କେନ୍ଦୁଝର: ଉଚ୍ଚଶିକ୍ଷା ପାଇଁ ସଂଘର୍ଷର ଏକ ପ୍ରେରଣାଦାୟକ କାହାଣୀ। ଅର୍ଥାଭାବ ଆଗରେ ସ୍ୱପ୍ନକୁ ଭାଙ୍ଗି ନଦେଇ, ନିଜ ଭବିଷ୍ୟତ ଗଢ଼ିବା ପାଇଁ ହୋଟେଲରେ ବାସନ ମାଜୁଛନ୍ତି ଜଣେ ମେଧାବୀ ଜୁଆଙ୍ଗ ଛାତ୍ର। ଯୁକ୍ତ ଦୁଇରେ ୮୩ ପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଥିବା ବୈଲୋଚନ ଜୁଆଙ୍ଗ ଏବେ ଯୁକ୍ତ ତିନିରେ ପଢ଼ିବା ସ୍ୱପ୍ନ ନେଇ ଦିନରାତି ପରିଶ୍ରମ କରୁଛନ୍ତି। ତାଙ୍କ ଏହି ସଂଘର୍ଷ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବାରହାଗଡ଼ ପଞ୍ଚାୟତର ନଡ଼ାମ ଗାଁର ବୈଲୋଚନ ଜୁଆଙ୍ଗ। ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଛନ୍ତି। ପାଠପଢ଼ାରେ ଦକ୍ଷ ହୋଇଥିଲେ ମଧ୍ୟ ଦାରିଦ୍ର୍ୟ ତାଙ୍କ ଉଚ୍ଚଶିକ୍ଷା ରାସ୍ତାରେ ବଡ଼ ବାଧା ସାଜିଛି।ଭୁବନେଶ୍ୱରର ବିଜେବି କଲେଜ କିମ୍ବା ବାଣୀବିହାରରେ ପଢ଼ିବା ସ୍ୱପ୍ନ ଦେଖୁଛନ୍ତି ବୈଲୋଚନ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସେହି ସ୍ୱପ୍ନକୁ ଅଧରା କରିଦେଇଥିଲା।

ବାପା କୀର୍ତନ ଜୁଆଙ୍ଗ ଦିନମଜୁରି କରି ପରିବାର ଚଳାଉଥିବା ବେଳେ ପୁଅର ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ ବହନ କରିବା ଅସମ୍ଭବ ବୋଲି କହିଥିଲେ। ତେବେ ହାର ମାନି ନାହାନ୍ତି ବୈଲୋଚନ। ମାର୍ଚ୍ଚ ମାସରୁ ଝୁମ୍ପୁରାର ଏକ ହୋଟେଲରେ ମାସିକ ୯ ହଜାର ଟଙ୍କା ଦରମାରେ ବାସନ ମାଜିବା ସହ ଅଇଁଠା ପତ୍ର ଉଠାଇବା କାମ କରୁଛନ୍ତି। ନିଜ ଶିକ୍ଷା ପାଇଁ ଟଙ୍କା ସଞ୍ଚୟ କରିବା ହିଁ ତାଙ୍କ ଲକ୍ଷ୍ୟ। ତିନି ମାସର ଦରମାରୁ କିଛି ଟଙ୍କା ପରିବାରକୁ ଦେଇଥିବା ବେଳେ ଅବଶିଷ୍ଟ ଅର୍ଥ କଲେଜ ନାମଲେଖା ଓ ବହିପତ୍ର କିଣିବାରେ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।

ବୈଲୋଚନଙ୍କ ଏହି ସଂଘର୍ଷ ଏବେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ଚନ୍ଦ୍ର ମହାନ୍ତ ନଡ଼ାମ ଗାଁରେ ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ। ବୈଲୋଚନ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ତାଙ୍କ ଉଚ୍ଚଶିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଦାରିଦ୍ର୍ୟ ସତ୍ତ୍ୱେ ଶିକ୍ଷା ପ୍ରତି ଅଦମ୍ୟ ଇଚ୍ଛାଶକ୍ତି ଏବଂ ନିଜ ସ୍ୱପ୍ନ ପୂରଣ ପାଇଁ କଠିନ ପରିଶ୍ରମ କରୁଥିବା ବୈଲୋଚନ ଜୁଆଙ୍ଗ ଆଜି ଅନେକ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପ୍ରଶାସନର ସହଯୋଗ ମିଳିଲେ ତାଙ୍କ ଉଚ୍ଚଶିକ୍ଷାର ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଉଛି।