ଶେୟାର ବଜାର ପ୍ରବେଶ ପାଇଁ ଲକ୍ଷ୍ୟ ରଖିଛି 'ଆନ୍ଥ୍ରୋପିକ୍' | ମାତ୍ର ପାଞ୍ଚ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିବା ଏହି ଷ୍ଟାର୍ଟଅପ୍ ଗତ ସୋମବାର ଅକ୍ଟୋବର ୨୬, ୨୦୨୬ ଦିନ IPO ପାଇଁ କାଗଜପତ୍ର ଦାଖଲ କରିଛି | କେବଳ ଏଆଇ ସଫ୍ଟୱେର୍ ତିଆରି କରିବାରେ ନିୟୋଜିତ ଥିବା ଆନ୍ଥ୍ରୋପିକ୍ ହେଉଛି ପ୍ରଥମ ବଡ଼ ଆମେରିକୀୟ କମ୍ପାନୀ, ଯହା ସେୟାର ବଜାରରେ ପ୍ରବେଶ କରୁଛି lଅତୀତରୁ ଲିଷ୍ଟିଙ୍ଗ ହୋଇଥିବା ଅନ୍ୟ , ଯେକୌଣସି କମ୍ପାନୀ ଅପେକ୍ଷା ଏହାର ଆଇପିଓରେ ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ ହେବ ବୋଲି ଆଶା କରାଯାଉଛି।

ଏକ ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆନ୍ଥ୍ରୋପିକ୍ ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଏହାର ମୂଲ୍ୟ ୨ ଟ୍ରିଲିୟନ ଡଲାର୍ ପର୍ଯ୍ୟନ୍ତ ହୋଇପାରେ। ଯଦି ଏହି କମ୍ପାନୀ ନିଜର ପାଣ୍ଠି ସଂଗ୍ରହ ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଏ, ତେବେ ଏହା 'ସ୍ପେସଏକ୍ସ'କୁ ପଛରେ ପକାଇଦେବ, ଯାହା ଜୁନ୍ ୨୦୨୬ ରେ ନିଜର ଆଇପିଓ ଜରିଆରେ ପ୍ରାୟ ୮୬.୨ ବିଲିୟନ ଡଲାର୍ ସଂଗ୍ରହ କରିଥିଲା ଏବଂ ୨୦୧୯ ରେ ସାଉଦି ଆରାମକୋର ୨୫.୬ ବିଲିୟନ ଡଲାର୍ ଲିଷ୍ଟିଂ ଦ୍ୱାରା ପ୍ରତିଷ୍ଠିତ ରେକର୍ଡକୁ ଭାଙ୍ଗିଥିଲା।

ଏହି ଏଆଇ କମ୍ପାନୀ ୧୦୦ ବିଲିୟନ (୧୦,୦୦୦ କୋଟି ଡଲାର) ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ଅର୍ଥରାଶି ସ୍ପେସ୍ଏକ୍ସ ଦ୍ୱାରା ସଂଗ୍ରହ କରାଯାଇଥିବା ୮୬.୨ ବିଲିୟନ ଠାରୁ ପ୍ରାୟ ୧୬ ପ୍ରତିଶତ ଅଧିକ ଏବଂ ସୌଦି ଆରାମକୋ ଏହାର ମୂଳ ଆଇପିଓ ରେ ସଂଗ୍ରହ କରିଥିବା ଅର୍ଥରାଶିର ପ୍ରାୟ ଚାରି ଗୁଣ ଅଟେ।

ଯଦିଓ, କମ୍ପାନୀର ଏହି ଆକାଂକ୍ଷା ସହିତ ବହୁତ ବଡ଼ ଆର୍ଥିକ ଆହ୍ୱାନ ମଧ୍ୟ ରହିଛି। ଏହାର ଆଇପିଓ ଦାଖଲ ଅନୁଯାୟୀ, ଆନ୍ଥ୍ରୋପିକ୍ ୨୦୨୬ ମସିହାର ପ୍ରଥମ ଛଅ ମାସରେ ୧୬.୨୯ ବିଲିୟନ ରାଜସ୍ୱ ସଂଗ୍ରହ କରିଛି, କିନ୍ତୁ ଏହା ସହିତ ପ୍ରାୟ ୮୦.୭୫ ବିଲିୟନର ଶୁଦ୍ଧ କ୍ଷତି ମଧ୍ୟ ଦର୍ଶାଇଛି।ସାନ ଫ୍ରାନ୍ସିସ୍କୋ ଭିତ୍ତିକ ଏହି ସଂସ୍ଥା ନିଜର ୱାଲ୍ ଷ୍ଟ୍ରିଟ୍ ବିବରଣୀ ପତ୍ରରେ କହିଛି ଯେ, "ଆମର ପ୍ରାୟ ସମସ୍ତ ରାଜସ୍ୱ" ଆମର ଏଆଇ ଟୁଲ୍ସ ବା ସାଧନଗୁଡ଼ିକରୁ ଆସିଥାଏ।

also read- ଧନୀ ଦେଶରେ ଅଧିକ ଋଣର ବୋଝ! ବିଶ୍ୱର ସବୁଠୁ ବଡ଼ କରଜ କରିଥିବା ଦେଶ କିଏ?

ଗୁଗଲ୍ କିମ୍ବା ମେଟା ଭଳି ଏହା ପାଖରେ କୌଣସି ବିଜ୍ଞାପନ ସାମ୍ରାଜ୍ୟ ନାହିଁ, ଯାହା ଉପରେ ବ୍ୟବସାୟ ମାନ୍ଦା ହେଲେ ନିର୍ଭର କରାଯାଇପାରିବ l ମାଇକ୍ରୋସଫ୍ଟ କିମ୍ବା ସ୍ପେସ୍-ଏକ୍ସ ଭଳି କୌଣସି କ୍ଲାଉଡ୍ ବ୍ୟବସାୟ ମଧ୍ୟ ନାହିଁ।ତେଣୁ, ଏହି ଲିଷ୍ଟିଂ ପ୍ରସ୍ତାବ ବିଶ୍ୱର ଅନ୍ୟତମ ପ୍ରମୁଖ ଏଆଇ କମ୍ପାନୀ ପାଇଁ କେବଳ ନିବେଶକମାନଙ୍କ ଆଗ୍ରହର ଏକ ପରୀକ୍ଷା ହେବ ନାହିଁ। ବରଂ ଏହା ସମଗ୍ର ଏଆଇ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇପାରେ, ଯାହା ଜଣାଇଦେବ କି ନିବେଶକମାନେ ଏପରି ଏକ ପ୍ରଯୁକ୍ତିବିଦ୍ୟା ଉପରେ ଶହ ଶହ ବିଲିୟନ ଡଲାରର ବାଜି ଲଗାଇବାକୁ ପ୍ରସ୍ତୁତ ଅଛନ୍ତି କି ନାହିଁ l