ହାଇଦ୍ରାବାଦ : ସନ୍ତାନ ପାଇଁ ବାପା- ମାଆ କ’ଣ କରି ପାରନ୍ତି। ସେ ସବୁକୁ ହୁଏତ ଶବ୍ଦରେ ବୟାନ କରିବା କଷ୍ଟକର ହୋଇପଡ଼େ। କାରଣ ସେମାନଙ୍କ ଶ୍ରଦ୍ଧା, ତ୍ୟାଗକୁ ନା ବୁଝି ହେବ ନା ସୁଝି ହେବ। ଇଏ ସେମିତି ଏକ କାହାଣୀ...ଯାହା ବୟାନ କରେ ସତରେ ପିଲା ପାଇଁ ବାପା ମାଆ କଣ ନ କରି ପାରନ୍ତି। ତେଲେଙ୍ଗାନାର ଦମ୍ପତି। ଗତ ୨୩ବର୍ଷ ଧରି ପ୍ରତିବର୍ଷ ନିଜ ସନ୍ତାନର ବିବାହ ଏକ ନିର୍ଦ୍ଦିଷ୍ଟ ଦିନରେ କରାଇଥାନ୍ତି। ରିତିନୀତି ଅନୁସାରେ ବିବାହ ଓ ପ୍ରାର୍ଥନା ସଭା ଆୟୋଜନ କରନ୍ତି। ତାପୁଣି ପୂରା ନିଷ୍ଠା ଓ ଶ୍ରଦ୍ଧାର ସହିତ। ଆପଣ ଭାବୁଥିବେ ବିବାହ ପୁଣି ପ୍ରତିବର୍ଷ କାହିଁକି , ଏହା ପଛରେ କିଛି କାରଣ ଅଛି କି। କାରଣ ତ ଖାସ୍ ନିଶ୍ଚିତ।  କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୁଅ ଜୀବିତ ନାହିଁ, ମୃତ। ବାପା ମାଆ ପ୍ରତି ବର୍ଷ ଏକ ସୂତନ୍ତ୍ର ଦିନରେ ମୃତ ପୁଅର ବିବାହ କରାଇଥାନ୍ତି। ୨୨ ବର୍ଷ ପୂର୍ବରୁ ନେଇଥିବା ଏଭଳି ଏକ ପଦକ୍ଷେପ ଏବେ ପରମ୍ପରାରେ ପରିଣତ ହୋଇଛି।

​​​​​​​

 କଣ ହେଇପାରେ ଏହା ପଛର କାରଣ ?

ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାର ଦମ୍ପତି ଲାଲୁ ଏବଂ ସୁକ୍କମ୍ମା। ପ୍ରତିବର୍ଷ ସେମାନଙ୍କ ପୁଅ ରାମ କୋଟିଙ୍କ ବିବାହ ଆୟୋଜିତ କରନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ୨୦୦୩ ମସିହାରୁ ପୁଅଙ୍କର ହୋଇ ସାରିଛି ମୃତ୍ୟୁ। ତେବେ ଏହି ବାହାଘର ପଛରେ ରହିଛି ଏକ କାହାଣୀ। ରାମ କୋଟି ଜଣଙ୍କୁ ପ୍ରେମ କରୁଥିଲେ। ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପ୍ରେମ ବିବାହକୁ ବିରୋଧ କରିଥିଲେ ପରିବାର ଲୋକେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁର କିଛି ଦିନ ପରେ, ତାଙ୍କ ପ୍ରେମିକା ମଧ୍ୟ ଆତ୍ମହତ୍ୟା କରିଥିଲେ, ଯାହା ଉଭୟ ପରିବାରକୁ ଗଭୀର ଆଘାତ ଦେଇଥିଲା। ଏହି ଦୁଃଖଦ ଘଟଣାରେ ରାମ କୋଟିଙ୍କ ବାପାମାଆ ଭାଙ୍ଗି ପଡ଼ିଥିଲେ। କିନ୍ତୁ ନିଜ ପୁଅର ସ୍ମୃତିକୁ ତାଜା କରି ରଖିବାକୁ ଏକ ଉପାୟ ବାଛିଥିଲେ।

