ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜାରି ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)ରେ ‘ବିସଙ୍ଗତି’ କାରଣରୁ ନୋଟିସ ପ୍ରାପ୍ତ କରିଥିବା ଭିଭିଆଇପିଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ତାଙ୍କ ପରିବାର, ବିଜେପି ବିଧାୟକ କୈଳାଶ ଗହଲୋତ, କେନ୍ଦ୍ରମନ୍ତ୍ରୀ ଏସ.ଜୟଶଙ୍କର, ତାଙ୍କ ପତ୍ନୀ କ୍ୟୋକୋ ଏସ୍.ଜୟଶଙ୍କର ଆଦିଙ୍କ ନାମ ରହିଛି। ଏପରିକି ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଓ ତାଙ୍କ ପରିବାର, ପୂର୍ବତନ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ତାଙ୍କ ପତ୍ନୀ ଏବଂ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ଦେଶାୟୀ ଓ ତାଙ୍କ ପରିବାରକୁ ମଧ୍ୟ ନୋଟିସ୍ ଜାରି ହୋଇଛି।

ନିର୍ବାଚନ ଆୟୋଗ ପିଛିଲା ସଂସୋଧନ କାଳରେ ପ୍ରସ୍ତୁତ ହୋଇଥିବା ଭୋଟର ଲିଷ୍ଟରେ ଥିବା ବିବରଣୀ ସହ ଏବେକା ବିବରଣୀ ଯୋଡିବାକୁ ଅସମର୍ଥ ହୋଇଛନ୍ତି। ଏହି ନୋଟିସ୍ କୁ ନେଇ ଉପୁଜିଥିବା ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସ୍ପଷ୍ଟ କରିଛନ୍ତି ଯେ ନୋଟିସ୍ ଜାରିର ଅର୍ଥ ନୁହେଁ ପ୍ରାପ୍ତକର୍ତ୍ତାଙ୍କ ନାମ ଭୋଟରଲିଷ୍ଟରୁ ହଟାଇ ଦିଆଯିବ। ସିଇଓ କହିଛନ୍ତି ଯେ ଉପରୋକ୍ତ ଶ୍ରେଣୀର ଭୋଟରଙ୍କୁ ଇସିଆଇଏନଇଟିରେ ସେମାନଙ୍କ ଡାଟା ସଠିକ କରିବା ପାଇଁ ସିଷ୍ଟମ ଦ୍ୱାରା ଜାରି ନୋଟିସ୍ ପଠାଯାଉଛି। ତେବେ ଶୁଣାଣିର ଅବସର ନ ଦେଇ ଉଚ୍ଚିତ, ତର୍କ ସଙ୍ଗତ ଓ ଆବେଦନଯୋଗ୍ୟ ଆଦେଶ ନ ଦେଇ ଭୋଟର ଲିଷ୍ଟରୁ କାହାର ନାମ କଟାଯିବନି।

ଲାଲକୃଷ୍ଣ ଆଡଭାନୀ, ତାଙ୍କ ଝିଅ ପ୍ରତିଭା ଆଡଭାନୀ ଓ ବୋହୂ ଗୀତିକାଙ୍କୁ ‘ନୋ ମ୍ୟାପିଙ୍ଗ’ ପାଇଁ ନୋଟିସ୍ ଜାରି କରାଯାଇଛି। କାରଣ ଗତ ସଂଶୋଧନଠାରୁ ସେମାନଙ୍କ ନାମ ଭୋଟର ଲିଷ୍ଟରେ ଯୋଡାଯାଇ ପାରିନଥିଲା। ଆମ ଆଦମୀ ପାର୍ଟି (ଆପ) ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ବିଧାୟକ ଗହଲୋତଙ୍କୁ ମଧ୍ୟ ‘ନୋ ମ୍ୟାପିଙ୍ଗ’ କାରଣରୁ ନୋଟିସ୍ ଜାରି ହୋଇଛି। ଏଥିରେ କେବଳ ସେ ଏକା ନୁହନ୍ତି ତାଙ୍କ ପତ୍ନୀ ମୌସୁମୀ ମିଶ୍ର ଗହଲୋତ, ଝିଅ ଜାହ୍ନବୀ ଗହଲୋତଙ୍କୁ ମଧ୍ୟ ନୋଟିସ୍ ଦିଆଯାଇଛି।

ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳିର ଭୋଟର ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ତାଙ୍କ ପରିବାରକୁ ମଧ୍ୟ ନୋଟିସ୍ ଜାରି ହୋଇଛି। ତେବେ ସେମାନଙ୍କୁ କାହିଁକି ନୋଟିସ୍ ଜାରି ହୋଇଛି ସେ ନେଇ କୌଣସି କାରଣ ଦର୍ଶାଯାଇ ନାହିଁ। ତେବେ ସିସୋଦିଆଙ୍କ ପତ୍ନୀ ସୀମା ଓ ପୁଅଙ୍କ ନାମ ଭୋଟର ଲିଷ୍ଟରେ ରହିଛି। ସୀମାଙ୍କ ନାମରେ ବିସଙ୍ଗତି କାରଣରୁ ପୁଅଙ୍କ ମାତା-ପିତା ଭାବେ ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଜନୈକ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଯେଉଁ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ନୋଟିସ୍ ମିଳିଛି ସେମାନଙ୍କୁ ସୁବିଧା ପ୍ରଦାନ କରାଯିବ ଓ ସେମାନଙ୍କ କାଗଜପତ୍ର ଏକତ୍ର କରାଯିବ।

ସେହିପରି ନୋ ମ୍ୟାପିଙ୍ଗ କାରଣରୁ ଯେଉଁମାନଙ୍କୁ ନୋଟିସ୍ ଜାରି ହୋଇଛି ସେମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ, କପିଲ ଶିବ୍ବଲ, ସୁବ୍ରମଣ୍ୟମ ସ୍ୱାମୀ, ବିଜେପି ସାଂସଦ ବାଂସୁରୀ ସ୍ୱରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଓ ତାଙ୍କ ପରିବାରକୁ ନୋଟିସ୍ ଜାରି ହୋଇଛି। ତେବେ ଦିଲ୍ଲୀ ଏସଆଇଆରରେ କେବଳ ଏତିକି ଲୋକ ନୁହନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହିତ ୩୧ ଲକ୍ଷରୁ ଅଧିକ ଭୋଟରଙ୍କୁ ନୋ ମ୍ୟାପିଙ୍ଗ ଯୋଗୁ ନୋଟିସ୍ ଜାରି ହୋଇଛି।

ମତଦାନ ଅଧିକାରୀଙ୍କ ଦ୍ୱାରା ଚିହ୍ନିତ ଭୋଟରଙ୍କ ମଧ୍ୟରୁ ୧,୩୭୯,୭୮୫ ଭୋଟର ‘ନୋ ମ୍ୟାପିଙ୍ଗ’ ଶ୍ରେଣୀରେ ଥିଲେ ଓ ୧,୯୩୩, ୧୩୪ଙ୍କୁ ତାର୍କିକ ବିସଙ୍ଗତୀ ଲାଗି ଚିହ୍ନଟ କରାଯାଇଥିଲା। ଏହି ଉଭୟଶ୍ରେଣୀରେ ୩,୩୧୨,୨୧୯ ଭୋଟର ଅଛନ୍ତି।