ଲଣ୍ଡନ, ୧୫|୦୭: ମଙ୍ଗଳବାରଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ଟି୨୦ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଥିଲା ଦଳ । ତେବେ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ଜିତି ନେଇଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭାରତର ଯୁବ ଖେଳାଳି ଦମଦାର୍ ପ୍ରଦର୍ଶନ କରିଥିଲେ । କିନ୍ତୁ ଭେଟେରାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଫେଲ୍ ମାରିଛନ୍ତି ।

ମୁକାବିଲାରେ ଟସ୍ ହାରି ଫିଲ୍ଡିଂ କରିଥିଲା ଭାରତ । ଆରମ୍ଭରୁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଦଳ ନିର୍ଧାରିତ ୫୦ ଓଭରରେ ୨୫୮ ରନ୍ କରିପାରିଥିଲା । ଜବାବରେ ଭାରତ ୪୫.୨ ଓଭରରେ ମ୍ୟାଚ୍ ଜିତି ନେଇଛି । ଭାରତ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୮୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୫୭ ଏବଂ ଓ୍ୱାଶିଂଟନ ସୁନ୍ଦର ୫୨ ରନର ଉପଯୋଗୀ ଇନିଂସ ଖେଳିଥିଲେ ।

Also Read :-ଫିଫା ୨୦୨୬ : ସେମି ଫାଇନାଲରେ ହାରିଲା ଫ୍ରାନ୍ସ, ୧୬ ବର୍ଷ ପରେ ଫାଇନାଲରେ ସ୍ପେନ୍

ମୁକାବିଲାରେ ସମସ୍ତଙ୍କ ନଜର ଥିଲା ରୋ-କୋଙ୍କ ଉପରେ । ଉଭୟ ଦମଦାର୍ ପାଳି ଖେଳିବେ ବୋଲି ସମସ୍ତେ ଆଶା କରୁଥିଲେ । କିନ୍ତୁ ଏହି ଦୁଇ ଖେଳାଳି ନିରାଶ କରିଥିଲେ । ରୋହିତ ଶର୍ମା ୨୧ ବଲରୁ ୧୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି କିଙ୍ଗ୍ ବିରାଟ ମାତ୍ର ୫ ରନ୍ କରିପାରିଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଉଭୟ ରୋହିତ ଏବଂ ବିରାଟଙ୍କ ପାଳି ଦେଖି ସୋସିଆଲ ମିଡିଆରେ ନେଟିଜେନ୍ସ ଉଭୟଙ୍କ ଫର୍ମକୁ ନେଇ ପ୍ରଶ୍ନ କରିଛନ୍ତି । କେହି କେହି କହୁଛନ୍ତି ଯେ ଦୀର୍ଘଦିନର ବ୍ରେକ୍ ପାଇଁ ସେମାନେ ଫର୍ମରେ ନାହାଁନ୍ତି । ଉଭୟ ଏବେ ଲଗାତାର କ୍ରିକେଟ୍ ଖେଳୁ ନାହାଁନ୍ତି । କେବଳ ଦିନିକିଆ ଖେଳୁଛନ୍ତି । ଅନ୍ୟ ଦୁଇଟି ଫର୍ମାଟରୁ ଅବସର ନେଇସାରିଛନ୍ତି । ତେଣୁ ସମୟ ଲାଗିପାରେ ବୋଲି କିଛି ଫ୍ୟାନ୍ସ ମତ ଦେଉଛନ୍ତି । ଆଉ କେହିକେହି କିନ୍ତୁ ରୋ-କୋଙ୍କୁ ଟାର୍ଗେଟ୍ କରିଛନ୍ତି ।

ପୂର୍ବରୁ ଶୁଣିବାକୁ ମିଳୁଛି ଯେ, ରୋହିତ ଖୁବ୍ ଶୀଘ୍ର ଦିନିକିଆରୁ ଅବସର ଘୋଷଣା କରିବେ । ଇଂଲଣ୍ଡ ବିପକ୍ଷ ସିରିଜ୍ ହିଁ ତାଙ୍କ ପାଇଁ ଅସଲ ପରୀକ୍ଷା ହେବ । ଏଥିରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ବିସିସିଆଇ ସୁଯୋଗ ଦେବାକୁ ବାଧ୍ୟ ହେବ । ଏହି ସିରିଜ୍ ପରେ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଦିନିକିଆ ସିରିଜ୍ ରହିଛି । ଯଦି ଉଭୟ ସିରିଜରେ ରୋହିତ ସଫଳ ହୁଅନ୍ତି ତାହାଲେ ସେ ୨୦୨୭ ବିଶ୍ୱକପ୍ ଖେଳିବେ । ଯବି ବିଫଳ ହୁଅନ୍ତି ତେବେ ବୋର୍ଡ ଅନ୍ୟ ବିକଳ୍ପ କୋଜିବ ଏବଂ ରୋହିତଙ୍କୁ ଅବସର ନେବାକୁ କହିବ । ବିରାଟଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ । ତାଙ୍କୁ ମଧ୍ୟ ୨୦୨୭ ଦିନିକିଆରେ ସ୍ଥାନ ପକ୍କା କରିବାକୁ ହେଲେ ସିରିଜରେ ଭଲ ଖେଳିବାକୁ ପଡିବ ।