ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ରହୁଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ଭୂତ ଅଛି । ଏକଥା ଖୋଦ ଅଭିନେତା ଏକ ଟିଭି ଶୋ’ରେ କହିଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହରଙ୍କ  ଲୋକପ୍ରିୟ ଶୋ’କଫି ୱିଥ୍ କରଣ- ସିଜନ୍ ୯ର ପ୍ରଥମ ଅଧ୍ୟାୟରେ ନଜର ଆସିଥିଲେ ସଲମାନ । ତେବେ ସଲମାନ ଏବଂ କରଣଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି । କିନ୍ତୁ  ଦୁହେଁ କେବଳ ଗୋଟିଏ ସିନେମା 'କୁଛ୍ କୁଛ୍ ହୋତା ହୈ' (୧୯୯୮) ରେ ଏକାଠି କାମ କରିଛନ୍ତି।  

'କଫି ୱିଥ୍ କରଣ' ସିଜନ୍ ୯ ର ପ୍ରଥମ ଅଧ୍ୟାୟରେ କରଣ ଜୋହର ସଲମାନଙ୍କ ଘର 'ଗାଲାକ୍ସି ଆପାର୍ଟମେଣ୍ଟ'କୁ ଯିବାର ଅନୁଭୂତି ସେୟାର କରିଥିଲେ। ସେ ସମୟରେ ସଲମାନଙ୍କ ପରି ଏକ ବଡ଼ ଷ୍ଟାର ଏକ ଛୋଟ ରୁମ୍‌ରେ ରହୁଥିବା ଦେଖି କରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କରଣ କହିଥିଲେ ଯେ, ଜବ୍ ପ୍ୟାର୍ କିସିସେ ହୋତା ହୈ’ (୧୯୯୮) ର ଶୁଟିଂ ସମୟରେ ସେ ସଲମାନଙ୍କୁ କାହାଣୀ ଶୁଣାଇବା ପାଇଁ ତାଙ୍କ ସେଟ୍‌କୁ ଯାଇଥିଲେ।  ଦ୍ବିପ୍ରହର ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସଲମାନଙ୍କ ସୁଟିଂ ଥିଲା । କିନ୍ତୁ ରାତି ୯ଟାରେ ତାଙ୍କ ସହ ଗାଲାକ୍ସି ଆପାର୍ଟମେଣ୍ଟ ଯିବାକୁ କହିଥିଲେ ସଲମାନ । 

ଆପାର୍ଟମେଣ୍ଟରେ ପୂରା ପରିବାର ଏକାଠି ରହୁଥିବା ବେଳେ ସଲମାନଙ୍କ ବେଡରୁମ୍‌ ବା ଶୋଇବା କକ୍ଷ ବହୁତ ଛୋଟ ଥିଲା । ଯେଉଁଥିରେ କପବୋର୍ଡ ଓ ଗୋଟିଏ ଖଟ ଥିଲା ବୋଲି କହିଥିଲେ କରଣ । ଏହି ଆଲୋଚନା ମଧ୍ୟରେ ସଲମାନ ଖାନ୍ ନିଜ ରୁମ୍‌ରେ ଘଟିଥିବା  ଅଲୌକିକ ଘଟଣା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେହି ରୁମ୍‌ରେ କୌଣସି ଅଦୃଶ୍ୟ ଶକ୍ତି ବା ଆତ୍ମାର ଉପସ୍ଥିତି ସଦାସର୍ବଦା ଅନୁଭୂତ ହେଉଥିଲା।

ସଲମାନଙ୍କ କହିବା ଅନୁଯାୟୀ, ସେ ସେହି ରୁମ୍‌ରେ କେବେବି ଏକା ଅନୁଭବ କରୁନଥିଲେ। ସେ ଯେତେବେଳେ ରୁମ୍‌ରୁ ବାହାରକୁ ଆସୁଥିଲେ, ଲାଇଟ୍ ଆପେ ଆପେ ଜଳୁଥିଲା ଓ ଲିଭୁଥିଲା । କବାଟ ଖୋଲିଯାଉଥିଲା ଏବଂ ମ୍ୟୁଜିକ୍ ସିଷ୍ଟମ୍ ମଧ୍ୟ ଆପେ ଚାଲୁ ହୋଇଯାଉଥିଲା। ଏପରିକି କପ୍‌ବୋର୍ଡ ମଧ୍ୟ ଆପେ ଆପେ ଖୋଲିଯାଉଥି ସେ ବାଥରୁମ୍‌ରେ ଥିବା ସମୟରେ ରୁମ୍‌ ବାହାରେ କେହି ଜଣେ ଖେଳୁଥିବା ପରି ଶବ୍ଦ ହେଉଥିଲା। ସେ କହିଥିଲେ, ‘ମୁଁ ସେହି ଶକ୍ତିକୁ କେବେ ଦେଖିନାହିଁ, କେବଳ ଅନୁଭବ କରିଛି।’

ଏତିକି ଶୁଣି କରଣ କହିଥିଲେ, ତାହା କଣ ଭୂତ ଥିଲା କି ? ସଲମାନ କହିଥିଲେ,  ଏହା କୌଣସି ଭୂତ ନଥିଲା ବରଂ ଏକ ଅଦୃଶ୍ୟ ସତ୍ତା ଥିଲା। ସେଠାରେ କେହି ଜଣେ ଥିବା ପରି ଲାଗୁଥିଲା। ଯେତେବେଳେ ସେ ଗୀତ ଶୁଣୁଥିଲେ, ସେହି ଶକ୍ତିର ଆଗମନ ଅନୁଭବ କରିପାରୁଥିଲେ । ତେଣୁ ସେ ଗୀତ ଚାଲୁ ରଖି ରୁମ୍‌ରୁ ବାହାରକୁ ଚାଲିଆସୁଥିଲେ। ବାହାରେ ବିଲିୟାର୍ଡସ ଖେଳିବା ସମୟରେ ମଧ୍ୟ ରୁମ୍ ଭିତରୁ ଶବ୍ଦ ଶୁଣାଯାଉଥିଲା। ଏହି ଘଟଣାରେ ସେ କେବେ ଭୟଭୀତ ହୋଇନଥିଲେ ବୋଲି ସଲମାନ କହିଛନ୍ତି । ସଲମାନ କହିଥିଲେ, ଯଦି ସେହି ଅଦୃଶ୍ୟ ଶକ୍ତି ଜଣେ ସୁନ୍ଦରୀ ମହିଳା । ତେବେ ତାଙ୍କୁ ସେ ବାସ୍ତବ ରୂପରେ ଦେଖିବାକୁ ଇଚ୍ଛା କରିଥିଲେ ବୋଲି ସଲମାନ କହିଥିଲେ  ।