ହାଇଦ୍ରାବାଦ : ପ୍ରେମରେ ସବୁ କିଛି ସମ୍ଭବ... ଏଠି ବି ଘଟିଛି ସେମିତି କିଛି। ପ୍ରେମିକକୁ ଟିକେ ଖୁସି କରିବାକୁ ପ୍ରେମିକାର କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ।  ହାଇଦ୍ରାବାଦର ପଶ୍ ର ଜୁବଲି ହିଲ୍ସ ଅଞ୍ଚଳରୁ ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଜନ୍ମଦିନରେ ଦାମୀ ଉପହାର ଦେବା ପାଇଁ ଚୋରି କରିବାକୁ ବି ପଛାଇ ନାହାନ୍ତି । ଟଙ୍କା ଅଭାବରୁ ସେ ଏକ ଘଣ୍ଟା ଦୋକାନରୁ ଦୁଇଟି ଦାମୀ ଘଣ୍ଟା ଚୋରି କରିଥିଲେ, କିନ୍ତୁ ସିସିଟିଭି ଫୁଟେଜ୍ ତାଙ୍କ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି। ଶୋ’ରୁମ୍ ମାଲିକଙ୍କ ଅଭିଯୋଗ ଆଧାରରେ, ପୋଲିସ ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

ପୋଲିସର କହିବା  ଅନୁଯାୟୀ, ଯୁବତୀ ଖମ୍ମମ ଅଞ୍ଚଳର ବାସୀନ୍ଦା। ସେ ତାଙ୍କ ପ୍ରେମିକଙ୍କ ସହିତ ଏକ କାରରେ ଜୁବଲି ହିଲ୍ସରେ ପହଞ୍ଚିଥିଲେ। ଯାହା ଜଣା ପଡ଼ିଛି, ସେମାନେ ପୂର୍ବରୁ ଏକ ମହଙ୍ଗା ଉପହାର କିଣିବାକୁ ଯୋଜନା କରୁଥିଲେ । କିନ୍ତୁ ଯୁବତୀଙ୍କ ପାଖରେ ଦାମୀ ଉପହାର କିଣିବାକୁ ଟଙ୍କା ନଥିଲା। ତେଣୁ, ସେ ତାଙ୍କ ପ୍ରେମିକଙ୍କୁ କାରରେ ନେଇ ଏକ ପ୍ରତିଷ୍ଠିତ ଘଣ୍ଟା ଦୋକାନକୁ ଯାଇଥିଲେ। ପ୍ରେମିକଙ୍କୁ ବାହାରେ ଛାଡ଼ି ଯୁବତୀ ଘଣ୍ଟା ଦୋକାନ ଭିତରକୁ ଯାଇଥିଲେ। ଆଉ ସେଠାରେ  ଚତୁରତାର ସହିତ ଦୁଇଟି ଦାମୀ ଟିସୋଟ୍ ଘଣ୍ଟା ଚୋରି କରି ନେଇଥିଲେ। ଚୋରି ପରେ, କାହାକୁ ଯେମିତି ସନ୍ଦେହ ନ ହେବ, ସେମିତି ଦୋକାନରୁ ବାହାରି ଆସିଥିଲେ। ପରେ ସେହି ଘଣ୍ଟାଗୁଡ଼ିକୁ ତାଙ୍କ ପ୍ରେମିକଙ୍କୁ ଜନ୍ମଦିନରେ ଉପହାର ଭାବରେ ଦେଇଥିଲେ। ପ୍ରେମିକଙ୍କୁ ଆରମ୍ଭରେ ଏମିତି ଲାଗିଥିଲେ ଯୁବତୀ ସେହି ଘଣ୍ଟା ଦୁଇଟି କିଣିଛନ୍ତି। କିନ୍ତୁ ପରେ ସବୁ ସତ ଧରା ପଡ଼ିଗଲା। 

ସିସିଟିଭି ଖୋଲିଲା ରାଜ୍

ଦୋକାନୀ କର୍ମଚାରୀ ଷ୍ଟକ୍ ମ୍ୟାଚ୍ କରିବା ସମୟରେ ଘଣ୍ଟା ହଜି ଯାଇଥିବା କଥା ଜାଣିବାକୁ ପାଇଥିଲେ। ଏହା ପରେ ଷ୍ଟୋର ମ୍ୟାନେଜର ଷ୍ଟୋରର ସିସିଟିଭି ଫୁଟେଜ୍ ଯାଞ୍ଚ କଲେ, ଯେଉଁଥିରେ ଯୁବତୀ ଚୋରି କରୁଥିବାର ଧରା ପଡ଼ିଲେ। ଫୁଟେଜ୍ ଆଧାରରେ, ଷ୍ଟୋର ପରିଚାଳକ ଜୁବିଲି ହିଲ୍ସ ପୋଲିସ ଷ୍ଟେସନରେ ଅଭିଯୋଗ  କଲେ। ଅଭିଯୋଗ ପରେ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ଝିଅଟିକୁ ଚିହ୍ନଟ କରି ତାଙ୍କୁ ଗିରଫ କଲା। ତଦନ୍ତ ସମୟରେ, ଏହା ମଧ୍ୟ ଜଣାପଡିଲା ଯେ ଘଟଣା ସମୟରେ ତାଙ୍କ ପ୍ରେମିକ ତାଙ୍କ ସହିତ ଉପସ୍ଥିତ ଥିଲେ। ତାଙ୍କୁ ପଚରାଉଚରା ପାଇଁ ମଧ୍ୟ ଅଟକ ରଖାଯାଇଛି।

ପୋଲିସ ଅଧିକାରୀମାନଙ୍କ କହିବା ଅନୁଯାୟୀ, ସେମାନେ ଉଭୟଙ୍କୁ ପଚରାଉଚୁରା ଜାରି ରଖିଛନ୍ତି। ଚୋରି ପୂର୍ବ ଯୋଜନାବଦ୍ଧ କି ସ୍ୱତଃସ୍ଫୂର୍ତ୍ତ ନିଷ୍ପତ୍ତି ଥିଲା ତାହା ନିର୍ଣ୍ଣୟ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ଘଟଣା ଏବେ ପୂରା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Also Read- ୩୦ ଦିନର ଡେଡଲାଇନ୍ ଶେଷ ! ଇରାନ ଏବଂ ରୁଷରୁ ତେଲ କିଣି ପାରିବନି ଭାରତ; ଏବେ ମହଙ୍ଗା ହେବ କି ତେଲ ?