​​​​​​​ନୂଆଦିଲ୍ଲୀ: ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ସଭିଙ୍କୁ ନିଜ ପ୍ରତିଭାରେ ବିସ୍ମିତ କରିଥିବା ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅନେକ ଭବିଷ୍ୟବାଣୀ କରାଯାଉଛି । ବହୁ ପୂର୍ବତନ କ୍ରିକେଟର ତାଙ୍କୁ ନେଇ ସକାରାତ୍ମକ ଆଶା ପ୍ରକାଶ କରିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ସବୁଠାରୁ କମ୍ ବୟସର ଖେଳାଳି ଭାବେ ଓରେଞ୍ଜ କ୍ୟାପ୍ ଜିତିବା ପରେ, ସାରା ଦେଶରେ ଗୋଟିଏ ପ୍ରଶ୍ନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି, ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ କେବେ ଖେଳିବେ ? ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଏବେ ଏହି ପ୍ରଶ୍ନ ଉଠୁଛି ।

ମାତ୍ର ୧୫ ବର୍ଷ ବୟସରେ ସୂର୍ଯ୍ୟବଂଶୀ ଅନେକ ଅସାଧାରଣ ସଫଳତା ହାସଲ କରିସାରିଛନ୍ତି । ସୁନୀଲ ଗାଭାସ୍କରଙ୍କ ଭଳି ବିଶ୍ୱର ଅନେକ ପ୍ରତିଷ୍ଠିତ ପୂର୍ବତନ କ୍ରିକେଟର ତାଙ୍କୁ ଭାରତୀୟ ଜର୍ସିରେ ଦେଖିବାକୁ ଉତ୍ସୁକ ଅଛନ୍ତି । ଏପରିକି ମହାନ ଖେଳାଳି ସଚିନ ତେନ୍ଦୁଲକର ମଧ୍ୟ କହିଛନ୍ତି ଯେ ସେ ସୂର୍ଯ୍ୟବଂଶୀଙ୍କୁ ଭବିଷ୍ୟତରେ ଟେଷ୍ଟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ଚାହାନ୍ତି ।

ଠିକ୍ ଏହି ପ୍ରଶ୍ନକୁ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ଆଇପିଏଲ୍ ଫାଇନାଲ୍ ଅବସରରେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ସାମ୍ନାରେ ରଖିଥିଲେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ଖେଳାଳିଙ୍କ ସାକ୍ଷାତ ହୋଇଥିଲା । ଜାଡେଜା କହିଛନ୍ତି ଯେ ସେ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଅଗରକରଙ୍କ ପାଖରେ ତାଙ୍କ ମତ ରଖିଥିଲେ । ଜାଡେଜା କହିଛନ୍ତି, "ଆଉ କେତେ ଭଲ ପ୍ରଦର୍ଶନ କରିବ ? ମୁଁ ଚେୟାରମ୍ୟାନ୍‌ଙ୍କୁ ଦେଖିଲି ଏବଂ ପଚାରିଲି । ମିଷ୍ଟର ଚେୟାରମ୍ୟାନ୍ ! ଆପଣ ବୈଭବ ସୂର୍ଯ୍ୟବଂଶୀଙ୍କୁ କେବେ ଚୟନ କରିବେ ? ଯଦି ଏବେ ନୁହେଁ, ତେବେ କେବେ ? ତାଙ୍କ ବୟସ ଯାହା ବି ହେଉନା କାହିଁକି, ଏହାଠାରୁ ଭଲ ବ୍ୟାଟିଂ ଆଉ କିଏ ବା କରିପାରିବ ?"

ଫାଇନାଲ୍ ମ୍ୟାଚ୍‌ରେ ଉପସ୍ଥିତ ଥିବା ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ମଧ୍ୟ ସାମ୍ବାଦିକମାନେ ଏହି ସମାନ ପ୍ରଶ୍ନ ପଚାରିଥିଲେ । ତାଙ୍କର ଉତ୍ତରରୁ ଏକ ବଡ଼ ସଙ୍କେତ ମିଳିଛି ଯେ ବୋର୍ଡ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖୁବ୍ ଶୀଘ୍ର ଭାରତୀୟ ଦଳରେ ସୁଯୋଗ ଦେବାକୁ ଚିନ୍ତା କରୁଛି । ସେ କହିଛନ୍ତି, "ଏହା ଏକ ଚମତ୍କାର ସିଜିନ୍ ଥିଲା... ଆଶା କରୁଛି ପ୍ରଶଂସକମାନେ ଏହି ଆଇପିଏଲ୍‌କୁ ଉପଭୋଗ କରିଥିବେ ଏବଂ କ୍ରମାଗତ ଦ୍ୱିତୀୟ ଥର ଟାଇଟଲ୍ ଜିତିଥିବାରୁ ଆରସିବିକୁ ଅଭିନନ୍ଦନ । ବୈଭବ ସୂର୍ଯ୍ୟବଂଶୀ ଜଣେ ଚମତ୍କାର ପ୍ରତିଭା ଏବଂ ତାଙ୍କର ଭବିଷ୍ୟତ ଉଜ୍ଜଳ । ତାଙ୍କୁ କ୍ରିକେଟ୍‌ର ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ବିସିସିଆଇ ସବୁକିଛି କରିବ ।"