ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ କେବେ ଆପଣ ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି, କୌଣସି ଦଳ ନିଜ ଘରୋଇ ମାଟିରେ ଖେଳୁଥିବ କିନ୍ତୁ ସେଠାରେ ସେ ଘରୋଇ ଦଳ ନୁହେଁ ବରଂ 'ଅତିଥି' ବୋଲାଉଥିବ? ଏମିତି ଏକ ଐତିହାସିକ ଦୃଶ୍ୟ ଖୁବ୍ଶୀଘ୍ର କ୍ରିକେଟ୍ ମୈଦାନରେ ଦେଖିବାକୁ ମିଳିବାକୁ ଯାଉଛି। ନିଜ ଦେଶରେ ଖେଳି ମଧ୍ୟ ଅତିଥି ସାଜିବ ଭାରତୀୟ କ୍ରିକେଟ୍ ଦଳ। ଆଉ ଭାରତ ମାଟିରେ ଟିମ୍ ଇଣ୍ଡିଆ ବିପକ୍ଷରେ ସିରିଜ୍ ଆୟୋଜନ କରିବାର ସୌଭାଗ୍ୟ ପାଇବ ଅନ୍ୟ ଏକ ବିଦେଶୀ ଦଳ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀ ଗ୍ରାଉଣ୍ଡରେ ଏଭଳି ଏକ ରୋମାଞ୍ଚକର ସିରିଜ୍ ଖେଳାଯିବାକୁ ଯାଉଛି, ଯାହା କ୍ରିକେଟ୍ ଇତିହାସର ସବୁଠାରୁ ନିଆରା ରେକର୍ଡ ବୋଲି କୁହାଯାଉଛି।

କିଏ ହେବ ଆୟୋଜକ, କିଏ ସାଜିବ ଅତିଥି ?

ଜାତୀୟ ଗଣମାଧ୍ୟମ 'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସିରିଜ୍ର ସମସ୍ତ ମ୍ୟାଚ୍ ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଏହାର ଅଫିସିଆଲ୍ ଆୟୋଜକ କିମ୍ବା 'ହୋଷ୍ଟ' (Host) ରହିବ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB)।

Also Read: ବୈଭବକୁ କେବେ ଚୟନ କରିବ ? ଅଜିତ୍ ଅଗରକର୍ଙ୍କୁ କିଏ ଓ କାହିଁକି ଏମିତି କହିଲେ...

ବିପକ୍ଷରେ ଟିମ୍ ଇଣ୍ଡିଆ ନିଜ ଦେଶରେ ଥାଇ ମଧ୍ୟ ଏକ ପରିଦର୍ଶକ ବା ବିଦେଶୀ ଦଳ ଭାବେ ଏହି ମ୍ୟାଚ୍ ଗୁଡ଼ିକ ଖେଳିବ। କ୍ରିକେଟ୍ ଦୁନିଆରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ଯଦିଓ ଏହି ସିରିଜ୍କୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ, ତଥାପି ସେପ୍ଟେମ୍ବର ୧୩, ୧୬ ଏବଂ ୧୯ ତାରିଖରେ ଏହି ତିନୋଟି ମ୍ୟାଚ୍ ଖେଳାଯିବ ବୋଲି ଚର୍ଚ୍ଚା ହେଉଛି।

ଜୁନ୍ ମାସରୁ ଆରମ୍ଭ ହେବ ଆଫଗାନିସ୍ତାନର ଭାରତ ଗସ୍ତ

ଏହି ହାଇଭୋଲ୍ଟେଜ୍ ସେପ୍ଟେମ୍ବର ସିରିଜ୍ ପୂର୍ବରୁ ଆଫଗାନିସ୍ତାନ ଦଳ ଜୁନ୍ ମାସରେ ଭାରତ ଗସ୍ତରେ ଆସୁଛି। ଏହି ଗସ୍ତ କାଳରେ ଦଳ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍ ଖେଳିବ।

ଖେଳସୂଚୀ 

ଏକମାତ୍ର ଟେଷ୍ଟ ମ୍ୟାଚ୍: ଜୁନ୍ ୬ ତାରିଖରୁ (ନ୍ୟୁ ଚଣ୍ଡିଗଡ଼)

ପ୍ରଥମ ଦିନିକିଆ: ଜୁନ୍ ୧୩ ତାରିଖ (ଧର୍ମଶାଳା)

ଦ୍ୱିତୀୟ ଦିନିକିଆ: ଜୁନ୍ ୧୭ ତାରିଖ (ଲକ୍ଷ୍ନୌ)

ତୃତୀୟ ଦିନିକିଆ: ଜୁନ୍ ୨୦ ତାରିଖ (ଚେନ୍ନାଇ)

Also Read: ଚାମ୍ପିଅନ୍ ଆରସିବିକୁ ବଡ଼ ଝଟ୍କା: ଆଗାମୀ ସିଜିନ ପାଇଁ ଟିମ୍ ଡେଭିଡଙ୍କ ଉପରେ ଲାଗିଲା ବ୍ୟାନ

ଆଫଗାନିସ୍ତାନକୁ ସାହାଯ୍ୟର ହାତ ବଢ଼ାଇବ BCCI

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ସମ୍ପର୍କ ସଦାସର୍ବଦା ବେଶ୍ ମଧୁର ରହିଆସିଛି। ପୂର୍ବରୁ ମଧ୍ୟ ଭାରତୀୟ ବୋର୍ଡ ଆୟରଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଭଳି ଦେଶର କ୍ରିକେଟ୍ ବୋର୍ଡକୁ ଆର୍ଥିକ ତଥା ଭିତ୍ତିଭୂମି ଗତ ସହାୟତା ଯୋଗାଇ ଦେଇଛି। ଏବେ ଆଫଗାନିସ୍ତାନକୁ ସହାୟତା କରିବା ପାଇଁ ବିସିସିଆଇ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ (DDCA) ସହ ମଧ୍ୟସ୍ଥତା କରି ଅରୁଣ ଜେଟଲୀ ଷ୍ଟାଡିୟମକୁ ଆଫଗାନିସ୍ତାନର ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇପାରେ। ସମସ୍ତ କାଗଜପତ୍ର କାମ ସରିବା ପରେ ଏନେଇ ଖୁବ୍ଶୀଘ୍ର ସରକାରୀ ମୋହର ବାଜିବ।