ଅକଲାଣ୍ଡ: ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଅପରାହ୍ଣରେ ପହଞ୍ଚି ଗଲେଣି ବିରାଟ କୋହଲି ଓ ରୋହିତ ଶର୍ମା। ହିଟମ୍ୟାନଙ୍କ ବୟସ ୩୯ ବର୍ଷ ଏବଂ କିଙ୍ଗ କୋହଲିଙ୍କ ବୟସ ୩୭ ବର୍ଷ। ଦୁଇ ବ୍ୟାଟର ଭାରତୀୟ କ୍ରିକେଟର ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟ କ୍ରିକେଟ୍ ପ୍ରତି ଦୁହିଁଙ୍କ ଅବଦାନ ଅତୁଳନୀୟ। ଅନେକ ସ୍ମରଣୀୟ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି ଏବଂ ଦଳକୁ ଟାଇଟଲ୍ ଦେଇଛନ୍ତି। ତଥାପି ବୟସ ବଢିବା ସହ ପ୍ରଦର୍ଶନକୁ ଦେଖି ରୋହିତ ଓ କୋହଲିଙ୍କୁ ନେଇ ବେଳେ ବେଳେ ପ୍ରଶ୍ନ ଉଠି ଆସିଛି। ହେଲେ ଉଭୟ ନିଜର ବ୍ୟାଟ୍ ଜରିଆରେ ଜବାବ ଦେଇ ସାରିଛନ୍ତି। ତେବେ ଆଜି ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦୁଇ ତାରକା ଖେଳାଳିଙ୍କ ଫିଲ୍ଡିଂ ଦେଖି ଏବେ ଆଉ କେହି ଦୁହିଁଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇ ପାରିବେନି। ରୋହିତ ଏବଂ କୋହଲି ଏମିତି ଫିଲ୍ଡିଂ କରିଛନ୍ତି ଯାହା ନ ଦେଖିଲେ କେହି ବିଶ୍ଵାସ କରି ପାରିବେନି।

Also  Read: IND vs NZ 1st ODI: କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏକତରଫା ବିଜୟ

ରୋହିତଙ୍କ ଚମତ୍କାର ଫିଲ୍ଡିଂ

ପ୍ରଥମେ ନଜର ପକାଇବା ରୋହିତ ଶର୍ମାଙ୍କ ଫିଲ୍ଡିଂ ଉପରେ। ନ୍ୟୁଜିଲାଣ୍ଡ ଇନିଂସର ୨୨ତମ ଓଭର ବୋଲିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ। ବ୍ୟାଟିଂ କରୁଥିଲେ ଗ୍ଲେନ ଫିଲିପ୍ସ। ସେ ସଟ୍ ଲେଗ ଆଡ଼କୁ ଧିରେ ସଟ୍ ଖେଳି ଏକ ରନ ଚୋରାଇବାକୁ ଚେଷ୍ଟା କରିଥିଲେ। କ୍ରିଜର ଅନ୍ୟ ପାର୍ଶ୍ଵରେ ଥିବା ଡାରିଲ ମିଚେଲ୍ ମଧ୍ୟ ଫିଲିପ୍ସଙ୍କୁ ସହଯୋଗ କରି ଏକ ରନ ପାଇଁ ଦୌଡ଼ିଥିଲେ। ତେବେ ସଟ୍ ଲେଗ ଏବଂ ମିଡ ଓ୍ଵିକେଟ୍ ମଧ୍ୟରେ ଫିଲ୍ଡିଂ କରୁଥିବା ରୋହିତ ବେଶ ତତ୍ପରତା ଏବଂ ଚପଳତାର ସହ ଫିଲ୍ଡିଂ କରିବା ସହ ଡ୍ରାଇଭ ମାରି ବଲକୁ ଓ୍ଵିକେଟ୍ କିପର କେଏଲ ରାହୁଲଙ୍କୁ ଫିଙ୍ଗିଥିଲେ। ଆଉ କେଏଲ ରାହୁଲ କାଳ ବିଳମ୍ବ ନ କରି ଷ୍ଟମ୍ପ ଉଖାଡ଼ି ଦେଇଥିଲେ। କ୍ରିଜରେ ଜମି ଆସୁଥିବା ଡାରିଲ ମିଚେଲ୍ ୨୮ ରନ କରି ପାଭିଲିୟନ ଫେରିଥିଲେ। ରୋହିତ ଯେମିତି ଫିଲ୍ଡିଂ କଲେ ତାହା ଦେଖି ପୂରା ଷ୍ଟାଡି କରତାଳି ଏବଂ ଚିତ୍କାରରେ କମ୍ପି ଉଠିଥିଲା। ଏହା ଦେଖିବା ପରେ ଏବେ କେହି ଆଉ ରୋହିତଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇବା ଆଗରୁ ୧୦ ଥର ଭାବିବେ।

