ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଲୋକସଭା ଓ ବିଧାନସଭା ନିର୍ବାଚନ ସରିବାର କିଛି ଘଣ୍ଟା ପରେ ଫଟାଫଟ ପରିଣାମ ଆସିବା ଆରମ୍ଭ ହୋଇ ଯାଇଥାଏ। କାରଣ ଦେଶରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ(EVM)ରେ ଭୋଟିଂ ହୋଇଥାଏ। ତେଣୁ ରେଜଲ୍ଟର ଟ୍ରେଡିଂ ଶୀଘ୍ର ଆସିବା ସ୍ଵାଭାବିକ କଥା। ହେଲେ ଆମେରିକାରେ ନିର୍ବାଚନ ଶୈଳୀ ଭିନ୍ନ ରହିଛି। ଏଠାରେ ନିର୍ବାଚନ ବାଲାଟ୍ ପେପରରେ ହୋଇଥାଏ।ବାଲାଟ୍ ପେପରରେ ପ୍ରାର୍ଥୀଙ୍କ ଫଟୋ ଏବଂ ନାଁ ରହିଥାଏ। ଆମେରିକାରେ ସାଧାରଣତଃ ଭୋଟରମାନେ ବାଲାଟ୍ ପେପରରେ ଟିପ ଚିହ୍ନ ନୁହେଁ, କଲମ କିମ୍ବା ମେସିନ ସହାୟତାରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥାନ୍ତି। କିନ୍ତୁ ଆମେରିକାର ସବୁ ରାଜ୍ୟରେ ଭୋଟ୍ ଦେବା ପ୍ରଣାଳୀ ସମାନ ନୁହେଁ। କେଉଁଠି କାଗଜ ବାଲାଟରେ କଲମରେ ଚିହ୍ନ ଦିଆଯାଏ, ଆଉ କେଉଁଠି ମେସିନରେ ଭୋଟ୍ ଦେଇ ପରେ କାଗଜ ବାଲାଟ୍ ରେକର୍ଡ ମିଳେ। ଏହା ସତ୍ତ୍ଵେ ବି ଆମେରିକାରେ ୧୦ କୋଟିରୁ ଅଧିକ ଭୋଟ୍ ଗଣତି କିଛି ଘଣ୍ଟାରେ ଆରମ୍ଭ ହୋଇ ଫଳାଫଳ ସାମ୍ନାକୁ ଆସିବାରେ ଲାଗିଥାଏ।

Also Read: ଆମେରିକାରେ କଂଗ୍ରେସ ହାରିଲେ ଡୋନାଲ୍ଡ ଟ୍ରମ୍ପ, ମୁସ୍କିଲରେ ନେତନ୍ୟାହୁ, ଏବେ ଇରାନ ଯୁଦ୍ଧର ହେବ କ’ଣ?

ଆମେରିକାରେ ନିକଟରେ ସଂପନ୍ନ ମଧ୍ୟବର୍ତ୍ତୀ ନିର୍ବାଚନରେ ମଧ୍ୟ ଏମିତି ଦେଖିବାକୁ ମିଳିଛି। ନଭେମ୍ବର ୩ରେ ଅନୁଷ୍ଠିତ ନିର୍ବାଚନରେ ପ୍ରତିନିଧି ସଭାର ସମସ୍ତ ୪୩୫ ସିଟ୍, ସିନେଟର ୩୫ ସିଟ୍ ଏବଂ ୩୬ ରାଜ୍ୟର ଗଭର୍ଣ୍ଣର ନିର୍ବାଚିତ ହୋଇଛନ୍ତି। ୟୁନିଭର୍ସିଟି ଅଫ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ମୁତାବକ ମତଦାନ ଦିନ ପୂର୍ବରୁ ହିଁ ୫.୭ କୋଟିରୁ ଅଧିକ ଭୋଟର ମତଦାନ କରି ସାରିଥିଲେ। ଏହିପରି ୧୦ କୋଟିରୁ ଅଧିକ ବାଲାଟ୍ ପେପରରେ ଭୋଟିଂ ହୋଇଥିଲା।

ବାଲାଟରେ ଭୋଟିଂ, ମେସିନରେ ଗଣତି

ଆମେରିକା ଓ ଭାରତରେ ନିର୍ବାଚନ ପ୍ରକ୍ରିୟାରେ ସବୁଠୁ ବଡ଼ ବ୍ୟବଧାନ ଭାରତରେ ଇଭିଏମର ବଟନ ଦବାଇ ଭୋଟ୍ ଦିଆଯାଏ। ଆମେରିକାରେ ବାଲାଟ୍ ପେପରରେ ପ୍ରାର୍ଥୀଙ୍କ ନାଁ ଏବଂ ଚିହ୍ନ ଉପରେ ଚିହ୍ନ ଲଗାଇ ଭୋଟ୍ ଦିଆଯାଏ। ଏହା ପରେ ବାଲାଟ୍ ପେପରକୁ ସ୍କାନର ମେସିନରେ ଭର୍ତ୍ତି କରାଯାଏ। ଏହି ମେସିନ ବାଲାଟ୍ ପେପରରେ ଲାଗିଥିବା ଚିହ୍ନକୁ ଚିହ୍ନଟ କରି ପ୍ରାର୍ଥୀଙ୍କ ଖାତାରେ ଭୋଟ୍ ଯୋଡ଼ିଥାଏ। କିଛି ସ୍ଥାନରେ ସ୍କାନର ମତଦାନ କେନ୍ଦ୍ରରେ ଲାଗିଥାଏ। ବଡ଼ ବଡ଼ ଅଞ୍ଚଳରେ ବାଲାଟ ବକ୍ସକୁ ଅଲଗା ଭୋଟ୍ ଗଣତି କେନ୍ଦ୍ରକୁ ନିଆଯାଇ ସ୍କାନ କରାଯାଏ।

Also Read: ପରାଜୟ ସ୍ୱୀକାର କଲେ ଟ୍ରମ୍ପ: କହିଲେ, ମହଙ୍ଗା ପଡ଼ିଲା ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧି, ଫ୍ୟୁଚର ପ୍ଲାନ ପଲିଟିକାଲ ପଣ୍ଡିତ

ତେବେ ବଡ଼ ବଡ଼ ମତଦାନ କେନ୍ଦ୍ରରେ ହାଇ ସ୍ପିଡ ସ୍କାନର ଲାଗିଥାଏ। ଏହା ଏକ ଘଣ୍ଟାରେ ହଜାର ସଂଖ୍ୟକ ବାଲାଟ୍ ପେପର ସ୍କାନିଂ କରିଥାଏ।ତେଣୁ ଲକ୍ଷାଧିକ ଭୋଟର ଗଣତି ପାଇଁ କର୍ମଚାରୀଙ୍କୁ ଗୋଟିଏ ଗୋଟିଏ ବାଲାଟ୍ ହାତରେ ଧରି ପ୍ରାର୍ଥୀଙ୍କ ନାଁ ପଢିବା ଏବଂ ଭୋଟ୍ ଯୋଡ଼ିବାର ଆବଶ୍ୟକତା ପଡ଼େ ନାହିଁ।

ଆମେରିକାର ଇଲେକ୍ସନ ଆସିଷ୍ଟାଣ୍ଟ କମିଶନ(EAC)ର ୨୦୨୪ର ସର୍ଭେ ମୁତାବକ, ଏଠାରେ ପ୍ରାୟତଃ ସମସ୍ତ ନିର୍ବାଚନୀ କ୍ଷେତ୍ରରେ ଏମିତି ଉପକରଣର ବ୍ୟବହାର କରାଯାଏ। ଏହି ବ୍ୟବସ୍ଥାର ସବୁଠୁ ବଡ଼ ବିଶେଷତ୍ଵ ଗଣତି ମେସିନରେ ଭୋଟ୍ ଗଣତି ହେବା ପରେ ବି ଅସଲି ବାଲାଟ୍ ପେପର ସୁରକ୍ଷିତ ରହିଥାଏ। ଯଦି କୌଣସି ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆସେ ଏବଂ ପୁନର୍ବାର ଗଣତିର ଆବଶ୍ୟକ ପଡ଼ିଲେ ଉକ୍ତ ବାଲାଟ୍ ପେପର ପୁଣି ଥରେ ଯାଞ୍ଚ କରାଯାଇଥାଏ।

