ହରାରେ: ହରାରେ ସ୍ପୋର୍ଟସ୍ କ୍ଲବରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ଏକତରଫା ଭାବେ ୭ ୱିକେଟରେ ପରାସ୍ତ କରିଛି ଭାରତ। ଶ୍ରେୟସ ଅବୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ବିଜୟ। ଏହାପୂର୍ବରୁ ଆୟରଙ୍କ ନେତୃତ୍ଵରେ ଭାରତ କ୍ରମାଗତ ୬ଟି ମ୍ୟାଚରେ ପରାଜୟର ସାମ୍ନା କରିଥିଲା। ଭାରତର ଏହି ସହଜ ବିଜୟର ମୁଖ୍ୟ ନାୟକ ସାଜିଥିଲେ ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୯ ବଲରେ ନିଜର ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜିମ୍ବାଓ୍ଵେ ଦ୍ଵାରା ଧାର୍ଯ୍ୟ ୧୨୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୩.୨ ଓଭରରେ ହାସଲ କରି ନେଇଛି। ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।

୧୨୬ ରନ୍ର ପିଛା କରୁଥିବା ଭାରତର ଆରମ୍ଭ ବଲ ନଥିଲା। ଦଳୀୟ ସ୍କୋର ୨୩ ରନ୍ରେ ଅଭିଷେକ ଶର୍ମା (୧)ଙ୍କ ରୂପରେ ପ୍ରଥମ ଝଟ୍କା ଲାଗିଥିଲା। ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀ ନିଜର ଚିରାଚରିତ ଶୈଳୀରେ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଇଶାନ କିଷାନଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୨୧ ବଲରେ ୪୫ ରନର ବିସ୍ଫୋରକ ଭାଗିଦାରୀ କରିଥିଲେ। ବୈଭବ ମାତ୍ର ୧୯ ବଲରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୫୦ ରନର ଆକ୍ରମଣାତ୍ମକ ଇନିଂସ ଖେଳି ଆଉଟ୍ ହୋଇଥିଲେ।

Also Read: WTC 2027: ଓଭାଲ୍ରେ ହେବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ୍ ଲଢ଼େଇ

ଦଳୀୟ ସ୍କୋର ୬୮ରେ ବୈଭବ ଆଉଟ୍ ହେବା ପରେ ଅଧିନାୟକ ଶ୍ରେୟସ ଆୟର ଓ ଇଶାନ କିଷାନ ତୃତୀୟ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଥିଲେ। ଇଶାନ ୩୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଆୟର (୨୮*) ଓ ତିଲକ ବର୍ମା (୬*) ଅପରାଜିତ ରହି ୧୩.୨ ଓଭରରେ ୩ ୱିକେଟ୍ ହରାଇ ଦଳକୁ ଏକ ବଡ଼ ବିଜୟ ଭେଟି ଦେଇଥିଲେ।

ଶାଣିତ ବୋଲିଂରେ ଆଣ୍ଠେଇଲା ଜିମ୍ବାୱେ

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଜିମ୍ବାୱେ ବ୍ୟାଟର। ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ୍ ହରାଇ ଆତିଥେୟ ଦଳ ମାତ୍ର ୧୨୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ମୟଙ୍କ ଯାଦବ ଓ ପ୍ରିନ୍ସ ଯାଦବ ଚମତ୍କାର ବୋଲିଂ ପ୍ରଦର୍ଶନ କରି ସର୍ବାଧିକ ୨-୨ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ ଓ ରବି ବିଷ୍ଣୋଇଙ୍କୁ ୧-୧ଟି ସଫଳତା ମିଳିଥିଲା। ଜିମ୍ବାଓ୍ଵେ ପକ୍ଷରୁ ଓ୍ଵିସଲି ମାଡେଭେରେ ସର୍ବାଧିକ ୩୯ ରନ କରିଥିବା ବେଳେ ତାଡିଓ୍ଵାନାସେ ୨୫ ରନ ଏବଂ ରିୟାନ ବର୍ଲ ୨୬ କରିଥିଲେ।