ମୁମ୍ଵାଇ ୧୪।୧୦: ‘ଆଫଗାନ ଜଲେବୀ’ ଗୀତରୁ ଲୋକପ୍ରିୟତା ହାସଲ କରିଥିବା ଗାୟକ କାଜି ତୌକିର୍ । ଏବେ ସେ ଟିଭି ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ର ଜଣେ ପ୍ରତିଯୋଗୀ। ନିକଟରେ ଶୋ’ର ଏକ ଏପିସୋଡ୍ରେ ଖାଦ୍ୟକୁ ନେଇ ହୋଇଥିବା ତୀବ୍ର ଯୁକ୍ତିତର୍କ ସମୟରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ପରେ ‘ୱିକେଣ୍ଡ କା ୱାର୍’ ଏପିସୋଡ୍ରେ ସଲମାନ ଖାନ୍ଙ୍କ ସହ କଥା ହେବାବେଳେ ମଧ୍ୟ ତାଙ୍କ ଆଖିରୁ ଲୁହ ଝରିଥିଲା। ଯାହା ତାଙ୍କର ଫ୍ୟାନ୍ଙ୍କୁ ଖୁବ୍ ଭାବୁକ କରିଥିଲା। କାଜିଙ୍କ ଏହି ଭାବପ୍ରବଣ ମୁହୂର୍ତ୍ତ ଦେଖି ସଙ୍ଗୀତ ନିର୍ଦ୍ଦେଶକ ସାଜିଦ୍ ଖାନ୍ ମଧ୍ୟ ଭାବୁକ ହୋଇପଡ଼ିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କାଜିଙ୍କୁ ସାହସ ରଖିବାକୁ ପରାମର୍ଶ ଦେବା ସହ ତାଙ୍କୁ ପାଞ୍ଚଟି ନୂଆ ଗୀତରେ କାମ କରିବାର ସୁଯୋଗ ଦେଇଛନ୍ତି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସାଜିଦ୍ ଖାନ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ କାଜିଙ୍କୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି, “ମୋର ବୋଧହୁଏ ଏହା କହିବା ଉଚିତ୍ ନୁହେଁ, କିନ୍ତୁ ତୁମ ପାଇଁ ପାଞ୍ଚଟି ବ୍ଲକବଷ୍ଟର ଗୀତ ପ୍ରସ୍ତୁତ ଅଛି।” ସେ ଆହୁରି କହିଛନ୍ତି, “ଇନ୍ଶାଆଲ୍ଲାହ, ତୁମେ ବାହାରକୁ ଆସିବା ପରେ ଆମେ ଏକାଠି ରେକର୍ଡିଂ କରିବା ଏବଂ ଆଗକୁ ଅନେକ କାମ କରିବା। ତୁମକୁ କାନ୍ଦୁଥିବା ଦେଖି ମୋତେ ବହୁତ ଦୁଃଖ ଲାଗିଲା। ଗତକାଲି ସେହି ଏପିସୋଡ୍ ଦେଖିବା ପରେ ମୁଁ ମଧ୍ୟ ଭାବପ୍ରବଣ ହୋଇପଡ଼ିଥିଲି।”

କାଜିଙ୍କୁ ସାନ୍ତ୍ୱନା ଦେଇ ସାଜିଦ୍ କହିଛନ୍ତି ଯେ ଜୀବନରେ ଆସୁଥିବା ସମସ୍ୟାକୁ ନେଇ ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ। ବରଂ ନିଜର ଭାବନାକୁ ସକାରାତ୍ମକ ଦିଗରେ ଲଗାଇବା ଆବଶ୍ୟକ। ସେ କହିଛନ୍ତି, “ଭାଇ, ଦୃଢ଼ ରୁହ। ଟିକେ ହସ ଏବଂ ନିଜର ନୃତ୍ୟକଳା ଦେଖାଅ। ମୁଁ ତୁମକୁ ଭଲପାଏ। ତୁମ ପାଇଁ ଆଗକୁ ଅନେକ ଭଲ ସୁଯୋଗ ଅପେକ୍ଷା କରିଛି। ମୁଁ ଜାଣେ ତୁମେ ବର୍ଷ ବର୍ଷ ଧରି ସଂଘର୍ଷ କରିଛ ଏବଂ ଅନେକ କଷ୍ଟ ସହିଛ। କିନ୍ତୁ ସେହି କଷ୍ଟରେ ଭାଙ୍ଗି ନପଡ଼ି ନିଜ ସଙ୍ଗୀତ, ଅଭ୍ୟାସ, ପ୍ରଦର୍ଶନ ଓ ଅଭିନୟ ଉପରେ ଧ୍ୟାନ ଦିଅ। ମୋର ବିଶ୍ୱାସ, ତୁମର ଭବିଷ୍ୟତ ଉଜ୍ଜ୍ୱଳ।”

ଖାଲି ସେତିକି ନୁହେଁ କାଜିଙ୍କୁ ଉତ୍ସାହିତ କରିବା ସହ ସାଜିଦ୍ ତାଙ୍କ ଅଞ୍ଚଳର ସଂଘର୍ଷପୂର୍ଣ୍ଣ ପରିସ୍ଥିତି କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସାଜିଦ୍ କହିଛନ୍ତି, “ଭାଇ, ତୁମେ ଭାରତର ଗର୍ବ। ତୁମେ ସେହି ଭୂମିରୁ ଆସିଛ, ଯାହା ହିନ୍ଦୁସ୍ତାନର ମୁକୁଟ ସଦୃଶ। ତୁମ ଅଞ୍ଚଳ ଅନେକ ଯନ୍ତ୍ରଣା, ସଂଘର୍ଷ ଓ ଅଶାନ୍ତି ଦେଖିଛି। ତୁମେ ଏବଂ ସେଠାକାର ଲୋକମାନେ ଅନେକ କଷ୍ଟ ସହିଛ। ତେଣୁ ଏଭଳି ଛୋଟ କଥା ପାଇଁ ମନ ଦୁଃଖ କର ନାହିଁ। ଦୃଢ଼ ରୁହ।”