ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରମୁଖ ଭିତ୍ତିଭୂମିଗୁଡ଼ିକ ସୁଦୃଢ଼ ରହିଛି ଏବଂ ଦେଶର ଅର୍ଥନୀତିରେ କୌଣସି ଦୁର୍ବଳତାର ଲକ୍ଷଣ ଦେଖାଯାଉନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜିଏସ୍ଟି ଆଦାୟରେ ଉନ୍ନତି ଏବଂ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାର ସୁଦୃଢ଼ ସ୍ଥିତିକୁ ସେ ଭାରତୀୟ ଅର୍ଥନୀତିର ଶକ୍ତିର ପ୍ରମୁଖ ଉଦାହରଣ ଭାବେ ଉପସ୍ଥାପନ କରିଛନ୍ତି।

HSBC ଇଣ୍ଡିଆର ତୃତୀୟ ବାର୍ଷିକ ବିତ୍ତୀୟ ସମାବେଶରେ ଯୋଗ ଦେବାକୁ ଯାଇ କିଛି ଗୁରୁତ୍ୱ ପୁର୍ଣ ମନ୍ତବ୍ୟ ରଖିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ I ଉକ୍ତ ସଭାରେ HSBC ର ସିଓ ହିତେନ୍ଦ୍ର ଦେବଙ୍କ ଦେଇଥିବା ସାକ୍ଷାତକାରରେ ନିର୍ମଳା କହିଛନ୍ତି ''ବେଳେ ବେଳେ ପର୍ଯ୍ୟାପ୍ତ ଅନୁଭବୀ ବ୍ୟକ୍ତି ମଧ୍ୟ ଭାରତୀୟ ଅର୍ଥନୀତକୁ ନେଇ ଅବିଶ୍ୱାସଜନକ ମତ ମନ୍ତବ୍ୟ ଦେଇଥାନ୍ତି I ଆମକୁ ଭାରତ ବିଷୟରେ ଅତ୍ୟନ୍ତ ଆତ୍ମବିଶ୍ୱାସର ସହିତ କହିବାକୁ ହେବ,ଏହା ମୋର ଅନୁରୋଧ '' ଏଭଳି କହିଛନ୍ତି ସୀତାରମଣ I

ଦେଶର ଅର୍ଥନୈତିକ ବିକାଶକୁ ଗତିଶୀଳ ରଖିବା ପାଇଁ ସରକାର ପୁଞ୍ଜି ବ୍ୟୟ ବା କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ଜାରି ରଖିବେ ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି। ଘରୋଇ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ନୂଆ କ୍ଷମତା ସୃଷ୍ଟି କରିବା ଏବଂ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ଆଗେଇ ଆସିବା ପର୍ଯ୍ୟନ୍ତ ସରକାରୀ ପୁଞ୍ଜିନିବେଶ ଅର୍ଥନୀତିକୁ ସମର୍ଥନ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ବିକାଶମୂଳକ ଖର୍ଚ୍ଚ ସହିତ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଖର୍ଚ୍ଚ କରିବା ସହ ଆର୍ଥିକ ସ୍ଥିରତାକୁ ପ୍ରାଥମିକତା ଦେବାକୁ ପଡ଼ିବ।

ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ବୀମା ଭଳି କ୍ଷେତ୍ରରେ ସରକାରୀ ଯୋଜନାଗୁଡ଼ିକ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି। ବିଶ୍ୱବ୍ୟାଙ୍କର ଏକ ରିପୋର୍ଟକୁ ଉଦ୍ଧୃତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତର ଦାରିଦ୍ର୍ୟ ହାର ପ୍ରାୟ ୨୫ ପ୍ରତିଶତରୁ ହ୍ରାସ ପାଇ ୨ ପ୍ରତିଶତରେ ପହଞ୍ଚିଥିଲା। ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ମୌଳିକ ସେବାର ସୁଲଭତା ଏଥିରେ ସହାୟକ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

ଆଗାମୀ ଦିନରେ ଦେଶର ଇକୋନୋମିକ ପାଟିସିପେସନକୁ ଅଧିକ ବ୍ୟାପକ କରିବା ପାଇଁ ଋଣ, ବୀମା ଏବଂ ପେନ୍ସନ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ୨୦୪୭ ସୁଦ୍ଧା ଦେଶର ସମସ୍ତଙ୍କୁ ବୀମା ସୁରକ୍ଷା ପରିସରଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ପୁନର୍ବାର କହିଛନ୍ତି ସୀତାରମଣ । ଏଥିସହ ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ଚାଲୁଥିବା ବ୍ୟବସାୟକୁ ସମ୍ପ୍ରସାରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସହଜରେ ଋଣ ଉପଲବ୍ଧ କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

ନିଯୁକ୍ତି ସୁଯୋଗ ସମ୍ପର୍କରେ ମତ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ତାଲିମ ପ୍ରଦାନ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ସରକାର ଚାହୁଁଛନ୍ତି। ଏହାଦ୍ୱାରା ଯୁବପିଢ଼ି ଭବିଷ୍ୟତର ଏଆଇ ଆଧାରିତ ନିଯୁକ୍ତି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଏଥିସହ ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ଓ ଶିକ୍ଷିତ ଯୁବକ-ଯୁବତୀଙ୍କ ଦକ୍ଷତା ମଧ୍ୟରେ ଥିବା ବ୍ୟବଧାନ ଦୂର ହୋଇପାରିବ।

also read-ବାଇନାନ୍ସରେ ୬.୩ ବିଲିୟନ ଡଲାରର ସାଇବର ଆକ୍ରମଣ ପରେ, ଗ୍ରାହକ ପ୍ରତ୍ୟାହାର କଲେ ୩.୬ ବିଲିୟନ ଡଲାର

ଏହାବ୍ୟତୀତ, ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ବ୍ୟାଙ୍କିଂ ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଗଠିତ ଉଚ୍ଚସ୍ତରୀୟ କମିଟି ଶିଳ୍ପ ପ୍ରତିନିଧି ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି , ଦେଶର ଅର୍ଥନୈତିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ସରକାରୀ ପୁଞ୍ଜିନିବେଶ, ଜନକଲ୍ୟାଣକାରୀ ଯୋଜନା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଓ ବ୍ୟାଙ୍କିଂ ସଂସ୍କାର ଉପରେ ସରକାର ଗୁରୁତ୍ୱ ଦେବା ସହିତ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ମଧ୍ୟ ସମାନ ଭାବେ ଜରୁରୀ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।