ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବାଂଲାଦେଶ ଗସ୍ତକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବରରେ ହେବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜର ଆୟୋଜନ ଏବେ ମୁସ୍କିଲ ଲାଗୁଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଶା କରିଛି ଯେ, ଟିମ୍ ଇଣ୍ଡିଆ ତାଙ୍କ ଦେଶ ଗସ୍ତ କରି ସିରିଜ୍ ଖେଳିବ। ଭାରତକୁ ଏହି ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ସିରିଜ୍ ଖେଳିବାର ଅଛି।

ମାତ୍ର ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନ ଟିମ୍ ଇଣ୍ଡିଆ ଏଥର ପଡ଼ୋଶୀ ଦେଶକୁ ଗସ୍ତ କରି ପାରିବ ତ ? ଆଉ ଏହାର ଉତ୍ତର ସଂପ୍ରତି ବିସିସିଆଇ ପାଖରେ ନାହିଁ। ବାଂଲାଦେଶରେ ଜାରି ସାଂପ୍ରତିକ ସ୍ଥିତି ଏବଂ ସୁରକ୍ଷା ସଂପର୍କିତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବୋର୍ଡ ଏହାର ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଉପରେ ଛାଡ଼ିଛି।

Also Read: ରୋହିତଙ୍କ ଭବିଷ୍ୟତ କ’ଣ ? BCCI ପାଟି ଖୋଲୁନି, ସସପେନ୍ସରେ ଫ୍ୟାନ୍ସ

ବିସିସିଆଇର ଜଣେ ବଡ଼ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଗସ୍ତକୁ ନେଇ ବୋର୍ଡ ନିଜ ଦମରେ ନିଷ୍ପତ୍ତି ନେଇ ପାରିବ ନାହିଁ। ଏଥିପାଇଁ ଭାରତ ସରକାରଙ୍କ ମଞ୍ଜୁରୀ ଆବଶ୍ୟକ। ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ହିଁ ବାଂଲାଦେଶ ଗସ୍ତକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିବ।

ବାଂଲାଦେଶ ବୋର୍ଡ ସହ ଚାଲିଛି ଆଲୋଚନା

ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ଚାହୁଁଛି କୌଣସି ସ୍ଥିତିରେ ଏହି ସିରିଜ୍ ଆୟୋଜନ ହେଉ। ଏଥିପାଇଁ ବିସିସିଆଇକୁ ଆନୁଷ୍ଠାନିକ ଚିଠି ମଧ୍ୟ ଲେଖିଛି ବିସିବି। ଦୁଇ ଦେଶର କ୍ରିକେଟ୍ ବୋର୍ଡ ଲଗାତାର ପରସ୍ପରର ଯୋଗାଯୋଗରେ ଅଛନ୍ତି। ବିସିବି ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୫ ମଧ୍ୟରେ ସୀମିତ ଓଭର ସିରିଜ୍ ପାଇଁ ଏକ ସ୍ଵତନ୍ତ୍ର ଓ୍ଵିଣ୍ଡୋ ପ୍ରସ୍ତୁତ କରିଛି। ମାତ୍ର ଏବେ ସବୁ କିଛି ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ଉପରେ ନିର୍ଭର।

Also Read: ୧୫ ବର୍ଷ ନୁହେଁ, ବୟସ ଲୁଚାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ ! ସତ କହିଦେଲେ ବ୍ରେଟ୍ ଲି

ଖେଳାଳିଙ୍କ ସୁରକ୍ଷା ପ୍ରତି ହେବନି ବୁଝାବଣା

ଭାରତୀୟ କ୍ରିକେଟ୍ ବୋର୍ଡ ପାଇଁ ଖେଳାଳିଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ଏହି କାରଣରୁ ବୋର୍ଡ ସରକାରଙ୍କ ବିନା କୌଣସି ପଦକ୍ଷେପ ନେବାକୁ ଚାହୁଁନି। ସରକାରଙ୍କ ସହ ଆଲୋଚନା ପରେ ହିଁ ସ୍ପଷ୍ଟ ହୋଇ ପାରିବ ଯେ, ଭାରତୀୟ ଖେଳାଳି ଢାକା ଅଭିମୁଖେ ଉଡ଼ାଣ ଭରିବେ କି ନାହିଁ। ଯଦି ଭାରତ ସରକାର ଅନୁମତି ଦିଅନ୍ତି ତେବେ ଅଗଷ୍ଟ ଶେଷ ବେଳକୁ ଭାରତ ଓ ବାଂଲାଦେଶ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ।