ଲଦାଖ: ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ଓ୍ଵାଙ୍ଗଚୁକଙ୍କୁ  ଏବେ ରାଲି କି ପ୍ରଦର୍ଶନ କରିବା ମନା। କୌଣସି ପ୍ରକାରର ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍ ହୋଇ ପାରିବେନି। କେବଳ ଏତିକି ନୁହେଁ ସୋନମ ଓ୍ଵାଙ୍ଗଚୁକଙ୍କୁ ୬୦ ଦିନ ପାଇଁ ଗୃହବନ୍ଦୀ କରାଯାଇଛି। ଏ ନେଇ ଆଦେଶ ଜାରି କରିଛନ୍ତି ଲେହର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍। ଉଲ୍ଲେଖନୀୟ ଡିସେମ୍ବର ୪ରେ ଲଦାଖରେ କାଉନସିଲ ନିର୍ବାଚନ ହେବାକୁ ଯାଉଛି। ପ୍ରଶାସନ ପୋଲିସର ଏକ ରିପୋର୍ଟ ଆଧାରରେ ଓ୍ଵାଙ୍ଗଚୁକଙ୍କ ଉପରେ କଟକଣା ଲଗାଇବାକୁ ଅନୁରୋଧ କରିଥିଲା।

ଏବେ ମାଜିଷ୍ଟ୍ରେଟ୍ ଓ୍ଵାଙ୍ଗୁଚକଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ BNSSର ଧାରା ୧୬୩ର ପ୍ରୟୋଗ କରିଛନ୍ତି। ଏହି ଆଦେଶ ତତ୍କାଳ ପ୍ରଭାବରୁ ଲାଗୁ ହେବ ଏବଂ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଲଦାଖ ସ୍ଵାୟତ୍ତ ପାହାଡ଼ି ବିକାଶ ପରିଷଦର ନିର୍ବାଚନ ପାଇଁ ଡିସେମ୍ବର ୪ରେ ହେବ ମତଦାନ। କିନ୍ତୁ ସୋନମ ଓ୍ଵାଙ୍ଗଚୁକ ଓ ଅନ୍ୟ ସ୍ଥାନୀୟ ନେତା ନିର୍ବାଚନର ସମୟକୁ ବିରୋଧ କରିଛନ୍ତି।

Also Read: ପଞ୍ଜାବରେ ଏଥର କାହାର ସରକାର ? ସାମ୍ନାକୁ ଆସିଲା ସର୍ଭେ ରିପୋର୍ଟ; ଜାଣନ୍ତୁ ବିଜେପିର ସ୍ଥିତି

ପୂରା ବିବାଦ କଣ ?

୨୦୧୯ରେ କେନ୍ଦ୍ର ଶାସିତ ରାଜ୍ୟ ହେବା ପରେ ଲଦାଖରେ ଏହା ପ୍ରଥମ ବଡ଼ ନିର୍ବାଚନ। ସୋନମ ଓ୍ଵାଙ୍ଗଚୁକ ଓ  ସ୍ଥାନୀୟ ସଂଗଠନଗୁଡ଼ିକର କହିବା କଥା ଡିସେମ୍ବର ମାସରେ ଲଦାଖରେ ଭୀଷଣ ଥଣ୍ଡା ପଡ଼ିବା ସହ ପୂରା ଅଞ୍ଚଳ ବରଫାବୃତ୍ତ ରହିଥାଏ। ତେଣୁ ବଡ଼ ସଂଖ୍ୟାରେ ଲୋକ ବିଶେଷ କରି ଛାତ୍ର ଓ କର୍ମଜୀବୀ ଲୋକ ଅସ୍ଥାୟୀ ଭାବେ ଲଦାଖରୁ ବାହାର ଅଞ୍ଚଳକୁ ଚାଲି ଯାଆନ୍ତି। ଏହି ସମୟରେ ନିର୍ବାଚନ ହେଲେ ହଜାର ହଜାର ମତଦାତା ଭୋଟିଂ ଦେବାରୁ ବଞ୍ଚିତ ହେବେ। କିନ୍ତୁ ଲଦାଖର ମୁଖ୍ୟ ସଚିବ ଆଶିଷ କୁନ୍ଦ୍ରା ଶୀତ ସମୟରେ ନିର୍ବାଚନ କରାଇବା ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ପ୍ରଶାସନ ଭୋଟ୍ କେନ୍ଦ୍ରରେ ହିଟରର ବ୍ୟବସ୍ଥା କରାଇବେ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ଵତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଇବେ।

ସେ  କହିଛନ୍ତି ଲଦାଖରେ ସ୍କୁଲ ସାଧାରଣତଃ ଡିସେମ୍ବର ୧୫-୧୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥାଏ। ଯଦି ପିଲାମାନେ ସ୍କୁଲ ଯାଇ ପାରୁଛନ୍ତି ତେବେ ବଡ଼ ଲୋକମାନଙ୍କୁ ଭୋଟ୍ ପାଇଁ ଘରୁ ବାହାରିବାରେ କୌଣସି ସମସ୍ୟା ହେବା ଉଚିତ୍ ନୁହେଁ। ସଠିକ ସମୟରେ ପରିଷଦର ଗଠନ ହେବା ଜରୁରୀ, ଯଦ୍ଵାରା ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତ ହୋଇ ପାରିବ।

Also Read: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ: ସୁଧୁରିପାରେ କି ସମ୍ପର୍କ ?

କଣ କହିଲେ ସୋନମ ଓ୍ଵାଙ୍ଗଚୁକ ?

ଏହି ଆଦେଶର କିଛି ସମୟ ପରେ ସୋନମ କହିଛନ୍ତି, ଅନେକ ପୋଲିସ କର୍ମଚାରୀ ଅସ୍ତ୍ରଶସ୍ତ୍ର ସହ  ତାଙ୍କ ଘରକୁ ଘେରି ରହିଛନ୍ତି। ମୋତେ ଘରେ ହିଁ ରହିବାକୁ ପରାମର୍ଶ ଦିଆଯାଇଛି। ଏସବୁ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ନିଆଯାଇଛି କାରଣ ମୁଁ କିଛି କଡ଼ା ପ୍ରଶ୍ନ ସେମାନଙ୍କୁ ପଚାରି ଦେଲି।

ସୂଚନାଯୋଗ୍ୟ, ନୂଆ ଜିଲ୍ଲାର ଗଠନ ପରେ ଏବେ ଲେହ ଓ କାର୍ଗିଲର ପୁରୁଣା ୨୬-୨୬ ସିଟକୁ ବଢାଯାଇ ୫୦-୫୦ କରାଯାଇଛି। ଅର୍ଥାତ ୮ ପରିଷଦରେ ଏବେ ୧୦୦ ସିଟରେ ନିର୍ବାଚନ ହେବ। ଏଥିରୁ ୩୬ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ବର ୧୭ ରହିଥିବା ବେଳେ ୧୮ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ନଭେମ୍ବର ୨୦  ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଡିସେମ୍ବର ୪ରେ ଭୋଟିଂ ଏବଂ ନଭେମ୍ବର ୮ରେ ହେବ ଭୋଟ୍ ଗଣତି।