ମୁମ୍ବାଇ: ଆଇଆଇଟି ବମ୍ବେ କ୍ୟାମ୍ପସରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟାକୁ ନେଇ ସୃଷ୍ଟି ବିବାଦ ଥମିବାର ନାଁ ନେଉନାହିଁ। ତିନି ଦିନ ଧରି ଛାତ୍ରଛାତ୍ରୀଙ୍କ ଲଗାତାର ବିକ୍ଷୋଭ ଓ ଦାବି ଆଗରେ ଶେଷରେ ମୁଣ୍ଡ ନୁଆଁଇଛି କଲେଜ୍ କର୍ତ୍ତୃପକ୍ଷ। ଆଇଆଇଟି ବମ୍ବେ ନିର୍ଦ୍ଦେଶକ ପ୍ରଫେସର ଶିରୀଷ କେଦାରେ ଆନ୍ଦୋଳନରତ ଛାତ୍ରଙ୍କ ସହ ଦୀର୍ଘ  ଆଲୋଚନା ପରେ ସେମାନଙ୍କର ୧୮ ଦାବିପତ୍ରରେ ସ୍ଵାକ୍ଷର କରିଛନ୍ତି। ଏହାସହ ଅଭିଯୁକ୍ତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

କ’ଣ ରହିଛି ଛାତ୍ରଙ୍କ ମୁଖ୍ୟ ଦାବି ?

ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ବୈଠକରେ ଛାତ୍ର ସଂଗଠନ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖାଯାଇଥିଲା। ସାହିଲଙ୍କ ସମ୍ପର୍କରେ ଲିଙ୍କଡଇନ୍ ପୋଷ୍ଟରେ ଦିଆଯାଇଥିବା ଅସ୍ପଷ୍ଟ ତଥ୍ୟ ପାଇଁ ସଂସ୍ଥାନ ସାର୍ବଜନୀନ କ୍ଷମା ମାଗିବ। ସାହିଲଙ୍କ ମୃତ୍ୟୁର ଏକ ନିରପେକ୍ଷ ତଦନ୍ତ କରାଯିବ। ସେପ୍ଟେମ୍ବର ୩୦ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଏବଂ ଅକ୍ଟୋବର ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିବାକୁ ଦାବି ହୋଇଛି।

Also Read: ଆଡଭାନୀଙ୍କ ଠାରୁ ଜୟଶଙ୍କର... ଦିଲ୍ଲୀ SIRରେ ନାହିଁ ଅନେକ ହେଭିୱେଟ୍ ଙ୍କ ନାମ

ପ୍ରଫେସରମାନଙ୍କ ପାଇଁ ନୂଆ ଆଚରଣ ବିଧି ଲାଗୁ କରିବା, କ୍ୟାମ୍ପସ ହସ୍ପିଟାଲରେ ୨୪ ଘଣ୍ଟିଆ ମାନସିକ ରୋଗ ବିଶେଷଜ୍ଞ ନିୟୋଜିତ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଛାତ୍ରମାନଙ୍କ ଭାଗିଦାରୀ ବୃଦ୍ଧି କରିବା। ଆସନ୍ତା ଏକ ମାସ ମଧ୍ୟରେ ଦାବିପୂରଣ ନହେଲେ ନିର୍ଦ୍ଦେଶକ, ଆସୋସିଏଟ୍ ଡିନ୍ ଏବଂ ଛାତ୍ର କଲ୍ୟାଣ ଡିନ୍ ଇସ୍ତଫା ଦେବାକୁ ଛାତ୍ରମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

ଘଟଣା ପଛର ଅସଲ କାରଣ

ଇନର୍ଜି ସାଇନ୍ସ ବିଭାଗର ଛାତ୍ର ସାହିଲ ୱାକୋଡେଙ୍କ ମୃତଦେହ ସେପ୍ଟେମ୍ବର ୧୮ ତାରିଖରେ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଥିଲା। ପରୀକ୍ଷା ସମୟରେ ମୋବାଇଲରୁ କପି କରୁଥିବା ବେଳେ ଧରାପଡ଼ିବାର କିଛି ସମୟ ପରେ ସାହିଲ ଏହି ଚରମ ନିଷ୍ପତ୍ତି ନେଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ସାହିଲଙ୍କ ବାପା ରବୀନ୍ଦ୍ର ୱାକୋଡେ ଏହାକୁ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାରେ ପରିଣତ କରିବାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଗତ ତିନି ମାସ ହେବ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା ସାହିଲଙ୍କୁ ଜାତିସୂଚକ ଗାଳିଗୁଲଜ କରିବା ସହ ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦେଉଥିବା ସେ ପୋଲିସ ଆଗରେ ବୟାନ ଦେଇଛନ୍ତି।

Also Read: ରୋଡ ଡିଭାଇଡରରେ ପିଟି ହୋଇ ଜଳିଗଲା Volvo କାର, ନ୍ୟୁରୋ ସର୍ଜନ ଜୀବନ୍ତ ଦଗ୍ଧ

ପ୍ରଫେସର ଗିରଫ ଆଶଙ୍କା

ପୱାଇ ପୋଲିସ ଏହି ମାମଲାରେ ଏଫଆଇଆର ରୁଜୁ କରିବା ପରେ ପ୍ରଫେସର ଡୁଲ୍ଲାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ଏସସି/ଏସଟି ଅତ୍ୟାଚାର ନିରୋଧୀ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି।