ନୂଆଦିଲ୍ଲୀ: ପାକିସ୍ତାନ ପାଖରୁ ସ୍ବାଧୀନତା ଚାହୁଁଛି ବଲୁଚିସ୍ତାନ । ଏଥିପାଇଁ ବଲୁଚର ଲୋକମାନେ ଭାରତକୁ ଲଗାତାର ସାହାଯ୍ୟ ଭିକ୍ଷା କରୁଛନ୍ତି । ଏବେ ଜଣେ ୧୪ ବର୍ଷର ବଲୁଚ ଝିଅ ଭାରତକୁ ସହାୟତା ମାଗିଛନ୍ତି । ବଲୁଚିସ୍ତାନରେ ଚାଲିଥିବା ମାନବାଧିକାର ଉଲ୍ଲଂଘନ ବିରୋଧରେ ସ୍ୱର ଉତ୍ତୋଳନ କରି ୧୪ ବର୍ଷୀୟା ମାନବାଧିକାର କର୍ମୀ ଫରାହ ବଲୁଚ ଭାରତବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ବଲୁଚିସ୍ତାନର ସଂଗ୍ରାମ ଏବଂ ସେଠାକାର ଅଧିବାସୀଙ୍କ କଷ୍ଟ ପ୍ରତି ସମର୍ଥନ ଜଣାଇବା ପାଇଁ ସେ ଭାରତୀୟ ନାଗରିକ ଏବଂ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ନିଜ ମା’ଙ୍କ ସହିତ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଭାରତକୁ ବଲୁଚିସ୍ତାନର ଅସହାୟ ଲୋକଙ୍କ ସ୍ୱର ହେବା ପାଇଁ ଅନୁରୋଧ କରିଛନ୍ତି।

ସୋସିଆଲ୍ ମିଡିଆ ଓ ଡିଜିଟାଲ୍ କ୍ୟାମ୍ପେନ୍ ମାଧ୍ୟମରେ ବଲୁଚିସ୍ତାନର ସମସ୍ୟା ଉଠାଉଥିବା ଫରାହ ବଲୁଚ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଆଜି ମୁଁ, ଅଧିକୃତ ବଲୁଚିସ୍ତାନର ଝିଅ ଫରାହ ବଲୁଚ, ମୋ ମା'ଙ୍କ ସହ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ଆମର ସ୍ୱର ପାଲଟନ୍ତୁ ଏବଂ ବଲୁଚିସ୍ତାନର ଲୋକଙ୍କୁ ସମର୍ଥନ କରନ୍ତୁ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ହିନ୍ଦୁସ୍ତାନ, ବଲୁଚିସ୍ତାନର ନିରୀହ ଲୋକଙ୍କ ପାଇଁ ଆପଣଙ୍କ ସ୍ୱର ଏବଂ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’

ଏବେ ବଲୁଚିସ୍ତାନରେ ସୁରକ୍ଷା ଓ ଶାସନ ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଆକ୍ଟିଭିଷ୍ଟମାନେ ଅଭିଯୋଗ କରିଛନ୍ତି ଯେ, ସେଠାରେ ସେନାର ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ବିଷୟଗୁଡ଼ିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବଲୁଚ କର୍ମୀମାନେ ଡିଜିଟାଲ୍ ଏବଂ ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକର ସାହାରା ନେଉଛନ୍ତି।

କ୍ଷେତ୍ରଫଳ ଦୃଷ୍ଟିରୁ ବଲୁଚିସ୍ତାନ ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ। ସେଠାରେ ପ୍ରାକୃତିକ ଗ୍ୟାସ୍, ତମ୍ବା, ଏବଂ ସୁନା ଭଳି ବିପୁଳ ପ୍ରାକୃତିକ ସମ୍ପଦ ରହିଛି। ଏତେ ସମ୍ପଦ ଥାଇ ମଧ୍ୟ ଏହି ଅଞ୍ଚଳଟି ଅତ୍ୟନ୍ତ ଅବହେଳିତ ଏବଂ ପାକିସ୍ତାନର ଅନ୍ୟତମ ଅନୁନ୍ନତ ପ୍ରଦେଶ ଭାବରେ ରହିଯାଇଛି। ସ୍ଥାନୀୟ ଲୋକମାନେ ଆଜି ବି ଦାରିଦ୍ର୍ୟ, ଭିତ୍ତିଭୂମିର ଅଭାବ, ବେକାରୀ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି । ଏହାକୁ ନେଇ ବଲୁଚିସ୍ତାନବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।