• ବାଂଲାଦେଶରେ ଶେଖ ହସିନାଙ୍କ ଏକ ଦୀର୍ଘ ରାଜନୈତିକ ଇତିହାସ ଅଛି
  • ବାଂଲାଦେଶ ନୂଆ ସରକାର ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ଭାରତକୁ ଅନେକ ବାର ଆନୁଷ୍ଠାନିକ ପ୍ରତ୍ୟାର୍ପଣ ଦାବି କରିଛନ୍ତି
  • ବାଂଲାଦେଶରେ ବର୍ତ୍ତମାନ କୌଣସି ସ୍ୱଭାବିକ ଅଥବା ଗଣତାନ୍ତ୍ରିକ ପରିବେଶ ନାହିଁ
  • ଦେଶରେ ଉଗ୍ରବାଦୀ ଓ ମୌଳବାଦୀ ଶକ୍ତିର ବୃଦ୍ଧି ହେଉଥିବାରୁ ହସିନା ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଦେଇଛନ୍ତି ଯେ ସେ ଯାହା ବି ହୋଇ ଯାଉ ନା କାହିଁକି ଡିସେମ୍ବରରେ ନିଜ ଦେଶକୁ ଫେରିଯିବେ, ହୁଏତ ଭାରତରୁ ଫେରିବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଅଥବା ଗିରଫଦାରୀର ସମ୍ମୁଖୀନ ହେବାକୁ ପଡିପାରେ ତା ସତ୍ୱେ ସେ ସ୍ୱଦେଶ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଏପି’କୁ ଏକ ଇ-ମେଲ ସାକ୍ଷାତକାରରେ ହସିନା କହିଛନ୍ତି ଯେ ‘ଯଦି ମୋ ଭାଗ୍ୟରେ ମୃତ୍ୟୁ ହିଁ ଲେଖା ତେବେ କୌଣସି ଅନ୍ୟ ଦେଶରେ ରହିବା ବଦଳେ ନିଜ ଦେଶ ମାଟିରେ ନିଜ ଲୋକଙ୍କ ଗହଣରେ ସେ ମରିବାକୁ ପସନ୍ଦ କରିବେ’। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଡିସେମ୍ବରରେ ବାଂଲାଦେଶ ଫେରିବା ଲାଗି ତାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବନି।

ବାଂଲାଦେଶରେ ଶେଖ ହସିନାଙ୍କ ଏକ ଦୀର୍ଘ ରାଜନୈତିକ ଇତିହାସ ଅଛି। ସେ ୧୯୯୬ରୁ ୨୦୦୧ ଓ ପୁଣି ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଲଗାତାର ୪ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତେବେ ଅଗଷ୍ଟ ୨୦୨୪ରେ ଏକ ହିଂସାତ୍ମକ ତଥା ବ୍ୟାପକ ଛାତ୍ର ଆନ୍ଦୋଳନରେ ତାଙ୍କୁ ଇସ୍ତଫା ଦେବାକୁ ଓ ଭାରତରେ ଶରଣ ନେବାକୁ ବାଧ୍ୟ କରାଯାଇଥିଲା। ପରବର୍ତ୍ତି ସମୟରେ ୨୦୨୫ ମସିହାରେ ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ତାଙ୍କୁ ମାନବତା ବିରୋଧରେ ଅପରାଧ ପାଇଁ ମୃତ୍ୟୁଦଣ୍ଡାଦେଶ କରିଛି। ତାଙ୍କ ଉପରେ ପ୍ରତିବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁରକ୍ଷା ବାହିନୀଙ୍କୁ ନିର୍ଦ୍ଦେଶ ଦେବାର ଅଭିଯୋଗ ହୋଇଥିଲା।

