ମୁମ୍ବାଇ ୧୪।୧୦: ଟିଭି ଅଭିନେତ୍ରୀ ନୀତି ଟେଲର ଏକ ସାକ୍ଷାତକାରରେ ତାଙ୍କ ଅତୀତ ଜୀବନ ବିଷୟରେ କରିଛନ୍ତି ଛାତିଥରା ଖୁଲାସା। ସେ କହିଛନ୍ତି, ତାଙ୍କର ପୂର୍ବତନ ପ୍ରେମିକ ତାଙ୍କୁ ମାରପିଟ୍ କରୁଥିଲେ ଏବଂ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ସିଗାରେଟରେ ବି ଚେଙ୍କ ଦେଇଥିଲେ। ଟେଲିଭିଜନ୍ ଜଗତର ପରିଚିତ ଅଭିନେତ୍ରୀ ନୀତି ଟେଲରଙ୍କ ଏକ ବ୍ୟକ୍ତିଗତ ଖୁଲାସା ଏବେ ଖୁବ୍ ଚର୍ଚ୍ଚାରେ। ପୂର୍ବ ପ୍ରେମ ସମ୍ପର୍କରେ ସେ କିପରି ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିଲେ, ତାହା ଏକ ସାକ୍ଷାତକାରରେ ବଖାଣିଛନ୍ତି ଅଭିନେତ୍ରୀ।

ପୋଷାକ ଓ ସାଙ୍ଗସାଥୀଙ୍କୁ ନେଇ ଉଠୁଥିଲା ପ୍ରଶ୍ନ

‘ଗୁଲାମ୍’, ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଏବଂ ‘କୈସି ୟେ ୟାରିୟାଁ’ ଭଳି ଧାରାବାହିକରେ ଅଭିନୟ କରିଥିବା ନୀତି ଟେଲର୍ ‘ହଟରଫ୍ଲାଇ’କୁ ଦେଇଥିବା ସାକ୍ଷାତକାରରେ ନିଜ ଅତୀତ ସମ୍ପର୍କରେ ଏହି କଥା କହିଛନ୍ତି। ନୀତିଙ୍କ କହିବା ଅନୁଯାୟୀ, ତାଙ୍କ ପୂର୍ବ ପ୍ରେମିକ ତାଙ୍କ ପୋଷାକ, ସାଙ୍ଗସାଥୀଏବଂ କେଉଁଠାକୁ ଯାଉଛନ୍ତି, ସେସବୁକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିଲେ। ଛୋଟ ପୋଷାକ ପିନ୍ଧିଲେ ଅନ୍ୟମାନେ ତାଙ୍କୁ ଦେଖୁଥିବା କଥା କହି ଆପତ୍ତି ଉଠାଉଥିଲେ। ସେତେବେଳେ ମୁଁ ଏସବୁ କିଛି ବୁଝିପାରୁନଥିଲି। ନିଜକୁ ବୁଝାଇବା ଓ ପ୍ରତ୍ୟେକ କାର୍ଯ୍ୟର ସଫେଇ ଦେବାକୁ ବାଧ୍ୟ ହେଉଥିଲି ବୋଲି ନୀତି କହିଛନ୍ତି।

ଏକ୍ସ ବୟଫ୍ରେଣ୍ଡ କରିଥିଲେ ଆକ୍ରମଣ

ନୀତି କହିଛନ୍ତି, ଥରେ ତାଙ୍କ ଜନ୍ମଦିନ ଥିଲା, କିନ୍ତୁ ସେଠାରେ ପରିବେଶ ତାଙ୍କୁ ଠିକ୍ ନ ଲାଗିବାରୁ ମୁଁ ନିଜ ସାଙ୍ଗମାନଙ୍କ ସହ ସେଠାରୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲି। ଯିବା ପୂର୍ବରୁ ମୁଁ ତାଙ୍କୁ ଜଣାଇବାକୁ ଚେଷ୍ଟା କରିବା ସମୟରେ ତେଣୁ ସେ ମୋତେ ଅଟକାଇଲେ। ମୁଁ ତାଙ୍କୁ କହିଥିଲି ଯେ ମୋ ସାଙ୍ଗମାନେ ମୋତେ ଘରକୁ ଛାଡି ଦେବେ, କିନ୍ତୁ ସେ ମନା କରିଦେଲେ। ତାଙ୍କ ଘର ବାହାରେ ପରିସ୍ଥିତି ଖୁବ୍ ଭୟଙ୍କର ହୋଇଗଲା। ସେ ମୋତେ ଠେଲିବା ସହ ଚାପୁଡ଼ା ମାରିଲେ। ଘଟଣାଟି ବିଲ୍ଡିଂର ସିସି ଟିଭି କ୍ୟାମେରାରେ ରେକର୍ଡ ବି ଥିଲା। ମୋ ସାଙ୍ଗମାନେ ଓ ସୁରକ୍ଷାକର୍ମୀ ମଧ୍ୟ ସେହି ସମୟରେ ସେଠାରେ ଥିଲେ।

ସିଗାରେଟରେ ଜଳାଇଥିବା ଅଭିଯୋଗ

ଅଭିନେତ୍ରୀଙ୍କ ଅଭିଯୋଗ ଅନୁସାରେ, ଘଟଣା ପରେ ସେ ନିଜ ବିଲ୍ଡିଂରେ ପହଞ୍ଚିବା ସମୟରେ ପୂର୍ବ ପ୍ରେମିକ ତାଙ୍କୁ ପାର୍ଟିରୁ କାହିଁକି ଚାଲିଆସିଲେ ବୋଲି ପ୍ରଶ୍ନ କରିଥିଲେ। ଏହି ସମୟରେ ସେ ନୀତିଙ୍କୁ ସିଗାରେଟ୍ରେ ଚେଙ୍କ ଦେଇଥିଲେ।ଏହାର ଦାଗ ଆଜି ମୋ ଶରୀରରେ ରହିଛି।’