ଭୁବନେଶ୍ୱର : ମିନେସୋଟା ବାସିନ୍ଦା ୧୩ ବର୍ଷୀୟା ଭାରତ-ଆମେରିକୀୟ ଛାତ୍ରୀଙ୍କ ଉଦ୍ଭାବନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତାଜା ଫଳ ଓ ପରିବାକୁ କୀଟନାଶକ-ମୁକ୍ତ କରିବାର ଏକ ନୂଆ ପଦ୍ଧତି ସେ ବିକାଶ କରିଛନ୍ତି । ଏଥିଲାଗି ସେ ଚିନାବାଦାମ ଚୋପାର ଉପଯୋଗ କରିଛନ୍ତି। ମିନେସୋଟାର ଶୋରଉଡ୍ ସ୍ଥିତ ମିନେଟୋଙ୍କା ମିଡିଲ ସ୍କୁଲ ଇଷ୍ଟର ୭ମ ଶ୍ରେଣୀ ଛାତ୍ରୀ ଏରିକା କୁଣ୍ଡୁ ଏହି ପଦ୍ଧତି ବିକାଶ କରିଛନ୍ତି। ତାଙ୍କ ପ୍ରୋଜେକ୍ଟର ନାଁ ‘ଲିଗ୍ନେକ୍ସ"। ଏହା ଏକ ଜୈବ-ଅବଶୋଷଣ ଆଧାରିତ ପଦ୍ଧତି, ଯାହା ତାଜା ଫଳ-ପରିବାରୁ କୀଟନାଶକ କଣିକା ଦୂର କରିବା ନିମନ୍ତେ ଜୈବିକ ବର୍ଜ୍ୟ ଉପାଦାନର ଉପଯୋଗ କରେ ।

ଏହି ପ୍ରୋଜେକ୍ଟ ଜରିଆରେ ୨୦୨୬-୩ଏମ୍ ୟଙ୍ଗ ସାଇଣ୍ଟିଷ୍ଟ ଚାଲେଞ୍ଜରେ ୧୦ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଏରିକା ସ୍ଥାନ ପାଇଛନ୍ତି । ଏହି ଜାତୀୟ ପ୍ରତିଯୋଗିତା ବାସ୍ତବ -ଜୀବନରେ ସମସ୍ୟାର ବୈଜ୍ଞାନିକ-ଆଧାରିତ ସମାଧାନର ବିକାଶ ନିମନ୍ତେ ୧୧ରୁ ୧୪ ବର୍ଷ ବୟସର ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ମାନ୍ୟତା ପ୍ରଦାନ କରେ । ଚୂଡ଼ାନ୍ତ ପ୍ରତିଯୋଗୀ ଭାବେ ଏରିକା ଏବେ ୩ଏମ୍ ବୈଜ୍ଞାନିକଙ୍କ ସହ କାମ କରିବେ । ଆସନ୍ତା ଅକ୍ଟୋବରରେ ଏହାର ଶେଷ ରାଉଣ୍ଡ ହେବ । ଏଥିରେ ଜିତିଲେ ତାଙ୍କୁ ୨୫ ହଜାର ଡଲାର ପୁରସ୍କାର ରାଶି ଓ ‘ଆମେରିକାର ଶୀର୍ଷ ଯୁବ ବୈଜ୍ଞାନିକ' ଟାଇଟଲ ପ୍ରଦାନ କରଯିବ।

ଏରିକା କହିଛନ୍ତି , ଅମଳ ପରେ ଫଳ ଓ ପରିବା ଚୋପାରେ କୀଟନାଶକ କଣିକା ରହିଯାଏ । ଧୋଇବା ଦ୍ୱାରା କିଛି ରସାୟନ ଓ ବିଷାକ୍ତ କଣିକା ବାହାରିଯାଏ । କିନ୍ତୁ ସମସ୍ତ ରାସାୟନିକ ତତ୍ତ୍ୱ ଦୂର ହୋଇପାରେନା। ଏହି ହାନିକାରକ ରାସାୟନିକ କଣିକାଗୁଡ଼ିକୁ ହଟାଇବା ଲାଗି ଏରିକା ଏକ ବ୍ୟବହାରିକ ଓ ଶସ୍ତା ଉପାୟ ଖୋଜୁଥିଲେ । ମହଙ୍ଗା ଉପକରଣ ପ୍ରୟୋଗ ବଦଳରେ ସେ ଜୈବ ବର୍ଜ୍ୟ ଉପରେ ଫୋକସ୍ କଲେ I ମଞ୍ଜି ବାହାର କରିବା ପରେ ଚିନାବାଦାମ ଚୋପାକୁ ଫିଙ୍ଗିଦିଆଯାଏ । ଏହାର ପ୍ରୟୋଗ ଜରିଆରେ ସେ ଏକ ପଦ୍ଧତି ପ୍ରସ୍ତୁତ କଲେ, ଯାହା ଏହି ଚୋପାକୁ ତାଜା ଫଳ-ପରିବା ପୃଷ୍ଠରୁ କୀଟନାଶକ କଣିକାକୁ ଅବଶୋଷଣ କରିବାରେ ସକ୍ଷମ ଏକ ଉପାଦାନରେ ରୂପାନ୍ତରିତ କରେ । ଏହା ହିଁ ଜୈବ-ଅବଶୋଷଣ ପ୍ରକ୍ରିୟା। ଫଳ-ପରିବା ଯେତେବେଳେ ଏହାର ସଂସ୍ପର୍ଶରେ ଆସେ, ଏହା ସେଗୁଡ଼ିକ ପୃଷ୍ଠରୁ ରସାୟନ ଅବଶୋଷଣ କରିଦିଏ ।