ନୂଆଦିଲ୍ଲୀ, ୧୫|୦୭: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ଦଳ ଭାବେ ସ୍ପେନ୍ ଫାଇନାଲରେ ପ୍ରବେଶ କରିଛି। ଡାଲାସ ଷ୍ଟାଡ଼ିୟମରେ ଅନୁଷ୍ଠିତ ସେମି ଫାଇନାଲ୍ ମୁକାବିଲାରେ ଦଳ ୨-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଥିଲା ଓ ୧୬ବର୍ଷ ପରେ ପୁଣିଥରେ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା ।

ପୂର୍ବରୁ ସ୍ପେନ୍ ୨୦୧୦ରେ ଥରେ ମାତ୍ର ଫାଇନାଲ୍ ଖେଳିଥିଲା ଓ ନେଦରଲାଣ୍ଡକୁ ୧-୦ ଗୋଲରେ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା। ୨୦୧୮ ଚାମ୍ପିଅନ୍ ଓ ୨୦୨୨ ବିଶ୍ୱକପ୍ ରନର୍ସ ଅପ୍ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ସ୍ପେନ ସବୁ ବିଭାଗରେ ପ୍ରଭାବ ବିସ୍ତାର କରି ଖେଳିଥିଲା।

ବଲ୍ ପୋଜେସନଠୁ ଆରମ୍ଭ କରି ପାସ୍ ବିନିମୟ ପର୍ଯ୍ୟନ୍ତ ଦଳ ସମ୍ପୂର୍ଣ ୯୦ ମିନିଟ୍ ଧରି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲା। ୨୨ତମ ମିନିଟରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ମିକେଲ ଓୟରଜବାଲ ସ୍ପେନକୁ ଅଗ୍ରଣୀ କରାଇଥିଲେ। ସେହିପରି ଦ୍ଵିତୀୟାର୍ଦ୍ଧରେ ମ୍ୟାଚର ୫୮ତମ ମିନିଟରେ ପେଡ୍ରୋ ପୋରୋ ଦ୍ବିତୀୟ ଗୋଲ୍ ଦେଇଥିଲେ। ଏଥିରେ ତାଙ୍କୁ ସହାୟତା କରିଥିଲେ ଡାନି ଓଲମୋ। ଫ୍ରାନ୍ସ ଅନ୍ତିମ ଭାଗରେ ଜୋରଦାର ଆକ୍ରମଣ କରିଥିଲେ ହେଁ ଗୋଲ୍ କରିବାରେ ବିଫଳ ହୋଇଥିଲା ।

Also Read :-ଗିଲ୍-ଅକ୍ଷର-ଓ୍ଵାଶିଂଟନଙ୍କ ଦମଦାର ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ହରାଇଲା ଭାରତ, ଟିମ୍ ଇଣ୍ଡିଆର ପ୍ରଥମ ବିଜୟ

ଦ୍ୱିତୀୟ ସେମିରେ ଇଂଲଣ୍ଡ ବନାମ ଆର୍ଜେଣ୍ଟିନା

ଆଟଲାଣ୍ଟାରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିରେ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ । ଗତଥର ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଥିଲା । ଏଥର ମଧ୍ୟ ଦଳ ଦମଦାର ପ୍ରଦର୍ଶନ କରୁଛି । ଲିଓନେଲ ମେସି ଫର୍ମରେ ଅଛନ୍ତି । ତେଣୁ ଦଳ ଏଥର ଟାଇଟଲ ଦାବିଦାର ରହିଛି । ଅନ୍ୟ ଦିଗରେ ଇଂଲଣ୍ଡ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରି ଆସିଛି ।