ନୂଆଦିଲ୍ଲୀ: ଅଭିଜ୍ଞ ଓପନର କେ.ଏଲ୍.ରାହୁଲ, ଶ୍ରୀଲଙ୍କା ସିରିଜର ହିରୋ ଦେବଦତ୍ତ ପାଡିକ୍କଲ ଏବଂ ମହମ୍ମଦ ସିରାଜଙ୍କୁ ସେପ୍ଟେମ୍ବର ୬ରୁ ଚେନ୍ନାଇରେ ଇଷ୍ଟ ଜୋନ୍ ବିପକ୍ଷରେ ସାଉଥ୍ ଜୋନ୍ ପାଇଁ ଦୁଲୀପ ଟ୍ରଫି ଫାଇନାଲ୍ ଖେଳିବାକୁ କୁହାଯାଇଛି । ଭାରତୀୟ ଟି-୨୦ ଟିମରେ ସାମିଲ ଥିବା ସାଉଥ୍ ଜୋନ୍ ଅଧିନାୟକ ତିଲକ ବର୍ମା, ବୈଭବ ସୂର୍ଯ୍ୟବଂଶୀ ଏବଂ ୱିକେଟକିପର ଇଶାନ କିଶନଙ୍କ ଖେଳିବା ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ନିର୍ଭର ।

ରାହୁଲ, ପାଡିକ୍କଲ ଏବଂ ସିରାଜଙ୍କର ବର୍ତ୍ତମାନ ଟିମ୍ ଇଣ୍ଡିଆରେ ସାମିଲ ନାହାନ୍ତି । ଜାତୀୟ ଚୟନକର୍ତ୍ତାମାନେ ଚାହୁଁଛନ୍ତି ଯେ ଯେଉଁ ଭାରତୀୟ ଖେଳାଳି ଉପଲବ୍ଧ ଅଛନ୍ତି, ସେମାନେ ଦୁଲୀପ ଟ୍ରଫି ଫାଇନାଲ୍ ଖେଳନ୍ତୁ । ଏହି ତିନିଜଣ ଶେଷଥର ପାଇଁ ଅଗଷ୍ଟ ୨୭ରେ ଭାରତ ପାଇଁ ଖେଳିଥିଲେ । ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ରହିଛି ।

ସୂର୍ଯ୍ୟବଂଶୀ, କିଶନ ଏବଂ ତିଲକଙ୍କ କ୍ଷେତ୍ରରେ ନିଷ୍ପତ୍ତି ନେବା କୋଚ୍ ଗମ୍ଭୀରଙ୍କ ଅଧିକାର ଅଧୀନରେ ରହିବ । ସୂଚନା ଅନୁସାରେ, ଭାରତୀୟ ଦଳ ସେପ୍ଟେମ୍ବର ୯ କିମ୍ବା ୧୦ ତାରିଖରେ ଦିଲ୍ଲୀରେ ଏକାଠି ହେବ । ଯଦି ମୁଖ୍ୟ କୋଚ୍ ଏହି ତିନିଜଣ ଟି-୨୦ ଦଳର କାର୍ଯ୍ୟସୂଚୀ ଅନୁଯାୟୀ ରିପୋର୍ଟ କରନ୍ତୁ ବୋଲି ଚାହାନ୍ତି, ତେବେ ସେମାନେ ଫାଇନାଲ୍ ଖେଳିପାରିବେ ନାହିଁ । କିନ୍ତୁ ଯଦି ମୁଖ୍ୟ କୋଚ୍ ଚାହାନ୍ତି ଯେ ସେମାନେ ଫାଇନାଲ୍ ଖେଳି ସେପ୍ଟେମ୍ବର ୧୦ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚନ୍ତୁ, ତେବେ ସେମାନେ ତାହା ମଧ୍ୟ କରିପାରିବେ ।

ଦୁଲୀପ ଫାଇନାଲ୍ ଦେଖିବେ ଚୟନ କମିଟି ଅଧ୍ୟକ୍ଷ ଅଗରକର

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରୁ ଛୁଟି ନେବା ପରେ ଏବଂ ଚୁକ୍ତି ବୃଦ୍ଧିକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବା ସତ୍ତ୍ୱେ, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଦୁଲୀପ ଟ୍ରଫି ଫାଇନାଲ୍ ଦେଖିବା ପାଇଁ ଚେନ୍ନାଇରେ ଉପସ୍ଥିତ ରହିବେ । ବର୍ତ୍ତମାନର ସୂଚନା ଅନୁଯାୟୀ ତାଙ୍କର ଚୁକ୍ତି ଅକ୍ଟୋବର ୪ରେ ଶେଷ ହେଉଛି । ବିସିସିଆଇ ସଚିବ ଦେବଜିତ୍ ସାଇକିଆ ତାଙ୍କ ସହ କାର୍ଯ୍ୟକାଳ ବୃଦ୍ଧି ବିଷୟରେ ଆଲୋଚନା କରୁଛନ୍ତି କି ନାହିଁ ତାହା ଆଲୋଚନାର ବିଷୟ ହେବ ।