ଭୁବନେଶ୍ୱର: କୋଭିଡ ମହାମାରୀ ପରେ ରୁଷ ୟୁକ୍ରେନ ଯୁଦ୍ଧ । ସେତିକି ନଥିଲା ପଡିଲା ଟ୍ରମ୍ପଙ୍କ ଟାରିଫ ପ୍ରହାର । ପ୍ରଭାବିତ ହୋଇଥିଲା ବିଶ୍ୱ ଅର୍ଥନୀତି । ଟାରିଫ୍ ମାଡ଼ ଶେଷ ହୋଇ ନ ଥିବା ବେଳେ ବଡ଼ ସଂକଟ ଭାବେ ଉଭା ହୋଇଛି ଆମେରିକା-ଇରାନ ଯୁଦ୍ଧ । ସ୍ଥିତି ଏମିତି ଯେ ଲୋକେ ଅଣ୍ଟା ସଳଖି ଛିଡା ହେବା ହୋଇଗଲାଣି ମୁସ୍କିଲ । ଖାସ୍ କରି ସାଧାରଣ ଖାଉଟିଙ୍କ ବଜେଟରେ ବଡ଼ ମାତ୍ରାରେ ପ୍ରଭାବିତ କରିଛି ଯୁଦ୍ଧ ।

ଯୁଦ୍ଧର ପ୍ରଥମ ସପ୍ତାହରେ କେବଳ ଆମେରିକା ଖର୍ଚ୍ଚ କରିଛି ୧୧.୩ ବିଲିୟନ ଡଲାର । ଯୁଦ୍ଧ ପ୍ରଭାବ ମାସିକ ସଉଦା କିଣା, ପିଲାଙ୍କ ପଢ଼ା ଖର୍ଚ୍ଚ ଏବଂ ସଞ୍ଚୟ ଭଳି ଦିଗକୁ କ୍ଷତି ପହଞ୍ଚାଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶର ପେଟ୍ରୋଲ ଡିଜେଲ, ଏଲ୍ପିଜି, ସାର, ପେଟ୍ରୋକେମିକାଲ୍ସ, ବିମାନ ସେବା, ପେଣ୍ଟସ, କୀଟନାଶକ, ସେରାମିକ, ଗ୍ଲାସ, ପରିବହନ, ଲଜିଷ୍ଟିକ୍ସ, ଟାୟାର, ଅଟୋମୋବାଇଲସ, ଧାତକ, କୃଷି ଯନ୍ତ୍ରାଂଶ ସମେତ ବିଭିନ୍ନ କ୍ଷେତ୍ରରେ ପଡିଛି । ଏବେ ଯୁଦ୍ଧ ଯୋଗୁ ଘନେଇଛି ଏଲ୍ପିଜି ସଙ୍କଟ । ଯାହାର ସିଧାସଳଖ ହାଣ୍ଡିଶାଳକୁ ମାଡ଼ କରିଛି ।

  • ଏଲପିଜି, ପ୍ରିମିୟମ ପେଟ୍ରୋଲ ଦର ବଢ଼ିଲ
  • ଖାଇବା ତେଲ ୨୦ଟଙ୍କା ଯାଏ ମହଙ୍ଗା
  • ୨୦% ଯାଏ ବଢ଼ିବ ରନ୍ଧନ-ଇନ୍ଧନ ବିଲ୍
  • ଇରାନ ଫଳ,ଡ୍ରାଏଫ୍ରୁଟସ ଉପର ମୁହାଁ
  • ଏଫ୍ଏମ୍ସିଜି ସାମଗ୍ରୀଦର ୧୨% ବଢ଼ିପାରେ
  • ମହଙ୍ଗା ହେବଇଲେକଟ୍ରୋନିକ୍ସ ସାମଗ୍ରୀ
  • ବିମାନ ଯାତ୍ରା, ପେଣ୍ଟସ,ଅଟୋ ଶିଳ୍ପ ପ୍ରଭାବିତ