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଏ ଭୋଟିଂର ପ୍ରସ୍ତୁତି

ଆମେରିକାରେ ଭୋଟର ଗଣତି ଏତେ ଶୀଘ୍ର ଆରମ୍ଭ ହେବାର ବଡ଼ କାରଣ ହେଉଛି ଏଠାରେ ନିର୍ବାଚନ ହେବା ପୂର୍ବରୁ ଅନେକ ପ୍ରକ୍ରିୟା ଏବଂ କାମ ପୂରା ହୋଇ ସାରିଥାଏ। ଆମେରିକାର ଅନେକ ରାଜ୍ୟରେ ଭୋଟରଙ୍କୁ ଆଗୁଆ ଭୋଟିଂ ଏବଂ ଡାକ ଜରିଆରେ ଭୋଟ୍ ଦେବାର ସୁବିଧା ପ୍ରଦାନ କରାଯାଏ। ଅର୍ଥାତ ଭୋଟିଂ ଦିନ ପୂର୍ବରୁ ହିଁ ଭୋଟର ନିଜର ମତଦାନ ଦେଇ ସାରିଥାନ୍ତି। କିଛି ରାଜ୍ୟରେ ତ ପୋଷ୍ଟ ଜରିଆରେ ବାଲାଟ୍ ପଠାଇବାର ବ୍ୟବସ୍ଥା ରହିଛି। ଆଉ କିଛି ରାଜ୍ୟରେ ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ପୂର୍ବରୁ ହିଁ ଭୋଟିଂ କରିବାର ବ୍ୟବସ୍ଥା ରହିଛି।

Also Read: ଆମେରିକା ମିଡ୍ଟର୍ମ ନିର୍ବାଚନ ପରେ ଭାରତକୁ ମିଳିବ କି ବାଣିଜ୍ୟିକ ଆଶ୍ୱସ୍ତି?

ନଭେମ୍ବର ୨ର ରୟଟର୍ସର ରିପୋର୍ଟ ମୁତାବକ, ନଭେମ୍ବର ୩ରେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ୫.୭ କୋଟିରୁ ଅଧିକ ଆମେରିକୀୟ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ସାରିଥିଲେ। ହେଲେ ଆଇନ ମୁତାବକ ଉକ୍ତ ଭୋଟରଙ୍କ ଫଳାଫଳ ସାର୍ବଜନୀନ କରାଯାଏ ନାହିଁ। ତେଣୁ ଏସବୁ ପ୍ରକ୍ରିୟା ଯୋଗୁଁ ନିର୍ବାଚନ ସରିବା ପରେ ଅଧିକାରୀଙ୍କ ଉପରୁ ବୋଝ ହାଲୁକା ହୋଇ ସାରିଥାଏ। ତେଣୁ ଅଧିକାରୀ ଓ କର୍ମଚାରୀମାନେ ଭୋଟିଂ ସରିବା ମାତ୍ରେ ତୁରନ୍ତ ବାଲାଟ୍ ପେପର ସ୍କାନିଂ ଓ ଗଣତି କାର୍ଯ୍ୟରେ ଲାଗି ଯାଆନ୍ତି।

୧୦ ହଜାରରୁ ଅଧିକ ସ୍ଥାନରେ ଏକ ସଙ୍ଗେ ହୋଇଥାଏ ଭୋଟ୍ ଗଣତି

ଆମେରିକାରେ ପୂରା ଦେଶରେ ଭୋଟ୍ ଗଣତି କୌଣସି ଗୋଟିଏ ସେଣ୍ଟରରେ ହୋଇ ନ ଥାଏ। ସେଠାରେ ନିର୍ବାଚନ ପରିଚାଳନା ସ୍ଥାନୀୟ ପ୍ରଶାସନ କରିଥାନ୍ତି। ଦେଶର ଅଲଗା ଅଲଗା କାଉଣ୍ଟି, ସହର ଓ ଟାଉନରେ ନିର୍ବାଚନ ଅଧିକାରୀ ନିଜ ନିଜର ବ୍ୟବସ୍ଥା ଏବଂ ପ୍ରକ୍ରିୟା ଆଧାରରେ ଭୋଟ୍ ଗଣତି କରିଥାନ୍ତି।

Also Read: ଟ୍ରମ୍ପଙ୍କୁ ବଡ଼ ଝଟକା ! ଉଭୟ ସଦନ ଦଖଲ କଲା ବିରୋଧୀ ଦଳ

ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଆମେରିକାରେ ୧୦ ହଜାରରୁ ଅଧିକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟା ସଞ୍ଚାଳିତ ହୋଇଥାଏ। ଏହି ସବୁ ସ୍ଥାନରେ ଅଲଗା ଅଲଗା ଟିମ୍ ଓ ମେସିନ ଏକ ସଙ୍ଗେ ଭୋଟ୍ ଗଣତି କରିଥାନ୍ତି। ଯେମିତି ଗୋଟିଏ ଅଞ୍ଚଳରେ ବାଲାଟ୍ ପେପର ଗୋଟିଏ ପର୍ଯ୍ୟାୟର ଗଣତି ପୂରା ହୋଇଯାଏ ଏହାର ତଥ୍ୟ ତୁରନ୍ତ ସ୍ଥାନୀୟ ଅଧିକାରୀଙ୍କୁ ଦିଆଯାଏ। ଏହା ପରେ ପରିଣାମ ପ୍ରସ୍ତୁତ କରୁଥିବା ଏଜେନ୍ସି ଓ ସମ୍ବନ୍ଧିତ ଅଧିକାରୀଙ୍କ ନିକଟକୁ ତଥ୍ୟ ପଠାଯାଏ।

ପୂରା ଗଣତି ପୂର୍ବରୁ କେମିତି ଘୋଷିତ ହୋଇଯାଏ ନିର୍ବାଚନ ପରିଣାମ ?

ଆମେରିକା ନିର୍ବାଚନର ଆଉ ଏକ ରୋଚକ ପ୍ରକ୍ରିୟା ଏହା ଯେ, ଅନେକ ଥର ଭୋଟ୍ ଗଣତି ପୂରା ହେବା ପୂର୍ବରୁ ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରାଯାଏ। ଏହି ଘୋଷଣା ନିର୍ବାଚନ ଆୟୋଗ କରନ୍ତି ନାହିଁ ବରଂ ଆସୋସିଏଟେଡ ପ୍ରେସ ପରି ନ୍ୟୁଜ ଏଜେନ୍ସି ଓ ମିଡିଆ ସଂସ୍ଥା କରିଥାନ୍ତି। ଏଥିପାଇଁ ନ୍ୟୁଜ ଏଜେନ୍ସିକୁ ସଦ୍ୟତମ ଭୋଟ ଗଣତିର ତଥ୍ୟ, ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ଓ ଉକ୍ତ ଅଞ୍ଚଳର ଭୋଟର କେତେ ସବୁର ସମୀକ୍ଷା କରିବାକୁ ପଡ଼ିଥାଏ।

କ'ଣ ଆମେରିକାରେ ଭାରତଠୁ ଶୀଘ୍ର ହୋଇଥାଏ ଭୋଟ୍ ଗଣତି ?

ଆମେରିକାରେ ଭୋଟ୍ ଗଣତି ଜଲଦି ଆରମ୍ଭ ହେବାର ମୁଖ୍ୟ କାରଣ କେବଳ ମେସିନ ନୁହେଁ, ବରଂ ପୂରା ନିର୍ବାଚନୀ ବ୍ୟବସ୍ଥା। ସେଠାରେ ଭୋଟର ବାଲାଟ୍ ପେପରରେ ଭୋଟ୍ ଦେଇଥାନ୍ତି, ମାତ୍ର ଗଣତି ସ୍କାନର ମେସିନ କରିଥାଏ। ମତଦାନ ପୂର୍ବରୁ ହିଁ ଭୋଟ୍ ପଡ଼ିଥିବା ଲକ୍ଷାଧିକ ବାଲାଟ୍ ପେପର ଯାଞ୍ଚ ଓ ପ୍ରସ୍ତୁତି ସରିଯାଇଥାଏ। ଏହା ବ୍ୟତୀତ ହଜାର ସଂଖ୍ୟକ ମତଦାନ କେନ୍ଦ୍ରରେ ଏକ ସଙ୍ଗେ ଗଣତି ହୋଇଥାଏ।

ଭାରତରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଇଭିଏମ ଜରିଆରେ ଭୋଟ୍ ଦିଆଯାଏ। ଆଉ ପଞ୍ଚାୟତସ୍ତରରେ ବାଲାଟ୍ ପେପରରେ ଭୋଟିଂ ହୋଇଥାଏ। ହେଲେ ଦୁଇ ଦେଶରେ ନିର୍ବାଚନୀ ବ୍ୟବସ୍ଥା, ମତପତ୍ରର ପ୍ରକାର ଏବଂ ଗଣତି ନିୟମ ଅଲଗା ଅଲଗା ରହିଛି। ତେଣୁ କେବଳ ଗଣତିରେ ଲାଗୁଥିବା ସମୟ ଆଧାରରେ ଦୁଇ ଦେଶର ନିର୍ବାଚନ ପ୍ରକ୍ରିୟାର ତୁଳନା କରିବା ଉଚିତ୍ ହେବନି। ମୋଟାମୋଟି କହିବାକୁ ଗଲେ ଆମେରିକାର ନିର୍ବାଚନୀ ବ୍ୟବସ୍ଥା ଏବଂ ଭୋଟ୍ ଗଣତି ଭାରତ ତୁଳନାରେ ଅଧିକ ସ୍ଵଚ୍ଛ ଓ ବିଶ୍ଵାସଯୋଗ୍ୟ।