ନୂଆଦିଲ୍ଲୀ ୧୪।୧୦; ଗଣତନ୍ତ୍ର ସୁଧାରିବା ପୂର୍ବରୁ… ନିଜ ଶାସିତ ରାଜ୍ୟର ସ୍ଥିତି ସୁଧାରନ୍ତୁ! କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ଗାୟିକା ସୋନା ମହାପାତ୍ର। ନଅ ବର୍ଷ ପରେ ହିମାଚଳ ପ୍ରଦେଶ ଫେରି ସେଠାକାର ପାହାଡ଼ରେ ଆବର୍ଜନା ଏବଂ ନଦୀର ଦୟନୀୟ ସ୍ଥିତି ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ସୋନା। ଏନେଇ ‘ଏକ୍ସ’ରେ ରାହୁଲଙ୍କୁ ଟ୍ୟାଗ୍ କରି ସେ ରଖିଛନ୍ତି ନିଜ ମତ। ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା।

ନଅ ବର୍ଷ ପରେ ହିମାଚଳ ପ୍ରଦେଶ ଫେରିବା ପରେ ନିଜ ଅନୁଭୂତିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ସୋନା। ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ୍ କରି ସେ ପ୍ରଶ୍ନ ଉଠାଇଛନ୍ତି-ଗଣତନ୍ତ୍ରରେ ସୁଧାର ଆଣିବା କଥା କହିବା ପୂର୍ବରୁ, କଂଗ୍ରେସ ଶାସିତ ହିମାଚଳ ପ୍ରଦେଶର ସ୍ଥିତି ସୁଧାରିବା ଉପରେ କାହିଁକି ଧ୍ୟାନ ଦିଆଯାଉନାହିଁ? ଏହି ବୟାନ ଆସିଛି ରାହୁଲ ଗାନ୍ଧୀଙ୍କ ଗଣତନ୍ତ୍ର ସଂସ୍କାର ସମ୍ପର୍କିତ ମନ୍ତବ୍ୟ ପରେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ, ସେମାନଙ୍କ ବିଦାୟ ପରେ ଗଣତନ୍ତ୍ରରେ ସୁଧାର ପ୍ରକ୍ରିୟା ଆରମ୍ଭ ହେବ।

ଅନ୍ୟପଟେ, ସୋନା ମହାପାତ୍ରଙ୍କ ମତ ହେଉଛି-କେବଳ ଜନସମର୍ଥନ ଲୋଡ଼ିଲେ ହେବ ନାହିଁ, ଭଲ ଶାସନ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ଲୋକଙ୍କ ବିଶ୍ୱାସ ଜିତିବାକୁ ପଡ଼ିବ। ହିମାଚଳ ପ୍ରଦେଶକୁ ଉତ୍ତମ ଶାସନର ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି। ସୋନାଙ୍କ ଏହି ପୋଷ୍ଟ ପରେ ସୋସିଆଲ୍ ମିଡିଆରେ ମିଳିଛି ମିଶ୍ର ପ୍ରତିକ୍ରିୟା। କିଛି ୟୁଜର୍ ତାଙ୍କ ମତକୁ ସମର୍ଥନ କରି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଉତ୍ତମ ଶାସନର ଉଦାହରଣ ସୃଷ୍ଟି କରିବାକୁ କହିଛନ୍ତି। ଗଣତନ୍ତ୍ରକୁ ନେଇ ରାଜନୈତିକ ବୟାନବାଜି ଭିତରେ ସୋନା ମହାପାତ୍ରଙ୍କ ଏହି ପ୍ରଶ୍ନ ଏବେ ଚର୍ଚ୍ଚାରେ। ତେବେ ଏହା କେବଳ ରାଜନୈତିକ ତର୍କ ନୁହେଁ, ପରିବେଶ ସୁରକ୍ଷା ଓ ଉତ୍ତମ ଶାସନର ଦାୟିତ୍ୱକୁ ନେଇ ମଧ୍ୟ ଏକ ପ୍ରଶ୍ନ।