ଭୁବନେଶ୍ବର ୨।୧୧: ବାତ୍ୟା ମୁରାସୁ ର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଏହାର ପ୍ରଭାବ ଦକ୍ଷିଣ ଆନ୍ଧ୍ରରେ ପଡିବ । ତେବେ ସୋମବାର ରାତି ୧୧ଟା ୩୦ରୁ ମଙ୍ଗଳବାର ଭୋର ୪ଟା ମଧ୍ୟରେ ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୧୦ ଓ ଝଟକା ପବନ ୧୨୦ କିଲୋମିଟର ପ୍ରବାହିତ ହେବାର ସମ୍ଭାବନା ରହିଛି ।

ତେବେ ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ରାୟଗଡା, କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତିର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଅଳର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Also Read:-ରାତିରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା, ଓଡ଼ିଶାର ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ସେହିଭଳି ୩ ତାରିଖରେ ମଧ୍ୟ ଏହି ୫ଟି ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଆଲର୍ଟ ଦିଆଯାଇଛି । ୪ ତାରିଖରେ କୋରାପୁଟ ଓ ମାଲକାନଗିରିର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ନେଇ ଚେତାବନୀ ଦିଆଯାଇଛି । ଏହାସହ ୨ରୁ ୪ ତାରିଖ ୩ ଦିନ ଧରି ଉପକୂଳ ଓଡ଼ିଶାରେ ମଧ୍ୟ ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ରହିଛି ।