ମୁମ୍ଵାଇ ୧୬।୧୦; ବଲିଉଡ୍ ଅଭିନେତ୍ରୀ ନୁସରତ ଭାରୁଚାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଥିବା ନୁସରତ ବର୍ତ୍ତମାନ ଏକ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର (Spine Surgery) ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି।

କିଛି ଦିନ ପୂର୍ବେ ବାଲି ଗସ୍ତରେ ଥିବା ସମୟରେ ନୁସରତ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡର ହାଡ଼ ଭାଙ୍ଗି ଯାଇଥିଲା ବା ଫ୍ରାକ୍ଚର୍ ହୋଇଥିଲା। ପ୍ରାରମ୍ଭିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଘାତର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଥିଲା ଏବଂ ମୁମ୍ବାଇର ପ୍ରସିଦ୍ଧ 'ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍'ରେ ଭର୍ତ୍ତି କରାଯାଇଥିଲା।

ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କୁ ଷ୍ଟ୍ରେଚରରେ ଶୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେ ପ୍ରାୟ ଦୁଇ ସପ୍ତାହ ଧରି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ନୁସରତଙ୍କ ଟିମ୍ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ, କଷ୍ଟଦାୟକ ଓ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ପରେ ତାଙ୍କର ସ୍ପାଇନ୍ ସର୍ଜରି ସଫଳ ହୋଇଛି। ସେ ବର୍ତ୍ତମାନ ନିଜ ପ୍ରିୟଜନଙ୍କ ପାଖରେ ଘରେ ଅଛନ୍ତି। ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ, ତଥାପି ସେ ସକାରାତ୍ମକ ମନୋଭାବ ରଖିଛନ୍ତି ଏବଂ ଶୀଘ୍ର ପୂର୍ବ ଭଳି ସୁସ୍ଥ ହୋଇ ଫେରିବାକୁ ଉଦ୍ୟମ କରୁଛନ୍ତି। ଆମେ ମଧ୍ୟ ଅଭିନେତ୍ରୀ ନୁସରତ ଭାରୁଚାଙ୍କ ଶୀଘ୍ର ଆରୋଗ୍ୟ ଏବଂ ନିରାମୟ ଜୀବନ କାମନା କରୁଛୁ।