କୋରାପୁଟ: କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନେଇ ସୀମାନ୍ତରେ ବିବାଦ ସଂଘର୍ଷ ଦେଖିବାକୁ ମିଳିଛି। ଏହା ମଧ୍ୟରେ ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ସବୁ କଳ୍ପନା ଜଳ୍ପନା ଶେଷ ହୋଇଛି। ଆନ୍ଧ୍ର ସୀମାକୁ ଲାଗି ରହିଥିବା ବ୍ଲକର ୭ ପଞ୍ଚାୟତର ଦ୍ଵେତ ଭୋଟର କାର୍ଡଧାରୀ ଆନ୍ଧ୍ର ନିର୍ବାଚନରେ ଭାଗ ନନେଇ ଭୋଟ୍ ଦେଇଛନ୍ତି। ରାଜ୍ୟର ସ୍ୱାଭିମାନ ରକ୍ଷା କରିବାକୁ ବ୍ଲକ ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ବୁଦ୍ଧିଜୀବୀ କରିଥିବା ଅନୁରୋଧକୁ ସୀମାନ୍ତ ବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।

ଘରେ ତାଲା ମାରି ଦେଲେ ଭୋଟ୍

ସୀମା ବିବାଦକୁ ରହି ଆସୁଥିବା ରାଇପାହାଡ଼  ସହ ବହୁ ଗ୍ରାମରେ ଘରେ ତାଲା ମାରି ସପରିବାର ସହ ଯାଇ ଆନ୍ଧ୍ର ସୀମା ଭିତରେ ସ୍ଥାପିତ କଣ୍ଡରୁମ, ସୀମାଗୁଣ୍ଠା, ପେଦାବାଇଲୀ, ଗୋରାପୁର, ମାଳିପୁଟ, ଜୋଲାପୁଟ ଏଲଏଫ୍ ସ୍କୁଲରେ ସ୍ଥାପିତ ବୁଥରେ ଆନ୍ଧ୍ର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଭୋଟ ବଦଳରେ ସେମାନଙ୍କୁ ଅର୍ଥ ଓ ଖାଇବା ମିଳିଛି। ଆଗକୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି  ପ୍ରତିଶ୍ରୁତି ଦିଆଯାଇଥିବା ଭୋଟ ଦେଇ ଫେରୁଥିବା ନନ୍ଦପୁର ବ୍ଲକ ସୀମାନ୍ତର ଓଡ଼ିଶା ବାସୀ କହିଛନ୍ତି।

ଅନ୍ୟପଟେ    ଓଡ଼ିଶା ସୀମା ଭିତରେ ରହଣି, ଜୀବନ ଜୀବିକା, ଚାଷ ବାସ କରୁଥିବା ବେଳେ କିଭଳି ପଡ଼ିଶା ପ୍ରଦେଶର ନିର୍ବାଚନରେ ଭାଗ ନେଉଛନ୍ତି। କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ କାର୍ଡ ଓ ନୂଆ ଏସଆଇଆର ଆଇନ କଣ ଏଭଳି ଦ୍ଵେତ ଭୋଟର କାର୍ଡ ପ୍ରସ୍ତୁତ କାରୀ ଓ ମତଦାତାଙ୍କ ପାଇଁ ଲାଗୁ ହେଉ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗୋଲୁର, ବିଲାପୁଟ, ଚାଟୁଆ, ପାନ୍ଥଲୁଙ୍ଗ, ପରଜା ବଡପଡ଼ା, ଖିନବର ଆଦି ୭ ପଞ୍ଚାୟତ ଆନ୍ଧ୍ର ସୀମାକୁ ଲାଗି ରହିଛି।

ଦୁଇ ରାଜ୍ୟର ପାଉଛନ୍ତି ସୁବିଧା

ଏହି ୭ ପଞ୍ଚାୟତର କିଛି ଛୋଟ ଛୋଟ ଗ୍ରାମର ବାସିନ୍ଦା ଆନ୍ଧ୍ର ତରଫରୁ ଭୋଟର, ରାସନ, ଆଧାର, କୁଲି କାର୍ଡ ସହ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ ସାମିଲ କରି ପ୍ରଲୋଭିତ କରାଯାଉଛି। ଲୋକେ ଦୁଇ ରାଜ୍ୟର ହିତାଧିକାରୀ ଭାବେ ଦୁଇ ରାଜ୍ୟର ସୁବିଧା ପାଉଛନ୍ତି। ଏହି ସୁବିଧା ଲୋଭରେ ଗୁରୁବାର ଅନୁଷ୍ଠିତ ଆନ୍ଧ୍ର ଏମପିଟିସି ଓ ଜେଡପିଟିସି ନିର୍ବାଚନରେ ସମସ୍ତ ଦ୍ଵେତ ଭୋଟର କାର୍ଡଧାରୀ ଆନ୍ଧ୍ର ସୀମା ଭିତରେ ସ୍ଥାପିତ ବୁଥ ଗୁଡ଼ିକୁ ଯାଇ ନିଜ ନିଜର ମତଦାନ ସ୍ଥାପନ କରିଛନ୍ତି।

ନିର୍ବାଚନ ପୂର୍ବରୁ ଗାଁ ଗାଁ ବୁଲି ପ୍ରଶାସନିକ ଅଧିକାରୀ ଓ ରାଜନୀତିକ ବ୍ୟକ୍ତିବିଶେଷ ଏଭଳି ଦ୍ଵେତ ମତଦାନରୁ ନିବୃତ୍ତ ରହିବାକୁ ବୁଝାଇଥିଲେ ମଧ୍ୟ ତାହା କାମରେ ଲାଗିନି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଭଳି ଦୈତ୍ୟ ମତଦାନ ଓ ରାଜ୍ୟ ସୀମାନ୍ତ ଅଞ୍ଚଳରେ ବଢୁଥିବା ଅସନ୍ତୋଷର ତ୍ୱରିତ ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।