ନୂଆଦିଲ୍ଲୀ, ୧୫।୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ନିଜର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ ରହସ୍ୟମୟ ଅନୁଭୂତି ଖୁଲାସା କରିଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଚାଟ୍ ଶୋ’ ‘କଫି ୱିଥ୍ କରଣ ୯’ରେ ଅତିଥି ଭାବେ ଯୋଗଦେଇ ସଲମାନ ନିଜ ଶୋଇବା ଘରେ ଅନୁଭବ କରିଥିବା କିଛି ଅଜବ ଘଟଣା ବିଷୟରେ କହିଛନ୍ତି। ଲାଇଟ୍ ଆପେ ଆପେ ଜଳିବା, ଆଲମାରି ଖୋଲିଯିବା ଏବଂ ମ୍ୟୁଜିକ୍ ସିଷ୍ଟମ୍ ନିଜେ ଚାଲୁ ହୋଇଯିବା ଭଳି ଘଟଣା ତାଙ୍କୁ ସେଠାରେ କାହାର ଅଦୃଶ୍ୟ ଉପସ୍ଥିତି ଥିବା ଭଳି ଅନୁଭବ କରାଉଥିଲା।

ଶୋ’ରେ କରଣ ଜୋହର ସଲମାନଙ୍କ ସହ ନିଜର ପୁରୁଣା ସ୍ମୃତି ମନେ ପକାଇଥିଲେ। ‘କୁଛ୍ କୁଛ୍ ହୋତା ହୈ’ ଚଳଚ୍ଚିତ୍ର ପାଇଁ ସଲମାନଙ୍କୁ କାହାଣୀ ଶୁଣାଇବା ସମୟରେ ତାଙ୍କ ଘରକୁ ଯାଇଥିବା ଘଟଣାକୁ କରଣ ମନେ ପକାଇଥିଲେ। କରଣ କହିଥିଲେ ଯେ, ‘ଜବ୍ ପ୍ୟାର୍ କିସିସେ ହୋତା ହୈ’ ଚଳଚ୍ଚିତ୍ରର ସୁଟିଂ ସମୟରେ ସଲମାନଙ୍କୁ ଭେଟିବା ପାଇଁ ସେ ସେଟ୍କୁ ଯାଇଥିଲେ। ସେତେବେଳେ ସଲମାନଙ୍କ ସୁଟିଂ ସମୟ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଥିଲା। ରାତି ପ୍ରାୟ ୯ଟାରେ ସଲମାନ ତାଙ୍କୁ ନିଜ ସହ ଘରକୁ ଯିବାକୁ କହିଥିଲେ। ସଲମାନଙ୍କ ଘରେ ପହଞ୍ଚିବା ପରେ କରଣ ଦେଖିଥିଲେ ଯେ, ସେଠାରେ ସଲିମ ଖାନ, ସଲମା ଖାନ, ଅରବାଜ ଖାନ ଓ ସୋହେଲ ଖାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଏକାଠି ରହୁଥିଲେ। ସେହି ଘରେ ସଲମାନଙ୍କ ଶୋଇବା ଘରଟି ଖୁବ୍ ଛୋଟ ଥିଲା। ସେଠାରେ କେବଳ ଗୋଟିଏ ବିଛଣା ଓ ଗୋଟିଏ ଆଲମାରି ଥିଲା।

ସଲମାନଙ୍କ ଭଳି ଜଣେ ସୁପରଷ୍ଟାରଙ୍କ ଶୋଇବା ଘର ଏତେ ଛୋଟ ହୋଇଥିବା ଦେଖି କରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଘରେ ପହଞ୍ଚିବା ପରେ ସଲମାନ ପୋଷାକ ବଦଳାଇ ହଳଦିଆ ରଙ୍ଗର ସର୍ଟସ୍ ପିନ୍ଧି ଠିଆ ହୋଇଥିବା ଘଟଣାକୁ ମଧ୍ୟ ସେ ମଜାଳିଆ ଢଙ୍ଗରେ ବର୍ଣ୍ଣନା କରିଥିଲେ। କଥାବାର୍ତ୍ତା ମଧ୍ୟରେ ସଲମାନ ନିଜ ଶୋଇବା ଘର ସହ ଜଡ଼ିତ ଏକ ଅଜବ ଅନୁଭୂତି ବିଷୟରେ କହିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ସେହି ଘରେ କେବେ ଏକା ଥିବା ଭଳି ଅନୁଭବ କରୁନଥିଲେ। ତାଙ୍କୁ ସବୁବେଳେ ଲାଗୁଥିଲା ଯେ, ସେଠାରେ ଆଉ କେହି ଜଣେ ଅଛନ୍ତି, ଯାହାଙ୍କୁ ସେ ଦେଖିପାରୁନଥିଲେ, କିନ୍ତୁ ଅନୁଭବ କରିପାରୁଥିଲେ।

ସଲମାନ କହିଥିଲେ, ସେହି ଘରୁ ବାହାରକୁ ଆସିବା ସମୟରେ ଲାଇଟ୍ଗୁଡ଼ିକ ଝଲସିବା, ଆଲମାରିଗୁଡ଼ିକ ଆପେ ଆପେ ଖୋଲିଯିବା ଏବଂ ମ୍ୟୁଜିକ୍ ସିଷ୍ଟମ୍ ନିଜେ ଚାଲୁ ହୋଇଯିବା ଭଳି ଘଟଣା ଘଟୁଥିଲା। ସେ ବାଥରୁମ୍ରେ ଥିବା ସମୟରେ ମଧ୍ୟ ବାହାରେ କେହି ଜଣେ ଆଲମାରି ସହ କିଛି କରୁଥିବା ଭଳି ଅନୁଭବ ହେଉଥିଲା। ଏହି ସବୁ ଘଟଣାରୁ ସେ ସେଠାରେ କୌଣସି ଏକ ଅଦୃଶ୍ୟ ସତ୍ତାର ଉପସ୍ଥିତି ଥିବା ଅନୁଭବ କରୁଥିଲେ ।

ସଲମାନଙ୍କ ଅନୁଭୂତି ଶୁଣି କରଣ ଜୋହର ପଚାରିଥିଲେ ଯେ, ତାଙ୍କ ଶୋଇବା ଘରଟି ଭୂତପ୍ରେତଙ୍କ ଦ୍ୱାରା ପ୍ରଭାବିତ ଅର୍ଥାତ୍ ହଣ୍ଟେଡ୍ ଥିଲା କି? ଏହାର ଉତ୍ତରରେ ସଲମାନ କହିଥିଲେ ଯେ, ସେଠାରେ ଭୂତ ଥିବା ଭଳି କିଛି ନୁହେଁ, କିନ୍ତୁ କାହାର ଉପସ୍ଥିତି ଅନୁଭବ ହେଉଥିଲା। ସେ ଯେତେବେଳେ ସଙ୍ଗୀତ ବଜାଉଥିଲେ, ସେତେବେଳେ ମଧ୍ୟ ସେହି ଉପସ୍ଥିତିକୁ ଅନୁଭବ କରୁଥିଲେ। ତେଣୁ ସେ ସେହି ଅଦୃଶ୍ୟ ସତ୍ତା ପାଇଁ ସଙ୍ଗୀତ ବଜାଇ ଘରୁ ବାହାରକୁ ଚାଲିଯାଉଥିଲେ। ଘର ବାହାରେ ଏକ ବିଲିୟର୍ଡସ୍ ଟେବୁଲ୍ ଥିଲା। ସେଠାରେ ଖେଳୁଥିବା ସମୟରେ ମଧ୍ୟ ଘର ଭିତରେ କେହି ଜଣେ ଥିବା ଭଳି ଶବ୍ଦ ଶୁଣିବାକୁ ମିଳୁଥିଲା ବୋଲି ସଲମାନ କହିଥିଲେ।

ତେବେ ଏହି ଅନୁଭୂତି ତାଙ୍କୁ କେବେ ଭୟଭୀତ କରିଥିଲା କି ବୋଲି କରଣ ପଚାରିବାରୁ ସଲମାନ ମଜାଳିଆ ଢଙ୍ଗରେ କହିଥିଲେ ଯେ, ସେ ଭୟ କରୁନଥିଲେ, କାରଣ ସେହି ଅଦୃଶ୍ୟ ଉପସ୍ଥିତି ତାଙ୍କର କୌଣସି କ୍ଷତି କରୁନଥିଲା। ତେବେ ତାଙ୍କର ଏକମାତ୍ର ଅନୁରୋଧ ଥିଲା, ଯଦି ସେହି ଅଦୃଶ୍ୟ ସତ୍ତା ପ୍ରକୃତରେ ଜଣେ ସୁନ୍ଦରୀ ମହିଳା, ତେବେ ସେ ତାଙ୍କ ସାମ୍ନାକୁ ଆସନ୍ତୁ।