ନୂଆଦିଲ୍ଲୀ, ୨୦।୧୧ : ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଦମଦାର ଆରମ୍ଭ କରିଛି । ବ୍ୟାଟର କେଏଲ ରାହୁଲ ଏବଂ ଯଶସ୍ୱୀ ଜୟସ୍ୱାଲ ଅର୍ଧଶତକ ହାସଲ କରିଛନ୍ତି । ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ଗୋଟିଏ ଓ୍ୱିକେଟ୍ ହରାଇ ୧୫୯ ରନ୍ କରିଛି ।

ମୁକାବିଲାରେ ଟସ୍ ହାରି ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଦଳ ୩୬୮ ରନରେ ଅଲଆଉଟ୍ ହୋଇଯାଇଥିଲା । ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା ନ୍ୟୁଜିଲାଣ୍ଡ । ସ୍କୋର ଶହେ ଛୁଇଁବା ପୂର୍ବରୁ ୫ଟି ଓ୍ୱିକେଟ୍ ଦଳ ହରାଇ ସାରିଥିଲା । ହେଲେ ହେନରି ନିକୋଲାସ ଏବଂ ଗ୍ଲେନ୍ ଫିଲିପ୍ସ ସ୍ଥିତି ସମ୍ଭାଳିଥିଲେ । ଉଭୟ ଷଷ୍ଠ ଓ୍ୱିକେଟରେ ଦମଦାର ପାର୍ଟନରସିପ୍ କରିଥିଲେ । ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ।

ହେନରୀ ନିଜ ଟେଷ୍ଟ୍ କ୍ୟାରିଅରରେ ଦ୍ୱାଦଶ ଶତକ ହାସଲ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୧୧୮ ରନ୍ କରିଥିଲେ । ଫିଲିପ୍ସ ଆଉଟ୍ ହେଲା ପରେ ଦଳର ଅନ୍ୟ ବ୍ୟାଟର ଉନ୍ନତ ଖେଳ ପ୍ରଦର୍ଶନ କରିପାରିନଥିଲେ । ଫଳରେ ଏକା ଲଢିଥିଲେ ହେନରି । ସେ ୧୭୫ ରନ୍ କରି ଅପରାଜେୟ ରହିଥିଲେ । ଯଦ୍ୱାରା ଦଳ ୩୬୮ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଜସପ୍ରିତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଆକାଶଦୀପ ୩ଟି ଏବଂ ଅନଶୋଲ କମ୍ବୋଜ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

Also Read :- ଆଉ ନାହାଁନ୍ତି ଯୋଗୀ ଆଦିତ୍ୟନାଥଙ୍କ ମାଆ, ୯୧ ବର୍ଷ ବୟସରେ ଦେହାନ୍ତ

ତେବେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଭାରତ ପ୍ରଥମ ଇନିଂସରେ ଦମଦାର ଆରମ୍ଭ କରିଛି । ଓପନିଂ ପାଇଁ ଓହ୍ଲାଇଥିବା ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ ଭଲ ଷ୍ଟାର୍ଟ୍ ଦେଇଥିଲେ । ଉଭୟ ଅର୍ଧଶତକ ହାସଲ କରିଥିଲେ । ଜୟସ୍ୱାଲ ୮୫ ରନ୍ କରି ଆଉଟ୍ ହୋଇଥିଲେ । ଏବେ କ୍ରିଜରେ କେଏଲ ରାହୁଲ ଏବଂ ଦେବଦତ୍ତ ପାଡିକଲ ବ୍ୟାଟିଂ କରୁଛନ୍ତି । ଭାରତ ଏକ ମଜବୁତ ସ୍କୋର ଆଡେ ମୁହାଁଉଥିବା ଅନୁମାନ କରାଯାଉଛି । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।