ଦେଶ ଆମଦାନି କରୁଥିବା ୯୦ ଭାଗ ଏଲ୍ପିଜି ଷ୍ଟ୍ରେଟ ଅଫ୍ ହୋର୍ମୁଜ ଦେଇ ଆସୁଥିବାରୁ ଏହି ରୁଟ୍ ଉପରେ କଟକଣା ଦେଶର ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିଛି । ଫଳରେ ଦେଶ ମଧ୍ୟରେ ଲୋକେ ଭୟଭୀତ ହୋଇ ଏଲ୍ପିଜି କିଣିବା ବଢ଼ିଛି । ଏହା ସହ କଳାବଜାରି ମଧ୍ୟ ବଢ଼ିଛି । ଡୋମେଷ୍ଟିକ ଏଲ୍ପିଜି ଦର ୬୦ ଟଙ୍କା ଏବଂ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା ଦର ୧୧୫ ଟଙ୍କା ବୃଦ୍ଧି ହୋଇଛି । ଗ୍ରାଣ୍ଟ ଥର୍ଣ୍ଣଟର୍ଣ୍ଣ ଭାରତର ପାର୍ଟନର ତଥା ଇକୋନୋମିକ ଆଡଭାଇଜରୀ ସର୍ଭିସ ଲିଡର ରିଷି ଶାହା କହିଛନ୍ତି ।

କଣ କଣ ବଢିଛି, କେତେ ପଡିଚି ପ୍ରଭାବ?

ଆସନ୍ତା ତ୍ରୈମାସରେ ଇନ୍ଧନ ଏବଂ ରନ୍ଧନ ଖର୍ଚ୍ଚ ବାବଦକୁ ପରିବାର ଗୁଡ଼ିକ ପ୍ରାୟ ୧୫ ପ୍ରତିଶତରୁ ୨୦ ପ୍ରତିଶତ ବୃଦ୍ଧି ଝଟକା ଲାଗିପାରେ । ଏ ନେଇ ପରିବାର ଗୁଡ଼ିକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ । ବିଶ୍ୱ ଯୋଗାଣ ଶୃଙ୍ଖଳ ଯୋଗୁ ଏହି ସମସ୍ୟା ହୋଇଛି । ଯାହା ସରକାରଙ୍କ ନିୟନ୍ତ୍ରଣ ବାହାରେ । ଜାତୀୟ ଗଣମାଧ୍ୟମ ଏକ ରିପୋର୍ଟ ମୁତାବକ, ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୫ ଟଙ୍କା ଏବଂ ଶୋରିଷ ତେଲ ଦର ୧୦ ଟଙ୍କାରୁ ଅଧିକ ବଢ଼ିଛି । ଯୁଦ୍ଧ ଯୋଗୁ ଖାଇବା ତେଲ ଉପର ମୁହାଁ ।

ଦେଶ ପ୍ରତିବର୍ଷ ୫ରୁ ୬ ନିୟୁତ ମେଟ୍ରିକ ଟନ୍ ଡାଲି ଆମଦାନି କରିଥାଏ । ଯୁଦ୍ଧ ସ୍ଥିତିରେ ଆମଦାନି ପ୍ରଭାବିତ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ସେହିଭଳି ଇରାନରୁ ଆସୁଥିବା ଫଳ ଡ୍ରାଏଫ୍ରୁଟସ ଦର ବଢ଼ିଗଲାଣି । ୨୦୨୪ରେ ଭାରତର ମୋଟ ସେଓ ଆମଦାନିରେ ଇରାନର ଅଂଶ ୨୩% ଥିଲା । ସେହିଭଳି ଆଲମଣ୍ଡ ଏବଂ ପିସ୍ତାର ଅଂଶ ଯଥାକ୍ରମେ ୬୦% ଏବଂ ୩୯% । ଡ୍ରାଏଫ୍ରୁଟ ଦର ବଢ଼ିବା ଯୋଗୁ ମିଠା ମଧ୍ୟ ମହଙ୍ଗା ହେବାକୁ ଲାଗିଛି । ଉଲାସନଗରର ଜଣେ ମିଠା ଦୋକାନି କହିଛନ୍ତି, ପିଶୋରି ପିସ୍ତା ଦର ୨୬ଶହରୁ ୩୪୦୦ ଟଙ୍କା ଯାଏ ବଢ଼ି ଗଲାଣି ।

also read...ଯୁଦ୍ଧରେ ଲାଗିବ କି ବ୍ରେକ୍ ? ସାମରିକ ଅଭିଯାନ ବନ୍ଦ କରିବାକୁ ସଂକେତ ଦେଲେ ଟ୍ରମ୍ପ

