପାନି, ୩୦ ଦିନର ଭାଲିଡିଟି ମିଳିବ

ଛତିଶଗଡ଼ ଘଟଣା ପରେ ଆଡଭାଇଜରି

ଛତିଶଗଡ଼ରେ ଘଟିଥିବା ଏକ ବଡ଼ ସାଇବର ଠକେଇ ଘଟଣା ପରେ ଦୂରସଂଚାର ବିଭାଗ ଏହି ପଦକ୍ଷେପ ନେଇଛି। ସେଠାରେ ଜଣେ ସିମ୍ ବିକ୍ରେତା ଏଜେଣ୍ଟ ଲୋକଙ୍କ ଡକ୍ୟୁମେଣ୍ଟକୁ ଦୁରୁପଯୋଗ କରି ସେମାନଙ୍କ ଅଜାଣତରେ ୨୫ଟି ନକଲି ସିମ୍ ଆକ୍ଟିଭେଟ୍ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଦୂର ସଂଚାର ବିଭାଗ ସମ୍ପୃକ୍ତ ଏଜେଣ୍ଟଙ୍କୁ ବ୍ଲାକଲିଷ୍ଟ କରିଥିଲା। ରି-ଭେରିଫିକେସନରେ ବିଫଳ ହେବା ପରେ ସମସ୍ତ ୨୫ଟି ନମ୍ବରକୁ ବନ୍ଦ କରାଯାଇଥିଲା।

ନିଜ ନାଁର ସିମ୍ ଅନ୍ୟକୁ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଦୂରସଂଚାର ବିଭାଗ ସ୍ପଷ୍ଟ କରିଛି ଯେ, ନିଜ ନାଁରେ ସିମ୍ ନେଇ ତାହାକୁ ଅନ୍ୟକୁ ବିକ୍ରି କରିବା, ଭଡ଼ାରେ ଦେବା କିମ୍ବା ସାଇବର ଅପରାଧ ପାଇଁ ବ୍ୟବହାର କରିବାକୁ ଦେଲେ ମୂଳ ଗ୍ରାହକ ମଧ୍ୟ ଆଇନର ଜାଲରେ ଫସିପାରନ୍ତି। ନକଲି ଡକ୍ୟୁମେଣ୍ଟରେ ସିମ୍ ନେବା, ନିଜ ପରିଚୟ ଲୁଚାଇ ଠକେଇ କରିବା କିମ୍ବା ଅନ୍ୟ ଜଣଙ୍କ ନାଁରେ ଥିବା ସିମ୍କୁ ଅପବ୍ୟବହାର କରିବା ମଧ୍ୟ ଗୁରୁତର ଅପରାଧ। ଠକମାନେ କୌଣସି ବ୍ୟକ୍ତିଙ୍କ ଆଇଡି ପ୍ରୁଫରେ ସିମ୍ ନେଇ କିମ୍ବା ଟଙ୍କାର ଲୋଭ ଦେଖାଇ ତାଙ୍କଠାରୁ ସିମ୍ ନେଇ ସାଇବର ଅପରାଧ କଲେ, ଏଭଳି ସିମ୍କୁ ‘ମ୍ୟୁଲ୍ ସିମ୍’ କୁହାଯାଏ।

IMEI ଏବଂ କଲିଂ ଆଇଡିରେ ହେରଫେର ମଧ୍ୟ ଅପରାଧ

ଆଡଭାଇଜରିରେ ମୋବାଇଲ୍ ଫୋନର IMEI ନମ୍ବରରେ ହେରଫେର କିମ୍ବା ପରିବର୍ତ୍ତନ କରିବା ଉପରେ ମଧ୍ୟ କଡ଼ା ନିୟମ କରାଯାଇଛି। ଏଭଳି ଭାବେ IMEI ନମ୍ବର ବଦଳାଯାଇଥିବା ଫୋନ୍ ବ୍ୟବହାର କରିବା ମଧ୍ୟ ବେଆଇନ।

