ଭଦୋଦରା, ୧୧/୦୧: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ମୁକାବିଲାରେ ପ୍ରଥମେ ଫିଲ୍ଡିଂ କରିବ ଭାରତ । ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତିଛନ୍ତି । ଏହାସହ ଭ୍ରମଣକାରୀ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଭାରତ ରନ୍ ଚେଜ୍ କରିବାକୁ ଲକ୍ଷ୍ୟ ରଖିବ ।

ପ୍ରଥମ ମ୍ୟାଚ୍ ରବିବାର ଭଦୋଦରାର ବିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି । ମୁକାବିଲା ପାଇଁ ଟସ୍ ଅପରାହ୍ନ ୧ଟାରେ ହୋଇତିଲା । ମ୍ୟାଚ୍ ଅପରାହ୍ନ ୧ଟା ୩୦ ଟାରେ ଆରମ୍ଭ ହେବ। ପ୍ରଥମ ଥର ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ। ଏହି ଗ୍ରାଉଣ୍ଡରେ ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳା ଯାଇଛି।

ଫ୍ୟାନ୍ସଙ୍କ ନଜର ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ। ଉଭୟ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଦମଦାର୍ ପ୍ରଦର୍ଶନ କରିଥିଲେ। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ଆଡକୁ ଅଗ୍ରସର ହେଉଛନ୍ତି। ତେଣୁ ସେ ଏହି ସିରିଜରେ ଶତକ ହାସଲ କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। କିଙ୍ଗ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଥିଲେ। ଏହାସହ ଗୋଟିଏ ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ବାହାରିଥିଲା । ସେହିପରି ରୋହିତ ଶର୍ମା ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ବିଜୟ ହଜାରେ ଟ୍ରଫିରେ ଦୁଇ ବ୍ୟାଟର ରନ୍ ବର୍ଷା କରିଥିଲେ ।

ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ନେତୃତ୍ଵ ନେବେ। ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତ ଯୋଗୁଁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଟମ୍ ଲାଥାମ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଥିବା ବେଳେ ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଦକ୍ଷିଣ ଆଫ୍ରିକାରେ SA 20 ଲିଗ୍ ଖେଳୁଛନ୍ତି। ରଚିନ୍ ରବିନ୍ଦ୍ର ଏବଂ ଦ୍ରୁତ ବୋଲର ଜାକବ୍ ଡଫିଙ୍କୁ ବିଶ୍ରାମ ଦିଆଯାଇଛି। ଆଘାତ ସମସ୍ୟାରୁ ଫେରିଥିବା ମ୍ୟାଟ୍ ହେନରୀ T20 ବିଶ୍ୱକପକୁ ଦୃଷ୍ଟିରେ ରଖି ବିଶ୍ରାମ ନେଉଛନ୍ତି।