ଭୁବନେଶ୍ବର ୧୪।୧୦: ଛାତ୍ର ସଂସଦ ନିର୍ବାଚନ ଆଜି ‘ହ୍ୱାଏ ଆଇ ଷ୍ଟାଣ୍ଡ୍ ଫର’ (Why I Stand For) ମିଟିଂ । ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ଆଗରେ ନିଜର ଆଭିମୁଖ୍ୟ ଓ ପ୍ରତିଶ୍ରୁତି ରଖିବେ । ତେବେ ଏହାରି ଭିତରେ ଛାତ୍ର ସଂସଦ ନିର୍ବାଚନ ନେଇ ଅପିଲ୍ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସବୁ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମନ୍ତ୍ରୀ ଅପିଲ୍ କରିଛନ୍ତି । ବିନା ହିଂସାରେ ନିର୍ବାଚନ ଶେଷ କରିବାକୁ ମଧ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଛାତ୍ର ନେତୃତ୍ୱକୁ ଉପଯୁକ୍ତ ସୁଯୋଗ ଦିଆଯାଇଛି । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣିଥରେ ଆରମ୍ଭ କରାଯାଉଛି । ତେଣୁ ଏହି ନିର୍ବାଚନରେ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସମସ୍ତଙ୍କୁ ଶୁଭେଚ୍ଛା । ଆସନ୍ତାକାଲି ସମାଜ, ରାଜ୍ୟ ଓ ଦେଶକୁ ନେତୃତ୍ୱ ଦେବାରେ ସହାୟକ ହେବ । ତେଣୁ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେଉଛି, ସେଠାକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ବିନା ହିଂସାରେ ଗଣତନ୍ତ୍ରର ଏହି ଅନୁଭବରେ ସାମିଲ ହୁଅନ୍ତୁ । ଶାନ୍ତି ଓ ଶୃଙ୍ଖଳାର ସହ ନିଜର ମତଦାନ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ ।

ଆସନ୍ତାକାଲିର ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନିୟମିତ ନଜର ରଖାଯାଇଛି । ନିର୍ବାଚନ କିପରି ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମାପ୍ତ ହେବ, ସେଥିପାଇଁ ନିରନ୍ତର ନିରୀକ୍ଷଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Also Read:- ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ : କଳିଙ୍ଗନଗରରେ ମୁଖ୍ୟମନ୍ତ୍ରୀ, ନିବେଶକଙ୍କ ସହ ଆଲୋଚନା

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଦିନ ଛାତ୍ର ସଂସଦ ନିର୍ବାଚନ ଭୋଟିଂ । ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ମତଦାନ ହେବ । ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ । ମଙ୍ଗଳବାର ଥିଲା କ୍ୟାମ୍ପସର ଶେଷ ଭୋଟ୍ ପ୍ରଚାର । କ୍ୟାମ୍ପେନର ଶେଷ ଦିନରେ ବିଭିନ୍ନ ସଂଗଠନର ପ୍ରାର୍ଥୀମାନେ ଜି ଜାନ୍ ଲଗାଇଦେଇଛନ୍ତି । କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରାର୍ଥୀ । ଆଜି ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । କେଉଁ ପ୍ରସଙ୍ଗକୁ କିଏ ଗୁରୁତ୍ୱ ଦେଉଛି ? କାହା ପାଖରେ ରହିଛି ସ୍ପଷ୍ଟ ଯୋଜନା ? କିଏ ଦେଉଛି ବାସ୍ତବ ପ୍ରତିଶ୍ରୁତି ? ଆଉ ପ୍ରାର୍ଥୀଙ୍କ କଥାରେ କେତେ ସନ୍ତୁଷ୍ଟ ହେଉଛନ୍ତି ଛାତ୍ରଛାତ୍ରୀ ? ତାହା ଉପରେ ରହିବ ନଜର ।

Watch Video: