ନୂଆଦିଲ୍ଲୀ:  ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ (WTC) ୨୦୨୭ର ଫାଇନାଲ ମ୍ୟାଚ୍ ଲଣ୍ଡନର ପ୍ରସିଦ୍ଧ 'ଦି ଓଭାଲ୍' ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ଆନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍ (ICC) ସ୍ପଷ୍ଟ କରିଛି। ୨୦୨୭ ଜୁନ୍ ୯ (ବୁଧବାର) ରୁ ଜୁନ୍ ୧୩ (ରବିବାର) ପର୍ଯ୍ୟନ୍ତ ଖେଳାଯିବ ।
ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡର ପରିଚାଳନାରେ ଇଂଲଣ୍ଡ ୨୦୨୭, ୨୦୨୯ ଏବଂ ୨୦୩୧—ଏହି ପରବର୍ତ୍ତୀ ତିନୋଟି WTC ଫାଇନାଲର ଆୟୋଜନ କରିବ। 'ଦି ଓଭାଲ୍' ଦ୍ୱିତୀୟ ଥର ପାଇଁ WTC ଫାଇନାଲ୍ ଆୟୋଜନ କରିବାକୁ ଯାଉଛି । ଯେଉଁଠାରେ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଟାଇଟଲ୍‌ ହାସଲ କରିଥିଲା।

ଫାଇନାଲ୍‌ ପାଇଁ ଆଉ ବର୍ଷେରୁ କମ୍ ସମୟ ବାକି ଥିବା ବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ୯ଟି ଯାକ ଦଳ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି । ୮ଟି ଟେଷ୍ଟରୁ ୭ଟିରେ ବିଜୟ ସହ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ । ୯ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ପଞ୍ଚମ ସ୍ଥାନରେ ଭାରତ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ତୃତୀୟ ଏବଂ ବାଂଲାଦେଶ ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ଶ୍ରୀଲଙ୍କା ଷଷ୍ଠ, ଇଂଲଣ୍ଡ ସପ୍ତମ, ଓ୍ବେଷ୍ଟ ଇଣ୍ଡିଜ୍‌ ଅଷ୍ଟମ ଏବଂ ଟେବୁଲର ତଳେ ରହିଛି ପାକିସ୍ତାନ । 

ସେପଟେ ଜୁଲାଇ ଏବଂ ଅଗଷ୍ଟ ମାସରେ ବହୁ ନିର୍ଣ୍ଣାୟକ ଟେଷ୍ଟ ସରିଜ ହେବାକୁ ଯାଉଛି । ଜୁଲାଇ ୨୫ ରୁ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍ ହେବାକୁ ଯାଉଥିବା ବେଳେ ଅଗଷ୍ଟ ୧୩ରୁ  ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସରିଜ ଅନୁଷ୍ଠିତ ହେବ । ଅଗଷ୍ଟ ୧୫ ରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ଟେଷ୍ଟ ସିରିଜ୍ ଖେଳିବ । ସେହିଭଳି ଅଗଷ୍ଟ-ସେପ୍ଟେମ୍ବରରେ ପାକିସ୍ତାନ ଟିମ୍‌ ଇଂଲଣ୍ଡ ଗସ୍ତ କରିବ ଏବଂ ସେଠାରେ ଉଭୟ ଟିମ ମଧ୍ୟରେ ଟେଷ୍ଟ ସିରିଜ୍‌ ଖେଳାଯିବ । 

ICC ର ଇଭେଣ୍ଟସ ଓ ଅପରେସନ୍ସ ଜେନେରାଲ ମ୍ୟାନେଜର କହିଛନ୍ତି ଯେ, ‘୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଟେଷ୍ଟ କ୍ରିକେଟ୍‌ର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । 'ଦି ଓଭାଲ୍' ଖେଳ ଇତିହାସରେ ଅନେକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ରହିଛି। ଆମେ ECB ସହ ମିଶି ବିଶ୍ୱସ୍ତରୀୟ ଆୟୋଜନ କରିବାକୁ ଆଶା ରଖିଛୁ।’