ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟର ରାଙ୍କିଙ୍ଗରେ ପୁଣିଥରେ ବିଶ୍ୱର ନମ୍ବର-୧ ବ୍ୟାଟରର ସ୍ଥାନ ହାସଲ କରିଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ଡେରିଲ୍ ମିଚେଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ମିଚେଲ ଚଳିତ ବର୍ଷ ଜାନୁଆରୀରୁ ନମ୍ବର-୧ ସ୍ଥାନରେ ରହିଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜ୍-ନ୍ୟୁଜିଲ୍ୟାଣ୍ଡ ଶୃଙ୍ଖଳାରେ ନଖେଳିବାର ଫାଇଦା ଗିଲଙ୍କୁ ମିଳିଛି ।

ଅନ୍ୟପଟେ, ମାତ୍ର ୧୫ ବର୍ଷର ବୈଭବ ସୂର୍ଯ୍ୟବଂଶୀ ଟି-୨୦ ଅନ୍ତର୍ଜାତୀୟ ରାଙ୍କିଂରେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛନ୍ତି । ଜିମ୍ବାୱେ ଗସ୍ତରେ ତିନୋଟି ମ୍ୟାଚ୍‌ରେ ୧୫୧ ରନ୍ ଏବଂ ଦୁଇଟି ଅର୍ଦ୍ଧଶତକ ବଳରେ ସେ ୨୩୦ ସ୍ଥାନ ଡେଇଁ ୪୮ତମ ସ୍ଥାନ ହାସଲ କରିଛନ୍ତି ।

ଇଶାନ କିଷାନ ଟି-୨୦ର ନମ୍ବର-୧ ବ୍ୟାଟର

ଟି-୨୦ ବ୍ୟାଟରଙ୍କ ରାଙ୍କିଂରେ ଭାରତର ଇଶାନ କିଷାନ ୯୧୦ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ କାଏମ ଅଛନ୍ତି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ ପରେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଂ ୯୧୬ ରେ ପହଞ୍ଚିଥିଲା । ଯାହା ଟି-୨୦ ଇତିହାସର ତୃତୀୟ ସର୍ବୋଚ୍ଚ ବ୍ୟାଟିଂ ରେଟିଂ ପଏଣ୍ଟ । ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ସାହିବଜାଦା ଫରହାନ ୮୪୮ ଅଛନ୍ତି । ସେହିପରି ତିଲକ ବର୍ମା ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ଏବଂ ଟି-୨୦ ଅଧିନାୟକ ଶ୍ରେୟସ ଆୟର ସାତଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ବ୍ୟାଟରଙ୍କ ଶୀର୍ଷ-୧୦ ମଧ୍ୟରେ ଭାରତର ତିନିଜଣ ଖେଳାଳି ରହିଛନ୍ତି । ଇଶାନଙ୍କ ବ୍ୟତୀତ ଅଭିଷେକ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି, ତାଙ୍କୁ ଗୋଟିଏ ସ୍ଥାନର କ୍ଷତି ସହିବାକୁ ପଡ଼ିଛି । ସେହିପରି ତିଲକ ଷଷ୍ଠ ସ୍ଥାନରେ ଅଛନ୍ତି ।