ହାଇଦ୍ରାବାଦ: ତେଲେଙ୍ଗାନା ସୂର୍ଯ୍ୟାପେଟ ଜିଲ୍ଲାରେ ଏକ ଦ୍ରୁତଗାମୀ ଭୋଲଭୋ କାର ରୋଡ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି। ଏହି କାରରେ ଯାତ୍ରା କରୁଥିବା ହାଇଦ୍ରାବାଦର ପ୍ରସିଦ୍ଧ ନ୍ୟୁରୋ ସର୍ଜନ କେ.ଜଗଦୀଶ ଜୀବନ୍ତ ଜଳିଯାଇଛନ୍ତି। ଏହି ଦୁର୍ଘଟଣା ରବିବାର ସକାଳ ପାଖାପାଖି ୭ଟା ୧୫ ମିନିଟ୍ ରେ ଖମ୍ମମ-ହାଇଦ୍ରାବାଦ ଜାତୀୟ ରାଜମାର୍ଗର ସୂର୍ଯ୍ୟପେଟ୍ ପିଲ୍ଲାମରୀ ନିକଟରେ ଘଟିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଡାକ୍ତରଙ୍କ ଦ୍ରୁତଗାମୀ ଭୋଲଭୋ କାର ଅଚାନକ ସନ୍ତୁଳନ ହରାଇ ରୋଡ ଡିଭାଇଡର ସହ ପିଟି ହୋଇ ନିଆଁ ଲାଗିଯାଇଥିଲା।

ଏହି ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ କାର ସହ ଜଳି ଯାଉଥିବା ଡାକ୍ତରଙ୍କୁ ଲୋକେ ଉଦ୍ଧାର କରି ପାରିନାହାନ୍ତି । ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣା ନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ତେବେ ଦମକଳ ଗାଡ଼ି ପହଞ୍ଚିବା ବେଳେକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। କାରରେ ବସିଥିବା ଡାକ୍ତର ଶ୍ୱାସରୁଦ୍ଧ ହୋଇ ଜୀବନ୍ତ ଜଳି ଯାଇଛନ୍ତି। କାର ରେଜିଷ୍ଟ୍ରେସନ ନମ୍ବର ଅନୁସାରେ ଏହା ଡା. କାସକୁର୍ତ୍ତି ଜଗଦୀଶଙ୍କ ଗାଡି ଓ କାରରେ ନିଜେ ଡାକ୍ତର ଯାତ୍ରା କରୁଥିଲେ ବୋଲି ଜଣାପଡିଛି।

ଡାକ୍ତର ଦ୍ରୁତବେଗରେ କାର ଚଳାଇଯାଇଥିବା ବେଳେ ତାଙ୍କ ଆଖି ପତା ହୁଏତ ଲାଗିଯାଇଥିବ ଓ ଗାଡ଼ି ରୋଡଡିଭାଇଡର ସହ ପଟି ହୋଇଥିବ ବୋଲି ପୋଲିସ ପ୍ରାଥମିକ ଅନୁମାନ କରୁଛି। ହେଲେ ଦୁର୍ଘଟଣାର ଅସଲ କାରଣ ଜଣାପଡି ନାହିଁ। ତେବେ ପୋଲିସ ସବୁ ଦିଗରୁ ମାମଲାର ଯାଞ୍ଚ କରୁଛି। ଫରେନସିକ୍ ଟିମ୍ ପହଞ୍ଚି ଜଳିଯାଇଥିବା ଅବଶେଷକୁ ଜବତ କରି ପରବର୍ତ୍ତି ଯାଞ୍ଚ ଆରମ୍ଭ କରିଛି।