ନୂଆଦିଲ୍ଲୀ: ଇସ୍ଲାମ ଧର୍ମ ଓ ପୈଗମ୍ବର ମହମ୍ମଦଙ୍କ ପ୍ରତି ଅପମାନଜନକ ଫେସ୍ବୁକ ପୋଷ୍ଟ ମାମଲାରେ ସାଉଦି ଆରବ ସୁପ୍ରିମ କୋର୍ଟ ଜଣେ ହିନ୍ଦୁ ପ୍ରବାସୀଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଦେଇଛନ୍ତି। ଏହି ହିନ୍ଦୁ ବ୍ୟକ୍ତି ହେଲେ ଶ୍ରୀଲଙ୍କାର ନାଗରିକ ଅନୋଜନ ଶିବରାସା। କଲୋମ୍ବୋର କୂଟନୈତିକ ପ୍ରାୟାସ ଯୋଗୁ ଏହି ସଫଳତା ମିଳିଥିବା ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସୂଚନା ଦେଇଛି।

ତେବେ ମୁସ୍ଲିମ ରାଷ୍ଟ୍ର ସାଉଦି ଆରବରେ ପ୍ରଫେଟ ମହମ୍ମଦଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ମୃତ୍ୟୁ ଦଣ୍ଡରୁ ମୁକ୍ତି ପାଇବା ନିଶ୍ଚିତ ପକ୍ଷେ ଏକ ବଡ଼ ଖବର ହୋଇପାରେ। ଯାହା ଶ୍ରୀଲଙ୍କାର ସଫଳ କୂଟନୀତିକୁ ଦର୍ଶାଉଛି। ସାଉଦି କୋର୍ଟ ଅକ୍ଟୋବର ୧୩ ତାରିଖରେ ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଥିବା ଶ୍ରୀଲଙ୍କା ମିଡିଆରେ ଖବର ପ୍ରକାଶ ପାଇଛି।

ଘଟଣା ଜୁନ ମାସର। ଶ୍ରୀଲଙ୍କାରେ ଏକ ହିନ୍ଦୁ ତୀର୍ତ ଯାତ୍ରା ସମୟରେ ଜଣେ ମୁସ୍ଲିମ ଯୁବକ ହିନ୍ଦୁ ଯାତ୍ରୀଙ୍କ ପଛେ ପଛେ ଏକ କୁକୁରକୁ ଲାତ ମାରି ନେଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହାପରେ ଅନ୍ଲାଇନ୍ରେ ଏହାକୁ ନେଇ ନାନା ତର୍କବିତର୍କ ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ୟୁଜର ହିନ୍ଦୁ ଦେବାଦେବୀଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

ଏହା ଜବାବରେ ଶିବରାସା ତାମିଲ ଭାଷାରେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏହାପରେ ସେ ତୁରନ୍ତ ଏହାକୁ ଡିଲିଟ୍ ମଧ୍ୟ କରିଦେଇଥିଲେ। ମାମାଲା ଆଗକୁ ବଢ଼ିବାର ସେ ଭିଡିଓ ପୋଷ୍ଟ କରି କ୍ଷମାପ୍ରାର୍ଥନା କରିଥିଲେ। ହେଲେ ତା ପୂର୍ବରୁ ତାଙ୍କର କମେଣ୍ଟ ଦିଆଯାଇଥିବା ପୋଷ୍ଟର ସ୍କ୍ରିନଶଟ୍ ଭାଇରାଲ ହୋଇସାରିଥିଲା।

Also Read- ୧୧ ମହଲା ଉପରୁ ଡେଇଁ କରୁଥିଲେ ଆତ୍ମହତ୍ୟା, କିନ୍ତୁ ମରିଗଲେ ଅନ୍ୟ ଜଣେ ମହିଳା..ଚାଲିଛି ହତ୍ୟା ମାମଲା

ଶିବରାସାଙ୍କ ଭାଇ ହମସିଦାନ ବିବିସିକୁ କହିଛନ୍ତି ଯେ ଏହି ଘଟଣା ପରେ କିଛି ଲୋକ ଶିବରାସା କାମ କରୁଥିବା କମ୍ପାନୀକୁ ଫୋନ୍ କରି ଏ ବିଷୟରେ ସୂଚନା ଦେଇଥିଲେ। ଏହାପରେ ତାଙ୍କର ଫୋନ ସିଜ୍ କରାଯାଇଥିଲା। ଘଟଣାରେ ଜୁଲାଇ ୧୫ ତାରିଖରେ ସାଉଦି କ୍ରିମିନାଲ କୋର୍ଟ ଅଲ ଅହଶା ଶିବରାସାଙ୍କୁ ୫ ବର୍ଷ ଜେଲ୍ ସହ ୩ ମିଲିଅନ ସାଉଦି ରିଆଲ୍ସ (୮୦୦,୦୦୦ ୟୁଏସ୍ ଡଲାର) ଫାଇନ କରାଯାଇଥିଲା। ପରେ ଏହି ଦଣ୍ଡାଦେଶ ପାସୀରେ ପରିଣତ ହୋଇଥିଲା।

ଯାହାକୁ ନେଇ ଶ୍ରୀଲଙ୍କାରେ ବଡ଼ ବିରୋଧ ତେଜିଥିଲା। ସବୁ ଧର୍ମ ଯାଜକ ଶିବରାସାଙ୍କୁ ବଞ୍ଚାଇବା ପାଇଁ ଶ୍ରୀଲଙ୍କା ସରକାରଙ୍କ ଉପରେ ଚାପ ପକାଇଥିଲେ। ଏହାପରେ ଶ୍ରୀଲଙ୍କା ସରକାର ମାମଲାରେ ହସ୍ତକ୍ଷେପ କରିବାରୁ ଶିବରାସାଙ୍କ ଫାସୀଦଣ୍ଡାଦେଶ ଟଳିଯାଇଛି। ତେବେ ଶିବରାସାଙ୍କୁ ପୂର୍ବରୁ ଦିଆଯାଇଥିବା ୫ ବର୍ଷ ଜେଲ ଦଣ୍ଡ ସେ ଭୋଗିବେ ନା ସମ୍ପୂର୍ଣ୍ଣ ଦୋଷ କ୍ଷମା ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।