ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ରାଲିର ଆୟୋଜନ କରିଥିଲା ବିରୋଧୀ ଇଣ୍ଡି ମେଣ୍ଟ । ବିରୋଧୀଙ୍କ ବିଶାଳ ସମାବେଶ ଯୋଗୁଁ, ଦିଲ୍ଲୀର ବ୍ୟବସାୟୀ ବଡ଼ କ୍ଷତି ସହିଛନ୍ତି । ବିଶୃଙ୍ଖଳା ଏବଂ ଭୟର ପରିବେଶ ଯୋଗୁଁ କାରବାର ପୂରା ଠପ୍‌ ହୋଇପଡ଼ିଥିଲା । ଫଳରେ ବ୍ୟବସାୟୀ ପ୍ରାୟ ୧୧ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (CTI)ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ରାମଲୀଳା ମଇଦାନ ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ସାଢ଼େ ତିନି ଲକ୍ଷ ଦୋକାନ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ଦୋକାନ ବନ୍ଦ ରହିଥିଲା। ପ୍ରାୟ ୧୦ ଲକ୍ଷ ଲୋକ ଓ ହଜାର ହଜାର ଗାଡ଼ି ଆସିବା ନେଇ ପ୍ରଚାର ହେବା ପରେ  ବ୍ୟବସାୟୀମାନେ ନିଜ ନିଜର ଦୋକାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ। କେବଳ ଦୋକାନ ବନ୍ଦ ରହିନଥିଲା, ବରଂ ଦିଲ୍ଲୀ ବାହାରୁ ଏବଂ ପାଖ ସହରଗୁଡ଼ିକରୁ ଆସୁଥିବା ୩ ରୁ ୪ ଲକ୍ଷ ନିୟମିତ ଗ୍ରାହକ ଓ ବ୍ୟବସାୟୀ ମଧ୍ୟ ବଜାରକୁ ଆସିପାରିନଥିଲେ। ଏହାସହିତ ଶିଳ୍ପାଞ୍ଚଳ ଓ ଟ୍ରାନ୍ସପୋର୍ଟ ହବ୍‌ରୁ ମାଲ୍ ପରିବହନ କରୁଥିବା ପ୍ରାୟ ୫,୦୦୦ ଗାଡ଼ିର ଚଳାଚଳ ଠପ୍ ହୋଇଯାଇଥିଲା।

ସେ ଆହୁରି କହିଛନ୍ତି, ପୁରୁଣା ଓ ମଧ୍ୟ ଦିଲ୍ଲୀର ବଜାରଗୁଡ଼ିକ ଗୋଦାମ ପରିବର୍ତ୍ତେ ଦୈନନ୍ଦିନ ଯୋଗାଣ ଉପରେ ନିର୍ଭର କରନ୍ତି । କିନ୍ତୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବାରୁ ବ୍ୟବସାୟ ହୋଇପାରିଲା ନାହିଁ । ଦୀପାବଳି ଏବଂ ଧନତେରସ ଭଳି ପ୍ରମୁଖ ପର୍ବପର୍ବାଣି ଆଗକୁ ରହିଛି ।  ଯେଉଁ ସମୟରେ ଦୈନିକ ୧୦,୦୦୦ ରୁ ୧୨,୦୦୦ କୋଟି ଟଙ୍କାର କାରବାର ହୋଇଥାଏ, ସେହି ସମୟରେ ଏପରି ସମାବେଶ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ତେବେ ଏହି କ୍ଷତିର ଭରଣା କିଏ କରିବ ବୋଲି ସିଟିଆଇ ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି ।

ବିଜେପି-କଂଗ୍ରେସ ମୁହାଁମୁହିଁ 
ଏହି ଘଟଣାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ତର୍କବିତର୍କ ଆରମ୍ଭ ହୋଇଯାଇଛି। ବିଜେପି ନେତାମାନେ ଇଣ୍ଡି ମେଣ୍ଟକୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଭିଯୋଗ କରିଛନ୍ତି ଯେ, ବ୍ୟବସାୟୀମାନେ ତିନି ତିନି ଥର ସାମ୍ବାଦିକ ସମ୍ମିଳନୀ କରି ଏବଂ ଚିଠି ଲେଖି ରାଲିକୁ ଦୀପାବଳି ପରେ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ସେମାନଙ୍କ କଥା ଶୁଣିଲେ ନାହିଁ ।  ସେହିପରି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ, ପାର୍ବଣ ସମୟରେ ଛୋଟ ଦୋକାନୀ ଓ ବ୍ୟବସାୟୀଙ୍କ ଜୀବିକାକୁ ପ୍ରଭାବିତ କରି ଦିଲ୍ଲୀରେ ଅରାଜକତା ସୃଷ୍ଟି କରିବା କଂଗ୍ରେସର ମୂଳ ଲକ୍ଷ୍ୟ।

ଅନ୍ୟପକ୍ଷରେ, ବିଜେପିର ଏହି ଅଭିଯୋଗକୁ କଂଗ୍ରେସ ଖଣ୍ଡନ କରିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି ଦାବି କରିଛନ୍ତି ଯେ, ବିଜେପି ନିଜେ କନ୍ନଟ୍ ପ୍ଲେସ୍‌ର ସମସ୍ତ ଦୋକାନକୁ ଜବରଦସ୍ତ ବନ୍ଦ କରାଇଛି । ଫଳରେ ବ୍ୟବସାୟୀମାନେ କ୍ଷତିସହିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ବିଜେପିର ଏହି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ । ଭୋଟ୍ ଚୋରି ତଥା ସିଇସିଙ୍କ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନେ ରାଲି ପରେ ସ୍ଥାନୀୟ ବଜାରରୁ କିଣାକିଣି କରିଛନ୍ତି ବୋଲି ସେ କହିଛନ୍ତି ।