ଭୁବନେଶ୍ୱର ୫।୧୧: ରାଜଧାନୀରେ ଫୁଟିଲା ଗୁଳି । ଗୁଳି ଫୁଟିବାର ଏକ ଘଣ୍ଟା ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଧଉଳି ଥାନା ପୋଲିସ l ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ l ଗୁଳିକାଣ୍ଡରେ ଖଣ୍ଡଗିରି ତପୋବନ ବସ୍ତିର ତପୁ ନାୟକଙ୍କର ମୃତ୍ୟୁ ଘଟିଛି l କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରି ସିନ ରିକ୍ରିଏସନ କରିଛି l ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ମାଉଜରକୁ ଗଙ୍ଗୁଆ ନାଳରୁ ଅଗ୍ନିଶମ ବିଭାଗ ଦ୍ବାରା ବାହାର କରାଯାଇଛି । ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ସାରି ଫେରିଛି ।

କାଲିର ସେହି କାଳ ରାତି । ଶିଶୁପାଳଗଡ଼ରେ ଫୁଟିଲା ଗୁଳି । ଗୁଳି ମାଡରେ ଟଳିପଡ଼ିଲେ ଖଣ୍ଡଗିରି ତପୋବନ ବସ୍ତିର ତପୁ ନାୟକ । ତପୁଙ୍କ ଗୁଳିବିଦ୍ଧ ଓ ମୃତ୍ୟୁ ପରେ ଗିରଫ ଅଭିଯୁକ୍ତ ମାନେ ରଚିଥିଲେ ନାଟକ । ତପୁଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରୁ ତପୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତପୁକୁ ମେଡିକାଲ ଆଣିଥିବା ଉମେଶ ପଟ୍ଟନାୟକ ଓ ପିଙ୍କୁନ ଓରଫ ବିଷ୍ନୁ ପ୍ରସାଦ ପଟ୍ଟନାୟକ ପୋଲିସ ଆଗରେ ଏକ କାହାଣୀ ଶୁଣାଇଥିଲେ । ଉମେଶ, ପିଙ୍କୁ ଓ ମୃତକ ତପୁ ଶିଶୁଭବନ ଓଭରବ୍ରିଜ୍ ଦେଇ ସ୍କୁଟିରେ ଆସୁଥିବା ବେଳେ ଦୁଇ ଅଭିଯୁକ୍ତ ତପୁକୁ ଗୁଳିକରି ଫେରାର ହୋଇ ଯାଇଥିଲେ । ପୋଲିସ ରାସ୍ତାରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ମାନେ ମିଛ କହୁଥିବା ଜାଣିବାକୁ ପାଇଥିଲା । ଏହାପରେ ପୋଲିସର ଜେରା ସମୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ଶିଶୁପାଳଗଡ଼ରେ ଉମେଶର ଅଫିସରେ ରାତିରେ ଭୋଜିଭାତ ଓ ମଦର ଆସର ଚାଲିଥିଲା । ସେହି ସମୟରେ ଉମେଶ ପାର୍ସଲରେ ମଗାଇଥିବା ମାଉଜର ସମସ୍ତଙ୍କୁ ଦେଖାଇଥିଲା । ଆଉ ସେହି ସମୟରେ ପିଙ୍କୁନ ମାଉଜର ଟ୍ରିଗରକୁ ଚିପି ଦେଇଥିଲା । ମାଉଜରରେ ଲୋର୍ଡ ଥିବା ଗୋଟିଏ ଗୁଳି ସିଧା ତପୁ ଛାତିରେ ବାଜିଥିବା କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।

Also Read:- ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ବଡ଼ ସହାୟତା ଦାବି, କେନ୍ଦ୍ରୀୟ ଟିମ୍ ଆଗରେ ଓଡ଼ିଶା ରଖିଲା ୧୨,୫୨୬ କୋଟିର ପ୍ରସ୍ତାବ

ଅନ୍ୟପଟେ ତପୁଙ୍କ ପରିବାର ଲୋକଙ୍କ କହିବା କଥା ତପୁକୁ ହତ୍ୟା କରାଯାଇଛି । ରାତି ୧୦ଟାରେ ଉମେଶ ତପୁକୁ ଫୋନ କରି ଡାକିଥିଲା । ତପୁ ଉମେଶ ପିଙ୍କୁନ ମିଶି ସରକାରଙ୍କ ଠିକା କାମ କରୁଥିଲେ । ହତ୍ୟାକାଣ୍ଡ ପରେ ବ୍ୟବହୃତ ମାଉଜର ଟିକୁ ରତ୍ନାକର ନାମକ ଯୁବକ ଗଙ୍ଗୁଆ ନାଳରେ ଫିଙ୍ଗି ଦେଇଥିଲା । ଯାହାକୁ ନାଳ ପାଣି ଭିତରୁ ଅଗ୍ନୀଶମ ବିଭାଗ ଉଦ୍ଧାର କରିଛି । ଘଟଣାସ୍ଥଳରୁ ରକ୍ତ ନମୁନା, ଗୋଟିଏ ଅଫୁଟା ଗୁଳି ଜବତ କରିଛି ସାଇଣ୍ଟିଫିକ ଟିମ୍ । ଏହା ସହିତ ଘଟଣାରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ପୋଲିସ ।