କୋହଲିଙ୍କ ଦମଦାର କ୍ୟାଚ୍

ଏବେ ନଜର ପକାଇବା ବିରାଟ କୋହଲିଙ୍କ ଫିଲ୍ଡିଂ ଉପରେ। ୨୯ତମ ଓଭର ବୋଲିଂ କରୁଥିଲେ ଅଂଶୁଲ କମ୍ବୋଜ। ବ୍ୟାଟିଂ କରୁଥିଲେ ନ୍ୟୁଜିଲାଣ୍ଡର ନାଥନ ସ୍ମିଥ। ୨୯ତମ ଓଭରର ତୃତୀୟ ବଲକୁ ଓ୍ଵିକେଟ୍ ଟୁ ଓ୍ଵିକେଟ୍ ଫିଙ୍ଗିଥିଲେ ଅଂଶୁଲ। ନାଥନ ଅଫ ସାଇଡକୁ ଡ୍ରାଇଭ କରିବାକୁ ଚେଷ୍ଟା କରିଥିଲେ ହେଁ ବଲ ବ୍ୟାଟର ଏଜ ଲାଗି ସ୍ଲିପ ଆଡ଼କୁ ଯାଇଥିଲା। ହେଲେ କେହି ହେଲେ ଚିନ୍ତା କରି ପାରି ନ ଥିଲେ ଯେ ନାଥନ ସ୍ମିଥ ଆଉଟ୍ ହେବେ। ଦ୍ଵିତୀୟ ସ୍ଲିପରେ ଛିଡ଼ା ହୋଇଥିବା କୋହଲି ଚିତା ପରି ଫୂର୍ତ୍ତି ଦେଖାଇଥିଲେ। ବଲ ମାଟିରେ ବାଜିବା ପୂର୍ବରୁ ଡ୍ରାଇଭ ମାରି ଆଖି ପିଛୁଳାକେ ଗୋଟିଏ ହାତରେ କ୍ୟାଚ୍ କରିଥିଲେ। ଏହି ଫିଲ୍ଡିଂ ଦେଖି କ୍ରିକେଟ୍ ପ୍ରଶଂସକ ଏବଂ ଷ୍ଟାଡିୟମରେ ଥିବା ଦର୍ଶକ ତାଜୁବ ହୋଇ ଯାଇଥିଲେ। ନାଥନ ସ୍ମିଥ ଏକ ରନ କରି ପାଭିଲିୟନ ଫେରିଥିଲେ। ୩୭ ବର୍ଷ ବୟସରେ କୋହଲିଙ୍କ ଏମିତି ଫିଲ୍ଡିଂ ଦେଖି ମନ୍ତମୁଗ୍ଧ ହୋଇ ପଡ଼ିଥିଲେ ଦର୍ଶକ। ଏହି ଫିଲ୍ଡିଂ ଜରିଆରେ ଦୁଇ ଖେଳାଳି ସମାଲୋଚକଙ୍କୁ ଜବାବ ଦେଇଛନ୍ତି ବୟସ କେବଳ ମାତ୍ର ଏକ ସଂଖ୍ୟା।

ମ୍ୟାଚ୍ ଉପରେ ନଜର ପକାଇଲେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ସାମୂହିକ ବ୍ୟାଟିଂ ବିଫଳତା ଭୋଗି ୪୦.୨ ଓଭରରେ ୧୮୫ ରନରେ ଅଲଆଉଟ୍ ହୋଇଥିଲା। ବର୍ଷା କାରଣରୁ ଡକ ଓ୍ଵର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୩୨ ଓଭରରେ ୧୪୩ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଭାରତ ସହଜରେ ୨୨.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ବିରାଟ କୋହଲି ୭୭ ରନର ବିସ୍ଫୋରକ ଇନିଂସ ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅଂଶୁଲ କମ୍ବୋଜ ୧୦ ଓଭରରେ ମାତ୍ର ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Also Read: ନିଜର ବିଶ୍ଵ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି, ODI କ୍ରିକେଟରେ ସ୍ଥାପନ କଲେ ଖାସ୍ କୀର୍ତ୍ତିମାନ