ନୂଆଦିଲ୍ଲୀ ୩୦।୧୦; ହଲିଉଡ୍‌ରୁ ଆସିଛି ଏକ ଦୁଃଖଦ ଖବର। ନିରବିଗଲା ସେହି ଗମ୍ଭୀର ସ୍ୱର, ଯାହା ଦଶନ୍ଧି ଧରି ଦର୍ଶକଙ୍କ ମନରେ ସୃଷ୍ଟି କରିଥିଲା ସ୍ୱତନ୍ତ୍ର ସ୍ଥାନ। ଆଉ ନାହାନ୍ତି ହଲିଉ ଭେଟେରାନ୍ ଅଭିନେତା ସାର୍ ପାଟ୍ରିକ୍ ଷ୍ଟୁଆର୍ଟ। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ‘ଏକ୍ସ-ମେନ୍’ର ପ୍ରଫେସର ଚାର୍ଲ୍ସ ଜାଭିୟର ହୁଅନ୍ତୁ କି ‘ଷ୍ଟାର୍ ଟ୍ରେକ୍’ର କ୍ୟାପଟେନ୍ ଜିନ୍-ଲୁକ୍ ପିକାର୍ଡ, ପ୍ରତ୍ୟେକ ଚରିତ୍ରରେ ସେ ଛାଡ଼ିଯାଇଛନ୍ତି ଅଭୁଲା ଛାପ। ଆଲଜାଇମର୍ସ ଏବଂ ଲେୱି ବଡି ଡିମେନ୍ସିଆ ସହ ଲଢ଼ି ଶେଷରେ ହାରିଯାଇଛନ୍ତି ଜୀବନ ଯୁଦ୍ଧ। ତାଙ୍କ ବିୟୋଗରେ ହଲିଉଡ୍ରେ ଶୋକର ଛାୟା। ଘନିଷ୍ଠ ବନ୍ଧୁ ଇଆନ୍ ମ୍ୟାକକେଲେନଙ୍କ ଠାରୁ ଆରମ୍ଭ କରି ହ୍ୟୁ ଜ୍ୟାକମ୍ୟାନଙ୍କ ପର୍ଯ୍ୟନ୍ତ, ସମସ୍ତେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି।

ଅଭିନୟ ଜଗତରେ ଅପୂରଣୀୟ କ୍ଷତି

ଲସ୍ ଆଞ୍ଜେଲସ ସ୍ଥିତ ନିଜ ବାସଭବନରେ ପତ୍ନୀ ସନ୍ନି ଓଜେଲ୍ ଏବଂ ପରିବାରବର୍ଗଙ୍କ ଗହଣରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦୀର୍ଘଦିନର ମୁଖପାତ୍ର କେଲି ବୁଶ୍ ନୋଭାକ୍ ଏହି ଦୁଃଖଦ ଖବର ଜଣାଇଛନ୍ତି। ଆଲଜାଇମର୍ସ ରୋଗ ଏବଂ ଲେୱି ବଡି ଡିମେନ୍ସିଆ ସହ ତାଙ୍କର ସଂଘର୍ଷ ଚାଲିଥିଲା। ତାଙ୍କ ବିୟୋଗରେ ବିଶ୍ୱ ସିନେମା ଜଗତ ହରାଇଛି ଜଣେ ଅସାଧାରଣ କଳାକାରଙ୍କୁ। ପାଟ୍ରିକ୍ ଷ୍ଟୁଆଟଙ୍କ ନାଁ ଆସିଲେ ଆଖି ଆଗରେ ଭାସି ଉଠେ ୨ଟି ଚରିତ୍ର। ପ୍ରଥମଟି ହେଉଛି ‘ଏକ୍ସ-ମେନ୍’ର ପ୍ରଫେସର ଚାର୍ଲ୍ସ ଜାଭିୟର। ଯିଏ ନିଜ ଅସାଧାରଣ ମାନସିକ ଶକ୍ତି ଏବଂ ଶାନ୍ତ ସ୍ୱଭାବ ପାଇଁ ବିଶ୍ୱବ୍ୟାପୀ ପ୍ରଶଂସା ସାଉଁଟିଥିଲେ। ଦ୍ୱିତୀୟଟି ହେଉଛି ‘ଷ୍ଟାର୍ ଟ୍ରେକ୍’ର କ୍ୟାପଟେନ୍ ଜିନ୍-ଲୁକ୍ ପିକାର୍ଡ। ମହାକାଶର ଅସୀମ ଦୁନିଆରେ ଜଣେ ସାହସୀ ନେତା ଭାବେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଅମର ହୋଇ ରହିବ। ତାଙ୍କର ଗମ୍ଭୀର ସ୍ୱର, ଅଭିନୟର ଗଭୀରତା ଏବଂ ଚରିତ୍ରକୁ ଜୀବନ୍ତ କରିବାର କଳା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା।

ମଞ୍ଚରୁ ହଲିଉଡ୍,ଦୀର୍ଘ ୬୦ ବର୍ଷର ଯାତ୍ରା

କେବଳ ସାଇନ୍ସ ଫିକ୍ସନ୍ ନୁହେଁ, ଥିଏଟରଠାରୁ ଆରମ୍ଭ କରି ଅନେକ ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ଶୋ'ରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ ପାଟ୍ରିକ୍। ‘ଡ୍ୟୁନ୍’, ‘ଲାଇଫୋର୍ସ’, ‘ଆଇସ୍ ଏଜ୍’, ‘ଲୋଗାନ୍’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଥିଲା ଉଚ୍ଚକୋଟୀର। ତାଙ୍କ କ୍ୟାରିୟରରେ ମଞ୍ଚ ଅଭିନୟର ମଧ୍ୟ ଥିଲା ବିଶେଷ ଅବଦାନ। ଏହି ଅସାଧାରଣ ପ୍ରତିଭା ପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିଥିଲେ। ଲରେନ୍ସ ଅଲିଭିୟର ଆୱାର୍ଡ ଏବଂ ଗ୍ରାମି ଆୱାର୍ଡ ତାଙ୍କ କଳାତ୍ମକ ଯାତ୍ରାର ସଫଳତାର ପ୍ରମାଣ।

ହଲିଉଡରେ ଶୋକ

ପାଟ୍ରିକ୍‌ଙ୍କ ମୃତ୍ୟୁ ଖବର ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ହଲିଉଡ୍ର ବହୁ କଳାକାର। ତାଙ୍କର ଦୀର୍ଘ ୫୦ ବର୍ଷର ବନ୍ଧୁ ସାର୍ ଇଆନ୍ ମ୍ୟାକକେଲେନ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଭୟଙ୍କ ବନ୍ଧୁତା ଏବଂ ଏକାଠି ବିତାଇଥିବା ସମୟକୁ ମନେ ପକାଇଛନ୍ତି ସେ। ଅନ୍ୟପଟେ ‘ଏକ୍ସ-ମେନ୍’ରେ ତାଙ୍କ ସହ ଅଭିନୟ କରିଥିବା ହ୍ୟୁ ଜ୍ୟାକମ୍ୟାନ୍ ତାଙ୍କୁ ଜଣେ ଅସାଧାରଣ ଅଭିନେତା ଏବଂ ଚମତ୍କାର ମଣିଷ ବୋଲି କହିଛନ୍ତି। ତାଙ୍କ ବିୟୋଗରେ କେବଳ ଜଣେ ଅଭିନେତାଙ୍କୁ ନୁହେଁ, ବରଂ ଜଣେ ମାର୍ଗଦର୍ଶକ ଓ ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ହରାଇଛି ହଲିଉଡ୍।