ନୂଆଦିଲ୍ଲୀ, ୧୪/୧୦ : ଆତ୍ମହତ୍ୟା ପାଇଁ ୧୧ ମହଲା ଉପରୁ ଡେଇଁଲେ । କିନ୍ତୁ ବଞ୍ଚିଗଲା ଜୀବନ । ଓଲଟା ସେ ଅନ୍ୟ ଜଣେ ମହିଳାଙ୍କ ଉପରେ ପଡିଲେ । ଯିଏ କି ବ୍ରେନ୍ ଷ୍ଟ୍ରୋକରେ ପ୍ରାଣ ହରାଇଲେ । ତେବେ ଏହି ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।

ରିପୋର୍ଟ ଅନୁସାରେ, ଜାପାନ ନାଗୋୟା ପ୍ରାନ୍ତର ସାକାଏ ଜିଲ୍ଲାରେ ରୁହନ୍ତି ସିନସେଇ ତାଗୁଚି । ସେ କୌଣସି କାରଣରୁ ଆତ୍ମହତ୍ୟା କରିବାକୁ ଚାହିଁଥିଲେ । ଏଥିପାଇଁ ଏକ ୧୧ ମହଲା ବିଲ୍ଡିଂ ଉପରକୁ ଚଢି ତଳକୁ ଡେଇଁଥିଲେ । ହେଲେ ତଳେ ସେ ତୋମୋକି ଇନାବା ନାମକ ଜଣେ ମହିଳାଙ୍କ ଉପରେ ପଡି ଯାଇଥିଲେ । ତାଗୁଚି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ମଧ୍ୟ ଇନାବାଙ୍କ ମସ୍ତିସ୍କରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜୁଲାଇ ୧୯ ତାରିଖରେ ସେ ପ୍ରାଣ ହରାଇଥିଲେ ।

Also Read :- ଗିରଫ ହେଲେ CJP ନେତା ସୌରଭ ଏବଂ ଆଶୁତୋଷ : ନିୟମ ଭାଙ୍ଗି ଜନ୍ତରମନ୍ତରରେ କରୁଥିଲେ ପ୍ରବେଶ

ତେବେ ଘଟଣାକୁ ନେଇ ଇନାବାଙ୍କ ପିତା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ସେ ତାଙ୍କ ଝିଅର ହତ୍ୟା ପାଇଁ ତାଗୁଚିଙ୍କୁ ଦାୟୀ କରିଥିଲେ । ଫଳରେ ଗତ ଅଗଷ୍ଟରେ ତାଗୁଚି ସୁସ୍ଥ ହେଲା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

ଟିବିଏସ ନ୍ୟୁଜ୍ ଅନୁସାରେ, ତାଗୁଚିଙ୍କ ମାନସିକ ସ୍ୱାସ୍ଥ୍ୟର ପରୀକ୍ଷା ହେଉଛି । ଘଟଣାକୁ ନେଇ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କେତେ ଦୂର ଠିକ୍ ସେନେଇ ବିଚାରବିମର୍ଷ ଚାଲିଛି । ପ୍ରାଣ ହରାଇଥିବା ଯୁବତୀଙ୍କ ପିତା କିନ୍ତୁ ହତ୍ୟା ମାମଲା ଚାଲିବା ଦରକାର ବୋଲି କହୁଛନ୍ତି ।

ଯୁବତୀଙ୍କ ପିତାଙ୍କ କହିବାନୁସାରେ, ସେ ଅଭିଯୁକ୍ତ ତାଗୁଚିଙ୍କୁ ତିନି ଥର ଭେଟିଛନ୍ତି । ତାଗୁଚି ମଧ୍ୟ ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି । ଝିଅର ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ । ତାଗୁଚିଙ୍କୁ ହତ୍ୟା ମାମଲାରେ କଠୋର ଦଣ୍ଡ ମିଳିବା ଦରକାର । ଆତ୍ମହତ୍ୟା କରିବା ପୂର୍ବରୁ ସେ ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁଥିବା ଜାଣିଥିଲେ । ତଥାପି ଏପରି ପଦକ୍ଷେପ ନେଇଥିଲେ । ଯାହା ଭୁଲ । ହେଲେ ଆଉ ଏକ ରିପୋର୍ଟରେ ଘଟଣାକୁ ନେଇ କିଛି ମନେ ନଥିବା ତାଗୁଚି କହୁଛନ୍ତି ।