ସୁକ୍କମ୍ମାଙ୍କ କହିବା ଅନୁସାରେ, ତାଙ୍କ ପୁଅର ମୃତ୍ୟୁର କିଛି ସମୟ ପରେ, ତାଙ୍କ ପୁଅ ସ୍ୱପ୍ନରେ ଆସିଥିଲେ। ତାଙ୍କ ବାପାମାଆଙ୍କୁ ଏକ ମନ୍ଦିର ନିର୍ମାଣ ଏବଂ ତାଙ୍କ ବିବାହ କରିବାକୁ ଅନୁରୋଧ କଲେ। ଏହା ପରେ ଦମ୍ପତି ନିଜ ଘରେ ଏକ ଛୋଟ ମନ୍ଦିର ନିର୍ମାଣ କଲେ। ପୁଅ ଏବଂ ତାଙ୍କ ପ୍ରେମିକାଙ୍କ ମୂର୍ତ୍ତି ସ୍ଥାପନ କଲେ। ସେବେଠାରୁ, ଦମ୍ପତି ପ୍ରତିବର୍ଷ ରାମ ନବମୀରେ ଏକ ପାରମ୍ପରିକ ବିବାହ ଉତ୍ସବ ଆୟୋଜନ କରି ଆସୁଛନ୍ତି। ବିବାହ ସଠିକ୍ ରୀତିନୀତିରେ ଅନୁଷ୍ଠିତ ହୁଏ। ପ୍ରାର୍ଥନା ଓ ଭୋଜିଭାତର ଆୟୋଜନ ମଧ୍ୟ ହୁଏ। ତେଲେଙ୍ଗାନାରେ, ଶ୍ରୀ ରାମ ନବମୀ ବେଶ୍ ପ୍ରସିଦ୍ଧ। ଏହି ଅବସରରେ ପ୍ରଭୁ ରାମ ଏବଂ ସୀତାଙ୍କ ଦିବ୍ୟ ବିବାହ ବେଶ୍ ଧୁମଧାମ୍ ର ପାଳନ ହୁଏ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ଦମ୍ପତି ନିଜ ପୁଅ ଓ ବୋହୂର ବିବାହ ମଧ୍ୟ କରାଇଥାନ୍ତି। ସମୟ ସହିତ ଯାହା ପରମ୍ପରାରେ ପରିଣତ ହୋଇଛି। ଗ୍ରାମବାସୀ, ସମ୍ପର୍କୀୟ ଏବଂ ପଡ଼ୋଶୀ ଅଞ୍ଚଳର ଲୋକମାନେ ପ୍ରତିବର୍ଷ ଏହି ଉତ୍ସବକୁ ଦେଖିବା ଏବଂ ପ୍ରାର୍ଥନାରେ ଅଂଶଗ୍ରହଣ କରିବା ପାଇଁ ଏକାଠି ହୁଅନ୍ତି।

​​​​​​​ଦମ୍ପତ୍ତି କୁହନ୍ତି ଏଭଳି ଏକ ପ୍ରୟାସରେ ପୁଅର ଆତ୍ମାକୁ ଶାନ୍ତି ମିଳୁଥିବ ନିଶ୍ଚୟ। ଆରମ୍ଭରେ ତ ପୁଅକୁ ହରାଇ ପରିବାର ଖୁବ୍ ଦୁଃଖରେ ଥିଲେ। କିନ୍ତୁ ସମୟ ସହିତ ଏଭଳି ଏକ ପରମ୍ପରାକୁ ଆପଣେଇ ନିଜ ଦୁଃଖକୁ ଭୁଲେଇବାକୁ ଚେଷ୍ଟା କରିଛନ୍ତି ଉଭୟ। ଗାଁର ଲୋକ ବି ଏଥିରେ ବି ସକ୍ରିୟ ରୂପରେ ଭାଗ ନିଅନ୍ତି। ଏହି ପରମ୍ପରା ଏବେ ତେଲେଙ୍ଗାନାର ସାଂସ୍କୃତିକ ମାନ୍ୟତା ସହ ଜଡ଼ିତ। ଆଜି ବି ଲାଲୁ ଓ ସୁକମା ଏହି କାର୍ଯ୍ୟକ୍ରମକୁ ବେଶ୍ ନିଷ୍ଠାର ସହ ମନେଇଥାନ୍ତି। ମାଆ ବାପାଙ୍କର ଏଭଳି ଏକ ନିଆରା ପ୍ରୟାସକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା।

Also Read- Hell_Like_Planet: ଅନନ୍ୟ-ରହସ୍ୟମୟ ଗ୍ରହର ଆବିଷ୍କାର, ରହିଛି ଲାଭାର ବିଶାଳ ମହାସାଗର