ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା କିମ୍ବଦନ୍ତୀ ଭାରତୀୟ ବ୍ୟବସାୟୀ ବିଜୟପଥ୍ ସିଂଘାନିଆ। ୨୮ ତାରିଖ ଶନିବାର ମୁମ୍ବାଇରେ ୮୭ ବର୍ଷ ବୟସରେ ହୋଇଛି ଦେହାନ୍ତ । ରବିବାର ସଂପନ୍ନ ହୋଇଛି ଶେଷକୃତ୍ୟ। ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି। ଦୁଃଖର କଥା ଏତେ ବଡ଼ ବ୍ୟବସାୟୀଙ୍କ ଶେଷ ସମୟ କଟି ନଥିଲା ଭଲରେ। ନିସଃଙ୍ଗ ଜୀବନ କାଟିଥିଲେ, ରହିଥିଲେ ଭଡ଼ା ଘରେ। ସେ ୧୯୮୦ରୁ ୨୦୦୦ପର୍ଯ୍ୟନ୍ତ ରେମଣ୍ଡ ଗ୍ରୁପର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ, ସେ ତାଙ୍କ ପୁଅ ଗୌତମ ସିଂଘାନିଆଙ୍କୁ ରେମଣ୍ଡର ଦାୟିତ୍ୱ ହସ୍ତାନ୍ତର କରିଥିଲେ। କିନ୍ତୁ ବିଭିନ୍ନ କାରଣରୁ, ବାପା ଏବଂ ପୁଅ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ ବିଜୟପଥ୍ ଙ୍କୁ ତାଙ୍କ ଘର 'ଜେକେ ହାଉସ' ଛାଡ଼ିବାକୁ ପଡ଼ିଥିଲା। ଏମିତି ତାଙ୍କୁ ଏକ ଭଡ଼ା ଘରେ ରହିବାକୁ ପଡ଼ିଥିଲା।

କେମିତି ହେଲା ଏତେ ବଡ଼ ପରିବର୍ତ୍ତନ ?

ବିଜୟପଥ୍ ସିଂଘାନିଆ। ଭାରତର ସବୁଠାରୁ ଧନୀ ଶିଳ୍ପପତିଙ୍କ ମଧ୍ୟରୁ ଜଣେ । ୨୦୧୨ ମସିହାରେ, ତାଙ୍କର ମୋଟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ଥିଲା ୧.୪ ବିଲିୟନ ଡଲାର। ଏହି ସମ୍ପତ୍ତିରେ ରେମଣ୍ଡ ଏବଂ ରିଅଲଇଷ୍ଟେଟ ସହ ଅନ୍ୟାନ୍ୟ ନିବେଶ ବି ସାମିଲ୍। ୨୦୧୫ରେ ପରିସ୍ଥିତି ବଦଳିବାକୁ ଲାଗିଥିଲା। ଏହି ବର୍ଷ ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଲା। ଚଳିତ ବର୍ଷ ସେ ରେମଣ୍ଡର ତାଙ୍କର ୩୭ ପ୍ରତିଶତ ଅଂଶଧନ ଅର୍ଥାତ୍ ୧,୦୦୦ କୋଟିରୁ ଅଧିକ ତାଙ୍କ ପୁଅ ଗୌତମଙ୍କୁ ହସ୍ତାନ୍ତର କଲେ। ଏହି ପଦକ୍ଷେପ ସହିତ, କମ୍ପାନୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ତାଙ୍କ ପୁଅ ହାତକୁ ଚାଲିଗଲା। ସେତେବେଳେ, ଏହି ସମଗ୍ର ପ୍ରକ୍ରିୟାକୁ ଏକ ସାଧାରଣ ପାରିବାରିକ ବ୍ୟବସାୟ ପରିବର୍ତ୍ତନ ପରି ମନେ ହେଉଥିଲା। ସମୟ ବିତିବା ସହିତ, ଏହି ନିଷ୍ପତ୍ତିର ପରିଣାମ ଏପରି ହେବ ବୋଲି କିଏ ଅନୁମାନ କରିପାରି ନଥିଲେ।

ଜୀବନର ଶେଷ ସମୟରେ ହୋଇଥିଲା ବଡ଼ ପରିବର୍ତ୍ତନ। ଗୋଟିଏ ପଟେ ତାଙ୍କର ପ୍ରାୟ ୧୨,୦୦୦ କୋଟି ଟଙ୍କାର ସମ୍ପତ୍ତି, ଅନ୍ୟପଟେ କିନ୍ତୁ ସେ ରହିଥିଲେ ଭଡ଼ା ଘରେ। ୨୦୧୫ରେ ସେୟାର ସ୍ଥାନାନ୍ତର ପରେ, ବିଜୟପଥ୍ ସିଂଘାନିଆ ଏବଂ ପୁଅ ଗୌତମ ସିଂଘାନିଆଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ବିଜୟପଥ୍ ​​​​​​​ପରବର୍ତ୍ତୀ ସମୟରେ କହିଥିଲେ ଯେ ସେୟାର ସ୍ଥାନାନ୍ତର ସମ୍ପୂର୍ଣ୍ଣ ଭାବରେ ତାଙ୍କ ନିଜସ୍ୱ ଇଚ୍ଛାରେ ହୋଇନଥିଲା। ଏହା ଏର ଚାପରେ ହୋଇଥିଲା। ସ୍ଥିତି ସେତେବେଳେ ଆହୁରି ଜଟିଳ ହୋଇଥିଲା ଯେତେବେଳେ ମୁମ୍ବାଇରେ ତାଙ୍କର ପ୍ରସିଦ୍ଧ ବଙ୍ଗଳା ଜେକେ ହାଉସକୁ ପ୍ରବେଶ କରିବାରୁ ବାରଣ କରାଯାଇଥିଲା। ଏହାକୁ ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା, କଥା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ତାପରେ ବିଜୟପତ ନିଜ ଘର ଛାଡ଼ି ଭଡ଼ା ଘରେ ରହିଥିଲେ।

କେମିତି କଟିଥିଲା ପିଲାଦିନ ?

ବିଜୟପଥ୍ ସିଂଘାନିଆଙ୍କ ଅକ୍ଟୋବର ୪, ୧୯୩୮ରେ କାନପୁରରେ ଜନ୍ମ। ସେ ଜେକେ ଗ୍ରୁପ୍ ପରିବାରରୁ ଆସିଛନ୍ତି। ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ସେ ତାଙ୍କ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ। ତାପରେ ମୁମ୍ବାଇର ସିଡନୀହାମ୍ କଲେଜରେ ପାଠପଢ଼ା ସମୟରେ ନିଜ ବ୍ୟବସାୟ ଆରମ୍ଭ କଲେ। ସେବେଠୁ ସେଆଉ ପଛକୁ ନା ଯେଉଁଠାରେ ସେ ଧୀରେ ଧୀରେ ସଫଳତାର ସିଡ଼ି ଚଢ଼ିଥିଲେ। ବିଜୟପଥ୍ ଙ୍କ ପିଲାଦିନ ଖୁବ୍ କଠିନ ପରିସ୍ଥିତି ଦେଇ କଟିଥିଲା। ସହିବାକୁ ପଡ଼ିଥିଲା ସାବତ ମାଆଙ୍କ ଅତ୍ୟାଚାର। ୧୨ ବର୍ଷ ବୟସରେ, ୯ ବର୍ଷର ଆଶା ସିଂଘାନିଆଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ୧୯୮୦ ମସିହାରେ, ବିଜୟପଥ୍ ରେମଣ୍ଡ ଗ୍ରୁପର ନେତୃତ୍ୱ ନେଇଥିଲେ। ସେତେବେଳେ କମ୍ପାନୀ କେବଳ ପଶମ ବସ୍ତ୍ର ଉତ୍ପାଦନ କରୁଥିବା ଏକ ମିଲ୍ ଥିଲା। ତାଙ୍କ ନେତୃତ୍ୱରେ, ରେମଣ୍ଡ ବିଭିନ୍ନ ଭେରାଇଟି ଲଞ୍ଚ୍ କରି ବଜାରରେ ବୈପ୍ଳବୀକ ପରିବର୍ତ୍ତନ ଆଣିଥିଲା।

ପାଇଲଟ୍ ଥିଲେ ବିଜୟପଥ୍

ବିଜୟପଥ୍ ସିଂଘାନିଆ କେବଳ ଜଣେ ଶିଳ୍ପପତି ନଥିଲେ। ସେ ଜଣେ ପାଇଲଟ୍ ମଧ୍ୟ । ୧୯୮୮ ମସିହାରେ, ସେ ୨୩ ଦିନ ମଧ୍ୟରେ ଏକ ମାଇକ୍ରୋଲାଇଟ୍ ବିମାନରେ ଲଣ୍ଡନରୁ ଦିଲ୍ଲୀ ପର୍ଯ୍ୟନ୍ତ ୯,୬୫୫ କିଲୋମିଟର ଦୂରତା ଅତିକ୍ରମ କରି ରେକର୍ଡ ସ୍ଥାପନ କରିଥିଲେ। ସେ ହଟ୍ ଏୟାର ବଲୁନ୍ ରେ ସର୍ବାଧିକ ଉଚ୍ଚତା ହାସଲ କରିବା ପାଇଁ ଏକ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ। ବିଜୟପଥଙ୍କ ଅନେକ ସମ୍ମାନରେ ସମ୍ମାନିତ କରା କରାଯାଇଥିଲା। ସେଥି ମଧ୍ୟରେ ରହିଛି ପ୍ରତିଷ୍ଠିତ ସମ୍ମାନ ପଦ୍ମ ଭୂଷଣ।

ବିଜୟପଥ୍ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ। ସେ ମୁମ୍ବାଇର ମାଲାବାର ହିଲରେ ଅବସ୍ଥିତ ୩୭ ମହଲା ବିଶିଷ୍ଟ ଜେକେ ହାଉସରେ ରହୁଥିଲେ, ଯାହାର ମୂଲ୍ୟ ୬,୦୦୦ କୋଟିରୁ ଅଧିକ । ତାଙ୍କ ପାଖରେ ଥିଲା ଅନେକ ଦାମୀ କାର୍। ନିୟତିର ଖେଳ ଦେଖ ଏତେ ବିଲାଶପୂର୍ଣ୍ଣ ଜୀବନ ଅତିବାହିତ କରିଥିବା ବିଜୟପଥ୍ ଙ୍କ ଶେଷ ସମୟ କଟିଥିଲା ଭଡ଼ା ଘରେ। ସେ ଯାହା ବି ହେଉ ବିଜୟପଥ୍ ଙ୍କ ରେମଣ୍ଡ, ପାର୍କ ଆଭେନ୍ୟୁ ଭଳି ବ୍ରାଣ୍ଡ୍ ଜରିଆରେ ସେ ସବୁବେଳେ ମନେ ରହିବେ। ତାଙ୍କ ବିୟୋଗ ଭାରତୀୟ ଶିଳ୍ପ ଜଗତ ପାଇଁ ଏକ ଯୁଗର ଅନ୍ତ ବୋଲି କହିପାରିବା।

 Also Read- ପୁଅର ପ୍ରେମକୁ ସ୍ୱୀକୃତି ଦେଇନଥିଲେ ପରିବାର , ଦୀର୍ଘ ୨୩ବର୍ଷ ହେଲା ପ୍ରତିମୂର୍ତ୍ତୀର ବିବାହ କରାଉଛନ୍ତି ବାପା ମାଆ...