ସେହିଭଳି ଇରାନ ପିସ୍ତା ଦର ୧୬୫୦ ଟଙ୍କାରୁ ୨୪ ଶହ ଟଙ୍କାକୁ ବଢ଼ିଛି । ଦୈନଦିନ ବ୍ୟବହାରରେ ଆସୁଥିବା ସାବୁନ, ସାମ୍ପୁ, କ୍ରିମ, ହେୟାରଅଏଲ, ପ୍ୟାକେଜିଂ, ବୋତଲ ଏବଂ ଟ୍ୟୁବସରେ ବ୍ୟବହୃତ ପେଟ୍ରୋକେମିକାଲ ଦର ଉପର ମୁହାଁ ହେବା ଯୋଗୁ କମ୍ପାନିଙ୍କ ଲାଗି ଏହା ଚିନ୍ତାର କାରଣ ପାଲଟିଛି । ଗତ ମାସରେ ଏ କ୍ଷେତ୍ରରେ କଞ୍ଚାମାଲ ଦର ୨୫% ବଢ଼ିଛି । ଏପ୍ରିଲରୁ ଏଫ୍ଏମ୍ସିଜି ଉତ୍ପାଦ ୮ରୁ ୧୨% ବୃଦ୍ଧି ହୋଇପାରେ ଆକଳନ କରିଛନ୍ତି ବିଶେଷଜ୍ଞ ।

ସେହିଭଳି ଡେକୋରେଟିଭ୍ ପେଣ୍ଟସ ଦର ୯ରୁ ୧୦% ମହଙ୍ଗା ହୋଇପାରେ । ବର୍ଜର ପେଣ୍ଟସ ଏହାର ଦର ୫% ବୃଦ୍ଧି ନେଇ ଯୋଜନା ରଖିଛି । ସେହିଭଳି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ଏବଂ ଆପ୍ଲାଏନ୍ସ ଦର ୫ରୁ ୬% ବଢ଼ିପାରେ । ଏପ୍ରିଲରୁ ୫ରୁ ୬% ଦର ବୃଦ୍ଧି ହେବ ବୋଲି ଗୋଦରେଜ ଏଣ୍ଟରପ୍ରାଇଜେସର ବରିଷ୍ଠ ଅଧିକାରୀ କମଲ ନନ୍ଦୀ କହିଛନ୍ତି ।

ବିମାନ କମ୍ପାନି ଗୁଡ଼ିକ ଯୁଦ୍ଧ ସରଚାର୍ଜ ବଢ଼ାଇ ଦେଲେଣି । ଇଣ୍ଡିଗୋ ଉଭୟ ଡୋମେଷ୍ଟିକ ଏବଂ ଇଣ୍ଟରନ୍ୟାଶନାଲ ରୁଟ ଲାଗି ଯଥାକ୍ରମେ ୪୨୫ ଏବଂ ୨୩୦୦ ଟଙ୍କା ଏଭଳି ଚାର୍ଜ ନେଉଛି । ସେହିଭଳି କାର୍ କମ୍ପାନି ଗୁଡ଼ିକ ୩% ଯାଏ ଦର ବଢ଼ାଇ ପାରନ୍ତି । ଯୁଦ୍ଧ ଯୋଗୁ ବିଦେଶରେ ପଢ଼ିବା ମହଙ୍ଗା । କାରଣ ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୩.୧୨ ସ୍ତର ଛୁଇଁଲାଣି ।