ନୂଆଦିଲ୍ଲୀ:   ଇଣ୍ଡି ମେଣ୍ଟର ରାଲିରେ ସାମିଲ ହୋଇନଥିବା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ୭ଟି ରାଜ୍ୟର ପ୍ରାୟ ୧୮୫ ଜଣ ଯୁବ ନେତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି ଏବଂ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଏହି ସଂଖ୍ୟା ୫୦୦ ଟପିବ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ ଯୁବ କଂଗ୍ରେସର ଏହି କାର୍ଯ୍ୟାନୁଷ୍ଠାରେ ବଳି ପଡ଼ିଛନ୍ତି ଦଳ ପାଇଁ ୧୫ ବର୍ଷ କାର୍ଯ୍ୟ କରିଥିବା ଜଣେ ନେତା । ଦଳ ପାଇଁ ନିଜ ନାଁରେ ୧୫ଟି ମାମଲା ଥିବା ବେଳେ ସେ ୩ରୁ ୪ ଥର ଜେଲ୍‌ ବି ଯାଇଛନ୍ତି । ଯୁବ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ରୋହିତ ରାଜୋରିଆଙ୍କ ସହ ଏଭଳି ଘଟିଛି । 

ସେ କହିଛନ୍ତି ଯେ, ନଭେମ୍ବର ୧ ରେ ଦିଲ୍ଲୀର ରାମଲୀଳା ମୈଦାନରେ ରାହୁଲ ଗାନ୍ଧୀଙ୍କ ସମାବେଶ ଥିବାଲା। ସେହି ଦିନ ତାଙ୍କ ନିଜ ଦାଦାଙ୍କ ଦଶାହ ଥିଲା। ସେ ଏହି ଶୋକାକୂଳ ପାରିବାରିକ କାର୍ଯ୍ୟକ୍ରମ ବିଷୟରେ ଦଳୀୟ ନେତୃତ୍ୱଙ୍କୁ ଆଗୁଆ ଜଣାଇଥିଲେ । କିନ୍ତୁ ତାଙ୍କୁ କୌଣସି ସୁଯୋଗ ନଦେଇ ସିଧାସଳଖ ଦଳରୁ ବହିଷ୍କାର କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ସବୁଠାରୁ ଅଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟପ୍ରଦେଶରେ ଗ୍ରହଣ କରାଯାଇଛି । ସେଠାରେ ୬୦ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। 

ଏହା ବ୍ୟତୀତ ଗୁଜରାଟରୁ ୪୯, ପଶ୍ଚିମବଙ୍ଗରୁ ୨୬, ତେଲେଙ୍ଗାନାରୁ ୧୪, ମଧ୍ୟ ଉତ୍ତରପ୍ରଦେଶରୁ ୧୩, ହିମାଚଳ ପ୍ରଦେଶରୁ ୧୩ ଏବଂ ହରିୟାଣାରୁ ୧୦ ଜଣ କର୍ମକର୍ତ୍ତାଙ୍କୁ ନିଲମ୍ବିତ କରାଯାଇଛି। ଏହି ସମାବେଶ ପୂର୍ବରୁ ସମସ୍ତ ପଦାଧିକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଥିଲା । ଏପରିକି ‘With IYC’ ଆପ୍‌ ମାଧ୍ୟମରେ ବାରକୋଡ୍‌ ସ୍କାନ୍‌ କରି ହାଜିରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଇଣ୍ଟରନେଟ୍‌ ସମସ୍ୟା ଓ ଜ୍ଞାନର ଅଭାବ ଯୋଗୁଁ ଅନେକ କର୍ମୀ ହାଜିରା ଦେଇପାରିନଥିଲେ । କିନ୍ତୁ ଅନେକ ନେତା ବିନା ସୂଚନାରେ ଅନୁପସ୍ଥିତ ରହିଥିଲେ।

ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ୍‌ କହିଛନ୍ତି ଯେ, ଦଳରେ ଦାୟିତ୍ୱବାନ ଓ ନିଷ୍ଠାପର କର୍ମୀଙ୍କୁ ସୁଯୋଗ ଦେବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି। ଅନ୍ୟପଟେ, ଶାସକ ଦଳ ବିଜେପି ଏହି ସମାବେଶର ଜନସମାଗମକୁ ନେଇ କଟାକ୍ଷ କରିଛି। ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ, ୧୦ ଲକ୍ଷ ଲୋକ ଆସିବେ ବୋଲି କଂଗ୍ରେସ ଦାବି କରୁଥିଲା । କିନ୍ତୁ ରାମଲୀଳା ମୈଦାନର ୪୦ ପ୍ରତିଶତ ସ୍ଥାନ ଖାଲି ପଡ଼ିଥିଲା।