ଭୁବନେଶ୍ୱର : ଏବେକା ସମୟରେ AIର ବହୁଳ ମାତ୍ରାରେ ବ୍ୟବହାର ବଢି ଚାଲିଛି । AI ଯେତେ ନୂଆ ସୁଯୋଗ ଆଣୁଛି, ସେତେ ନୂଆ ବିପଦର ଆଶଙ୍କା ମଧ୍ୟ ବଢ଼ାଉଛି। ଭାରତର ଦ୍ରୁତ ବଢ଼ୁଥିବା ଡିଜିଟାଲ୍ ବ୍ୟାଙ୍କିଂ ବ୍ୟବସ୍ଥା ଏବେ AI ଆଧାରିତ ସାଇବର ଆକ୍ରମଣର ନୂଆ ଟାର୍ଗେଟ୍ ହୋଇପାରେ । ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତାରେ ହ୍ୟାକରମାନେ ନୂଆ ନୂଆ କୌଶଳରେ ଠକିବାର ସୁଯୋଗ ପାଉଛନ୍ତି । ତେବେ ଏହି AI ଥ୍ରେଟ୍ କ’ଣ ଏବଂ କାହିଁକି ଭାରତୀୟ ବ୍ୟାଙ୍କିଂ ସେକ୍ଟର ପାଇଁ ବଢ଼ାଉଛି ଚିନ୍ତା ।

ଡିଜିଟାଲ୍ ବିପ୍ଳବ ସହ ଭାରତର ବ୍ୟାଙ୍କିଂ ବ୍ୟବସ୍ଥାରେ ଆସିଛି ବଡ଼ ପରିବର୍ତ୍ତନ। ଅନଲାଇନ୍ ବ୍ୟାଙ୍କିଂ, ମୋବାଇଲ୍ ଆପ୍ ଏବଂ UPI ଭଳି ସେବା ଲକ୍ଷ ଲକ୍ଷ ଲୋକଙ୍କ ଆର୍ଥିକ କାରବାରକୁ ସହଜ କରିଛି। କିନ୍ତୁ ଏହି ଡିଜିଟାଲ୍ ବିସ୍ତାର ସହ ସାଇବର ଅପରାଧୀଙ୍କ ପାଇଁ ମଧ୍ୟ ନୂଆ ରାସ୍ତା ଖୋଲିଛି। ବିଶେଷଜ୍ଞଙ୍କ ମତରେ, AI ବ୍ୟବହାର କରି ସାଇବର ଅପରାଧୀମାନେ ଏବେ ଅଧିକ ଦ୍ରୁତ ଗତିରେ ଫିସିଂ ଆକ୍ରମଣ, ଫେକ ପରିଚୟ ସୃଷ୍ଟି ଏବଂ ଡାଟା ଚୋରି ଭଳି ଅପରାଧ କରିପାରୁଛନ୍ତି। ପୂର୍ବରୁ ଯେଉଁ ଠକେଇ ପାଇଁ ଦିନ କିମ୍ବା ସପ୍ତାହ ଲାଗୁଥିଲା, AI ଯୋଗୁଁ ତାହା ଅତ୍ୟଳ୍ପ ସମୟରେ ସମ୍ଭବ ହେଉଛି। AI ଆଧାରିତ ଠକେଇର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ‘ସ୍ପିଡ୍ ଟ୍ରାପ୍’। ଅର୍ଥାତ୍, ସାଇବର ଠକମାନେ ମେସିନ୍ ଲର୍ଣ୍ଣିଂ ଓ AI ଟୁଲ୍ର ସହାୟତାରେ ଗ୍ରାହକଙ୍କ ତଥ୍ୟ ବିଶ୍ଳେଷଣ କରି ଅଧିକ ସହଜରେ ଠକେଇ ଯୋଜନା ପ୍ରସ୍ତୁତ କରିପାରୁଛନ୍ତି।

ଭାରତୀୟ ବ୍ୟାଙ୍କଗୁଡ଼ିକ ଏବେ AI ଆଧାରିତ ସୁରକ୍ଷା ବ୍ୟବସ୍ଥା, ରିଅଲ୍ ଟାଇମ୍ ଫ୍ରଡ୍ ଡିଟେକ୍ସନ୍ ଏବଂ ସାଇବର ମନିଟରିଂ ଉପରେ ଜୋର ଦେଉଛନ୍ତି। କିନ୍ତୁ AI ଯେତେ ଶକ୍ତିଶାଳୀ ହେଉଛି, ସେହି ଅନୁପାତରେ ସାଇବର ସୁରକ୍ଷାକୁ ମଧ୍ୟ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ସାଇବର ବିଶେଷଜ୍ଞମାନଙ୍କ ମତରେ, କେବଳ ବ୍ୟାଙ୍କ ନୁହେଁ, ଗ୍ରାହକମାନଙ୍କୁ ମଧ୍ୟ ସଚେତନ ରହିବାକୁ ପଡ଼ିବ। ଅଜଣା ଲିଙ୍କରେ କ୍ଲିକ୍ କରିବା, OTP କିମ୍ବା ବ୍ୟକ୍ତିଗତ ବ୍ୟାଙ୍କିଂ ତଥ୍ୟ ସେୟାର କରିବା ଭଳି ଭୁଲ୍ ବଡ଼ ଆର୍ଥିକ କ୍ଷତିର କାରଣ ହୋଇପାରେ। AI ଆଗାମୀ ଦିନରେ ବ୍ୟାଙ୍କିଂକୁ ଆହୁରି ସହଜ ଓ ଦ୍ରୁତ କରିବାର କ୍ଷମତା ରଖୁଛି। କିନ୍ତୁ ଏହା ସହ ଆସୁଥିବା ସାଇବର ବିପଦକୁ ରୋକିବା ପାଇଁ ବ୍ୟାଙ୍କ ଓ ଗ୍ରାହକ ଉଭୟଙ୍କୁ ସତର୍କ ରହିବାକୁ ହେବ।