ସେହିପରି ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଅନ୍ୟ କାହାର ମୋବାଇଲ୍ ନମ୍ବର ଦେଖାଇ କଲ୍ କରିବା, ଅର୍ଥାତ୍ କଲିଂ ID ପରିବର୍ତ୍ତନ କରିବାର ଟୁଲ୍ ବ୍ୟବହାର କରିବା ମଧ୍ୟ ଅପରାଧ। ସରକାର ଏଭଳି କାର୍ଯ୍ୟକୁ ଦେଶର ସୁରକ୍ଷା ଓ ଟେଲିକମ୍ ନେଟୱର୍କ ପାଇଁ ବିପଦ ବୋଲି ଦର୍ଶାଇଛି।

Also Read- ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ଏଣିକି ବଜାରରେ ମିଳିବନି ନକଲି ସ୍କ୍ରିନ୍ ଗାର୍ଡ

ଜଣେ ବ୍ୟକ୍ତି କେତୋଟି ସିମ୍ ରଖିପାରିବେ?

ଭାରତରେ ସାଧାରଣତଃ ଜଣେ ବ୍ୟକ୍ତି ନିଜ ନାଁରେ ସର୍ବାଧିକ ୯ଟି ସିମ୍ କାର୍ଡ ରଖିପାରିବେ। କିନ୍ତୁ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଏହି ସୀମା ଅଲଗା। ସୁରକ୍ଷା କାରଣରୁ ଏଠାରେ ଜଣେ ବ୍ୟକ୍ତି ନିଜ ନାଁରେ ସର୍ବାଧିକ ୬ଟି ସିମ୍ ରଖିପାରିବେ। ନୂଆ ସିମ୍ ଆକ୍ଟିଭେଟ୍ କରିବା ପୂର୍ବରୁ ଟେଲିକମ୍ କମ୍ପାନୀଗୁଡ଼ିକୁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଗ୍ରାହକଙ୍କ ନାଁରେ କେତୋଟି ସିମ୍ ଚାଲୁଛି, ତାହା ଯାଞ୍ଚ କରିବାକୁ କୁହାଯାଇଛି।

୯ରୁ ଅଧିକ ସିମ୍ ଥିଲେ ଦେଖାଯିବ ଫଟୋ

ସିମ୍ ସଂଖ୍ୟାକୁ ନେଇ ନିୟମ ଆହୁରି କଡ଼ା କରିବା ପାଇଁ ଅଗଷ୍ଟ ୨୩ରୁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଏକ ନୂଆ ଫିଚର୍ ଯୋଡ଼ାଯାଇଛି। ନିର୍ଦ୍ଧାରିତ ସୀମା, ଅର୍ଥାତ୍ ୯ଟି ସିମ୍ରୁ ଅଧିକ ସିମ୍ ଥିବା ଗ୍ରାହକଙ୍କ ଫଟୋ ଏହି ପ୍ଲାଟଫର୍ମରେ ଦେଖାଯିବ। ଏହାଦ୍ୱାରା ସିମ୍ ବିକ୍ରି ସମୟରେ ଡିଲରମାନେ ଗ୍ରାହକଙ୍କ ପରିଚୟ ଯାଞ୍ଚ କରି ନିୟମ ଅନୁଯାୟୀ ନୂଆ ସିମ୍ ଦେବା କି ନାହିଁ, ତାହା ନିଷ୍ପତ୍ତି ନେଇପାରିବେ।

ନଭେମ୍ବର ୩୦ ଯାଏଁ ଟେଲିକମ୍ କମ୍ପାନୀଙ୍କୁ ସମୟ

ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଦୂରସଂଚାର ବିଭାଗ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ନିଜ ସିଷ୍ଟମ୍କୁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ିବା ପାଇଁ ୩୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସମୟ ଦେଇଛି। ଏହି ସମୟ ମଧ୍ୟରେ କମ୍ପାନୀଗୁଡ଼ିକୁ ନିଜ ପ୍ରକ୍ରିୟା ଓ ସିଷ୍ଟମରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପଡ଼ିବ, ଯାହାଦ୍ୱାରା ନିର୍ଦ୍ଧାରିତ ସୀମାରୁ ଅଧିକ ସିମ୍ ଅନଧିକୃତ ଭାବେ ଆକ୍ଟିଭେଟ୍ ହୋଇପାରିବ ନାହିଁ।