ମିଳିତ ଜାତିସଂଘ ତଥ୍ୟ ଅନୁସାରେ ଅଶାନ୍ତ ସମୟରେ ୧,୪୦୦ ଲୋକ ପ୍ରାଣ ହରାଇଥିଲେ ଓ ହଜାର ହଜାର ଲୋକ ଆହତ ହୋଇଥିଲେ। ତେବେ ଶେଖ ହସିନା ଏହି ସମସ୍ତ ଅଭିଯୋଗ ଓ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଅବୈଧ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ପ୍ରତ୍ୟାଖ୍ୟାନ କରିଛନ୍ତି। ବାଂଲାଦେଶ ନୂଆ ସରକାର ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ଭାରତକୁ ଅନେକ ବାର ଆନୁଷ୍ଠାନିକ ପ୍ରତ୍ୟାର୍ପଣ ଦାବି କରିଛନ୍ତି। ତଥାପି ପ୍ରସଙ୍ଗରେ ଭାରତ ଏ ପର୍ଯ୍ୟନ୍ତ ସଞ୍ଜମ ମନୋଭାବ ଗ୍ରହଣ କରିଛି।

ହସିନା ସ୍ୱୀକାର କରିଛନ୍ତି ଯେ ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଗିରଫ, ଜେଲ କିମ୍ବା ନିର୍ଯାତନା ଦିଆଯାଇପାରେ। ତେବେ ସେ କହିଛନ୍ତି ଯେ ବିଦେଶରେ ବସି ଦେଶବାସୀ କଷ୍ଟପାଇବା ସେ ଦେଖି ପାରିବେନି। ତଥାପି ସେ ଭାରତରୁ ବାଂଲାଦେଶ ଫେରିବା ପାଇଁ କେଉଁ ପଥ କିମ୍ବା ଉପାୟ ଅବଲମ୍ବନ କରିବେ ତାହା ଜଣାଇ ନାହାନ୍ତି। ସାକ୍ଷାତକାରରେ ଶେଖ ହସିନା ତାଙ୍କ ଦଳ ଆବାମୀ ଲିଗ୍ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅଗଷ୍ଟ ୨୦୨୪ ପରେ ତାଙ୍କ ଦଳର ଅନୁନ୍ୟ ୨୦,୦୦୦ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏହା ଛଡା ହଜାର ହଜାର ସମର୍ଥକଙ୍କୁ ଜେଲ ଏବଂ ନିର୍ଯାତନା ଦିଆଯାଉଛି।

ହସିନା କହିଛନ୍ତି ଯେ ବାଂଲାଦେଶରେ ବର୍ତ୍ତମାନ କୌଣସି ସ୍ୱଭାବିକ ଅଥବା ଗଣତାନ୍ତ୍ରିକ ପରିବେଶ ନାହିଁ ଏବଂ ତାଙ୍କ ଦଳକୁ ନିଶ୍ଚିହ୍ନ କରିବା ପାଇଁ ରୀତିମତ ପ୍ରୟାସ ଚାଲିଛି। ଦେଶରେ ଉଗ୍ରବାଦୀ ଓ ମୌଳବାଦୀ ଶକ୍ତିର ବୃଦ୍ଧି ହେଉଥିବାରୁ ହସିନା ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ୧୫ ବର୍ଷର ଶାସନ କାଳରେ ଉଗ୍ରବାଦ ବିରୋଧରେ କଠୋର ନୀତି ଗ୍ରହଣ କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ସେ ଭାରତ କିମ୍ବା ଆମେରିକା ଭଳି ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ଚାହୁଁଛନ୍ତି କି ବୋଲି ପଚରା ଯିବାରେ ହସିନା ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ କୌଣସି ବିଦେଶୀ ଶକ୍ତିର ଆଶିର୍ବାଦ ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଆମେ ସମସ୍ତ ଦେଶ ସହିତ ସହଯୋଗ ଓ ବନ୍ଧୁତାର ନୀତିରେ ବିଶ୍ୱାସ କରୁ, କିନ୍ତୁ ମୋତେ ଘରକୁ ଫେରିବା ପାଇଁ ଅନ୍ୟ କୌଣସି ଦେଶର ସମର୍ଥନ ଆବଶ୍ୟକ ନାହିଁ।