ନୂଆଦିଲ୍ଲୀ: ମହିଳା ଏସିଆ କପ୍ ୨୦୨୬ର ନବମ ତଥା ସବୁଠାରୁ ଆକର୍ଷଣୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମହାମୁକାବିଲା ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଟସ୍ ୭ ତା ୩୦ରେ ପଡ଼ିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପୂର୍ବରୁ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି। ତେଣୁ ବିଜୟର ହାଟ୍ରିକ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଅପରପକ୍ଷରେ, ପାକିସ୍ତାନ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ବିଜୟ ଦଳକୁ ସେମିଫାଇନାଲରେ ପହଞ୍ଚାଇପାରେ।

ଦୁବାଇ ପିଚ୍ କିଭଳି ରହିବ

ଚଳିତ ଏସିଆ କପ୍ର ପ୍ରଥମ ୭ଟି ମ୍ୟାଚ୍ ମଧ୍ୟରୁ ୬ଟିରେ ଟସ୍ ଜିତିଥିବା ଅଧିନାୟିକାମାନେ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପିଚରେ ସାଧାରଣତଃ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଭଲ ଆରମ୍ଭ କରୁଥିଲେ ବି ମଝିରେ ଓ ଶେଷ ଆଡ଼କୁ ରନ୍ ଗତି ଧୀମା ପଡ଼ିଯାଉଛି।

Also Read: ଗମ୍ଭୀରଙ୍କ ହାତରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଗ୍ୟର ନିଷ୍ପତ୍ତି ! ୩ ଅନ୍ୟ ଭାରତୀୟ ଷ୍ଟାରଙ୍କୁ ଫାଇନାଲ୍ ଖେଳିବାକୁ ସୁଯୋଗ

ଏହି ଟୁର୍ଣ୍ଣାମେଣ୍ଟରେ ସ୍ପିନରମାନେ ଦ୍ରୁତ ବୋଲରଙ୍କ ତୁଳନାରେ ବେଶ୍ ସଫଳ ହୋଇଛନ୍ତି। ସ୍ପିନରମାନେ ୫.୧ ଇକୋନୋମିରେ ୭୧ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲରମାନେ ୬.୧୮ ଇକୋନୋମିରେ ମାତ୍ର ୩୧ଟି ୱିକେଟ୍ ହାସଲ କରିଛନ୍ତି। ଚଳିତ ସଂସ୍କରଣରେ କେବଳ ଭାରତୀୟ ଦଳ ହିଁ ୧୫୦ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛି।

ପାଣିପାଗ

ଦୁବାଇରେ ବର୍ତ୍ତମାନ ପ୍ରଚଣ୍ଡ ଗରମ ଓ ଆର୍ଦ୍ରତା ରହିଛି, ଯାହାକୁ ଭାରତୀୟ ଉପ-ଅଧିନାୟିକା ସ୍ମୃତି ମାନ୍ଧାନା "ଷ୍ଟିମ୍ ବକ୍ସ" ବୋଲି ବର୍ଣ୍ଣନା କରିଛନ୍ତି। ମ୍ୟାଚ୍ ସମୟରେ ତାପମାତ୍ରା ପ୍ରାୟ ୩୭ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବାର ସମ୍ଭାବନା ରହିଛି।

ହେଡ୍-ଟୁ-ହେଡ୍ ରେକର୍ଡ

ମହିଳା ଟି-୨୦ କ୍ରିକେଟ୍ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୋଟ ୧୭ଟି ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୪ଟି ମ୍ୟାଚ୍ରେ ବିଜୟୀ ହୋଇ ନିଜର ଦବଦବା ବଜାୟ ରଖିଥିବା ବେଳେ ପାକିସ୍ତାନ କେବଳ ୩ଟି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି।

Also Read: ବୈଭବଙ୍କୁ ଚେତାବନୀ ଦେଲା ବିସିସିଆଇ ! କହିଲା -'ଯାହା କରୁଛ କର କିନ୍ତୁ ସଚିନଙ୍କ ଭଳି'...

ସମ୍ଭାବ୍ୟ ଦଳ

ଭାରତୀୟ ଦଳ

ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ପ୍ରତୀକା ରାୱଲ, ହରମନପ୍ରୀତ କୌର (ଅଧିନାୟିକା), ଭାରତୀ ଫୁଲମାଲି, ଋଚା ଘୋଷ (ୱିକେଟକିପର), ଦୀପ୍ତି ଶର୍ମା, ପ୍ରେମା ରାୱତ, ନନ୍ଦିନୀ ଶର୍ମା, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼, ଗୁଣାଲନ କମଲିନୀ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ।

ପାକିସ୍ତାନ ଦଳ

ମୁନିବା ଅଲ୍ଲୀ (ୱିକେଟକିପର), ଶୱାଲ ଜୁଲଫିକାର, ଗୁଲ ଫିରୋଜା, ଆୟେଶା ଜଫର, ସଦଫ ଶମାସ, ଫାତିମା ସନା (ଅଧିନାୟିକା), ଉମ୍ମ-ଏ-ହାମୀ, ଏମାନ ଫାତିମା, ତୁବା ହସନ, ନଶରା ସନ୍ଧୁ, ସାଦିଆ ଇକଲ, ସାୟରା ଜବିନ୍, ମୋମିନା ରିୟାସତ, ଇମାନ ନସୀର, ୱାହିଦା ଅଖତର।