ଚେନ୍ନାଇ: ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ଏବେ ନିଜ ଆଗାମୀ ଫିଲ୍ମ ‘ରଣବାଲି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିଜ ଫିଲ୍ମ ରିଲିଜ ପୂର୍ବରୁ ଏବେ ଏବେ ଦୁହେଁ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲପତି ବିଜୟଙ୍କୁ ଚେନ୍ନାଇରେ ଭେଟିଛନ୍ତି ଏହି ଷ୍ଟାରଦମ୍ପତ୍ତି । ଏହି ସାକ୍ଷାତକାର ପରେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା ସୋସିଆଲ୍ ମିଡିଆରେ ନିଜ ଅନୁଭୂତି ସେୟାର କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ବିଜୟଙ୍କୁ ଭେଟି ଭାବପ୍ରବଣ ହେଲେ ରଶ୍ମିକା :

ବିଜୟଙ୍କୁ ଭେଟିବା ପରେ ରଶ୍ମିକା ତାଙ୍କ ପ୍ରତି ଥିବା ପୁରୁଣା ପ୍ରଶଂସାକୁ ନେଇ ଏକ ପୋଷ୍ଟ କରିଛନ୍ତି। ରଶ୍ମିକା କହିଛନ୍ତି ଯେ ଦୀର୍ଘ ଦିନ ଧରି ସେ ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ରହିଆସିଛନ୍ତି। ତାଙ୍କ ସହ ଅଭିନୟ କରିବାର ସୁଯୋଗ ପାଇବାଠାରୁ ଆରମ୍ଭ କରି ଆଜି ଜଣେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଯାତ୍ରାକୁ ଦେଖିବା ପର୍ଯ୍ୟନ୍ତ, ଏହା ତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ବୋଲି ସେ ଲେଖିଛନ୍ତି । ରଶ୍ମିକାଙ୍କ କହିବା ଅନୁସାରେ, ଜଣେ ଅଭିନେତାଙ୍କଠାରୁ ଜନସେବାରେ ନିୟୋଜିତ ନେତା ପର୍ଯ୍ୟନ୍ତ ବିଜୟଙ୍କ ଯାତ୍ରା ପ୍ରଶଂସନୀୟ। ତାଙ୍କର ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରଲ ହେଉଛି ।

ଅନ୍ୟପଟେ, ବିଜୟ ଦେବରକୋଣ୍ଡା ମଧ୍ୟ ଥଲପତିଙ୍କ ସହ ଭେଟି ନିଜ ଅନୁଭୂତି ସେୟାର କରିଛନ୍ତି। ସେ କହିଛନ୍ତି ଯେ ବ୍ୟସ୍ତ ଥିବା ସତ୍ତ୍ୱେ ବିଜୟ ତାଙ୍କୁ ଓ ରଶ୍ମିକାଙ୍କୁ ଅତ୍ୟନ୍ତ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ। ଜୀବନ, କାର୍ଯ୍ୟ ଓ ଦୁନିଆ ବିଷୟରେ ତାଙ୍କ ସହ ହୋଇଥିବା ଆଲୋଚନାକୁ ମଧ୍ୟ ସେ ମନେ ରଖିବେ ବୋଲି ଲେଖିଛନ୍ତି। ବିଜୟ ଦେବରକୋଣ୍ଡାଙ୍କ ପୋଷ୍ଟରେ ଥିବା ଏକ କ୍ୟାପସନ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି। ସେ ଲେଖିଛନ୍ତି, “ଗୋଟିଏ ସାକ୍ଷାତ ଏବଂ ସାର୍ ଏବେଠାରୁ ମୋର ପ୍ରିୟ ହୋଇଗଲେ।” ତେବେ ସୂଚନା ଥାଉ କି, ଆସନ୍ତା ୧୬ ଅକ୍ଟୋବର ୨୦୨୬ରେ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି ରଶ୍ମିକା ଓ ବିଜୟଙ୍କ ଫିଲ୍ମ ‘ରଣବାଲି’ | ରାହୁଲ ସଙ୍କୃତ୍ୟାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ଆକ୍ସନ୍ ଡ୍ରାମା ଫିଲ୍ମ। ଏଥିରେ ବିଜୟ ଓ ରଶ୍ମିକା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ୧୬ ଅକ୍ଟୋବର ୨୦୨୬ରେ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି। ୧୮୭୬-୭୮ ମସିହାର ମାଡ୍ରାସ୍ ଦୁର୍ଭିକ୍ଷର ପୃଷ୍ଠଭୂମିକୁ ଆଧାର କରି ଏହି ଫିଲ୍ମର କାହାଣୀ । ଐତିହାସିକ ଘଟଣାର କାଳ୍ପନିକ ଚିତ୍ରଣ ସହ ଆକ୍ସନ୍ ଓ ଡ୍ରାମାର ମିଶ୍ରଣ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।